କପିଳାସ ଭୂୟାଁ
ଆଜିକା ଦିନରେ ଓଡ଼ିଶାରେ କଳା ଶିକ୍ଷା ବ୍ୟବସ୍ଥା ଏକ ଉନ୍ନତ ଅବସ୍ଥାରେ ପହଞ୍ଚିଛି ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସରକାରୀ ସ୍ତରରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଘରୋଇ ଭାବେ ଧଉଳି କଳା ମହାବିଦ୍ୟାଳୟରେ କଳା ଶିକ୍ଷା ଦିଆଯାଉଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ସ୍ତରରେ ମଧ୍ୟ ଏକାଧିକ କଳା ଶିକ୍ଷା ଅନୁଷ୍ଠାନ ଗଢି ଉଠିଛି। ସମ୍ପ୍ରତି ଏହି ଅନୁଷ୍ଠାନଗୁଡ଼ିକରୁ ଅଧିକାଂଶ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିବାରୁ ଓଡ଼ିଶାରେ କଳା ଶିକ୍ଷା ଯଥେଷ୍ଟ ବ୍ୟବସ୍ଥିତ ହୋଇ ପାରିଛି।
ଓଡ଼ିଶାରେ କଳା ଶିକ୍ଷାର ଆରମ୍ଭ ଓ କ୍ରମ ବିକାଶ ବିଷୟରେ ସମସ୍ତଙ୍କୁ କିଛିଟା ଧାରଣା ଏଠାରେ ଦିଆଯାଇପାରେ। ଓଡ଼ିଶାର ପାରମ୍ପରିକ କଳା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲେ ବି ଦେଶ ସ୍ଵାଧୀନ ହେବାର ପୂର୍ବ-କାଳ ବା ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଆମ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କଳା ଶିକ୍ଷା ଦେବା ପାଇଁ କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ନଥିଲା। ତେବେ ବ୍ୟକ୍ତିଗତ ଆଗ୍ରହ ଓ ଉଦ୍ୟମରେ କିଛି ଓଡିଆ ଲୋକ ଦେଶ ଓ ରାଜ୍ୟ ବାହାରକୁ ଯାଇ କଳା ଶିକ୍ଷା ଲାଭ କରିଥିଲେ।
ସେହି ଭଳି ଜଣେ ବ୍ୟକ୍ତି ହେଲେ ଚିକିଟି ରାଜା ଶରତ ଚନ୍ଦ୍ର ଦେବ। ସେ ଲଣ୍ଡନସ୍ଥିତ ରୟାଲ ଏକାଡେମୀ ଓଫ ଆର୍ଟ ବା ‘ରା’ରେ କଳା ଶିକ୍ଷା ଲାଭ କରି ଫେରିଥିଲେ। ଓଡ଼ିଶାରେ କଳା ଶିକ୍ଷାର ପ୍ରସାର ପାଇଁ ସେ ହିଁ ନିଜସ୍ଵ ଉଦ୍ୟମରେ ବ୍ରହ୍ମପୁର ଠାରେ ୧୯୪୫ରେ ପ୍ରତିଷ୍ଠା କରିଥିଲେ ପ୍ରଥମ କଳା ବିଦ୍ୟାଳୟ ‘ଉତ୍କଳ ସ୍କୁଲ ଅଫ ଆର୍ଟ’। ବ୍ରହ୍ମପୁରର ଉତ୍କଳ ଆଶ୍ରମ ରୋଡ୍ରେ ଥିବା ତାଙ୍କ ଘରେ ଏହି ବିଦ୍ୟାଳୟ ଖୋଲିଥିଲା। କଟକରୁ ବିଭୂତି ଭୂଷଣ କାନୁନଗୋ ଓ ମୁରଲୀଧର ଟାଲି ସପ୍ତାହକୁ ପାଞ୍ଚ ଦିନ ପାଇଁ ଯାଇ ସେଠାରେ ପାଠ ପଢାଉଥିଲେ।
ଶରତ ଚନ୍ଦ୍ର ଦେବଙ୍କ ଘରେ ଖାଇପିଇ ରହି ପାଠ ପଢାଇ ଫେରି ଆସୁଥିଲେ। ସେତେବେଳେ ବିଦ୍ୟାଳୟର ଛାତ୍ର ଥିଲେ ସମୁଦାୟ ଚାରି ଜଣ – ରଘୁନାଥ ସିଂ, ଲକ୍ଷ୍ମୀଧର ଦାସ, ରବି ନାରାୟଣ ନାୟକ ଓ ଅନ୍ୟ ଜଣେ, ଯାହାଙ୍କ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ଭାବେ ଜଣା ପଡ଼େ ନାହିଁ। ଉପରୋକ୍ତ ତିନି ଜଣ ପରବର୍ତ୍ତୀ ସମୟରେ କୋଲକାତା ଓ ଶାନ୍ତିନିକେତନ ଯାଇ କଳାରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ।
କାଳ କ୍ରମେ କଳା ବିଦ୍ୟାଳୟର ଖର୍ଚ୍ଚ ବହନ କରିବା ଶରତ ଚନ୍ଦ୍ର ଦେବଙ୍କ ପାଇଁ କଷ୍ଟକର ହେଲା ଓ ୧୯୫୦-୫୨ ବେଳକୁ ‘ଉତ୍କଳ ସ୍କୁଲ ଅଫ ଆର୍ଟ’ ବନ୍ଦ ହୋଇଗଲା।
ତେବେ ସେହି ସମାନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁରଠାରେ ସ୍ଥାନୀୟ ରାଜା ବିକ୍ରମ ଦେବ ବର୍ମାଙ୍କ ଉଦ୍ୟମରେ ୧୯୪୯ରେ ‘ବିକ୍ରମ ଦେବ ସ୍କୁଲ ଓଫ ଆର୍ଟ’ ମୁଣ୍ଡ ଟେକି ଉଠିଥିଲା, ଯେଉଁ ଠାରେ ଏବେ ବି କଳା ଶିକ୍ଷା ପ୍ରଦାନ କରାଯାଉଛି। ଏହି କଳା ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିକ୍ରମ ଦେବ ସୁଚିନ୍ତିତ ଯୋଜନା କରିଥିଲେ। ପ୍ରଥମେ ସେ ସେଠାକାର ଜଣେ ସ୍ଥାନୀୟ ଶିଳ୍ପୀ ସୀମାଦ୍ରି ମହାରଣାଙ୍କୁ କଳା ଶିକ୍ଷା କରିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରି ମାଡ୍ରାସ ପଠାଇ ଥିଲେ।
ସେତେବେଳେ ମାଡ୍ରାସ ସ୍କୁଲ ଅଫ ଆର୍ଟର ପ୍ରିନ୍ସପାଲ ଥିଲେ ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ଦେବୀ ପ୍ରସାଦ ରାୟଚୌଧୁରୀ। ତାଙ୍କରି ତତ୍ତ୍ଵାବଧାନରେ ସୀମାଦ୍ରି ମହାରଣା କଳା ଶିକ୍ଷା ଲାଭ କରି ଫେରିବା ପରେ ‘ବିକ୍ରମ ଦେବ ସ୍କୁଲ ଓଫ ଆର୍ଟ’ ଆରମ୍ଭ ହୋଇଥିଲା। ତେବେ ଜୟପୁର ଭୌଗଳିକ ସ୍ଥିତି ଦୃଷ୍ଟିରୁ ଉପାନ୍ତ ଅଞ୍ଚଳରେ ରହିଥିବାରୁ କଟକ-ଭୁବନେଶ୍ଵରରେ କେନ୍ଦ୍ରୀଭୂତ ରାଜନୈତିକ କ୍ଷମତାଶାଳୀ ନେତାଙ୍କ ଦୃଷ୍ଟିକୁ ଆସି ପାରି ନଥିବା କଥା ଅନୁମାନ କରାଯାଇ ପାରେ। ତେଣୁ ‘ବିକ୍ରମ ଦେବ ସ୍କୁଲ ଓଫ ଆର୍ଟ’ ଯେଉଁ ଗୁରୁତ୍ଵ ପାଇବା କଥା ହୁଏତ ତାହା ସମ୍ଭବ ହୋଇ ନଥିଲା।
ସେହି ସମକାଳରେ କଟକରେ ବିଭୂତି ଭୂଷଣ କାନୁନଗୋ ଓ ଗୋପାଳ ଚରଣ କାନୁନଗୋଙ୍କ ପରି ଶିଳ୍ପୀ ଘରୋଇ ଭାବେ ଗୋଟିଏ ଆର୍ଟ ସ୍କୁଲ ଚଲାଉଥିଲେ ଓ ଆଶା ରଖିଥିଲେ ଯେ ସରକାରଙ୍କ ସାହାଯ୍ୟ କ୍ରମେ ତାହା ଗୋଟିଏ ବଡ କଳା ବିଦ୍ୟାଳୟ ହୋଇପାରିବ। ଅବଶ୍ୟ ସେତେବେଳକୁ ସରକାରୀ ସ୍ତରରେ ଗୋଟିଏ କଳା ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଥିଲା ଓ ତାହାକୁ ଉପକୂଳ ଅଞ୍ଚଳର କ୍ଷମତାଶାଳୀ ରାଜନେତାମାନେ କଟକରେ ପ୍ରତିଷ୍ଠା କରିବା ପାଇଁ ଚାହୁଁଥିଲେ।
ତେବେ ସେତେବେଳେ ଶିକ୍ଷା ମନ୍ତ୍ରୀ ଥିବା ଲିଙ୍ଗରାଜ ପାଣିଗ୍ରାହୀ କଳା ବିଦ୍ୟାଳୟଟିକୁ ପ୍ରାକୃତିକ ପରିବେଶ ଭିତରେ ପ୍ରତିଷ୍ଠା କରିବା ପାଇଁ ଅଧିକ ଆଗ୍ରହୀ ଥିଲେ। ସେ ଜାଣିଥିଲେ ଯେ ଖଲ୍ଲିକୋଟ ରାଜ ପରିବାର ସେତେବେଳେ ରାଜବାଟିରେ ରହୁନଥିଲେ। ତେଣୁ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସହମତିରେ ତାଙ୍କଠାରୁ ସରକାର ପ୍ରାୟ ତିନି ଲକ୍ଷ ଟଙ୍କା ଦେଇ ରାଜବାଟୀ କିଣିନେଲେ ଓ ୧୯୫୭ରେ ସେଠାରେ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ବିଦ୍ଧିବଦ୍ଧ ଭାବେ ନିଷ୍ପତି ନିଆଗଲା। ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟ ୧୯୫୮ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା।
ତେବେ ବିଦ୍ୟାଳୟ ଆରମ୍ଭ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ୧୯୫୭ରେ ପ୍ରଥମେ ଶରତ ଚନ୍ଦ୍ର ଦେବଙ୍କୁ ପ୍ରଥମ ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦିଆଗଲା। ଅଧ୍ୟାପକ ଭାବେ ନିଯୁକ୍ତି ପାଇଲେ ଶାନ୍ତିନିକେତନରୁ କଳା ଶିକ୍ଷା ସମାପ୍ତ କରି ଆସିଥିବା ଅଜିତ କେଶରୀ ରାୟ ଓ ଅନନ୍ତ ପଣ୍ଡା। କିନ୍ତୁ ସମସ୍ୟା ହେଲା ଯେ ସେତେବେଳେ ଶାନ୍ତିନିକେତନର କଳା ଶିକ୍ଷା ଭିତରେ ସ୍ଵଦେଶୀ କଳା ଆନ୍ଦୋଳନ ଯୋଗୁ ଅଏଲ ପେଣ୍ଟିଙ୍ଗ କରିବାକୁ ଆଦୌ ଗ୍ରହଣ କରାଯାଉ ନଥିଲା। କେବଳ ଟେମ୍ପେରା ଓ ୱାସ ପେଣ୍ଟିଙ୍ଗକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା।
ଅନ୍ୟ ପକ୍ଷରେ କୋଲକାତାର ଗଭର୍ଣ୍ଣମେଣ୍ଟ ସ୍କୁଲ ଅଫ ଆର୍ଟରେ ପ୍ରିନସିପାଲ ଥିବା ପ୍ରଫେସର ଇ. ବି. ହାଭେଲ ବ୍ରିଟିଶ କଲୋନିଆଲ ରିଅଲିଷ୍ଟିକ ସ୍କୁଲର ଶିକ୍ଷା ପଦ୍ଧତି ଅନୁଯାୟୀ ବାସ୍ତବଧର୍ମୀ ଅଏଲ ପେଣ୍ଟିଙ୍ଗ କରିବାକୁ ଅଧିକ ଗୁରୁତ୍ଵ ଦେଉଥିଲେ। କିନ୍ତୁ ଉଭୟ ଅଜିତ କେଶରୀ ଓ ଅନନ୍ତ ପଣ୍ଡା ଶାନ୍ତିନିକେତନ ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷିତ ହୋଇଥିବାରୁ ବାସ୍ତବଧର୍ମୀ ଅଏଲ ପେଣ୍ଟିଙ୍ଗ ସମ୍ପର୍କରେ ବିନ୍ଦୁ ବିଃସର୍ଗ ସୁଦ୍ଧା ଜାଣି ନଥିଲେ। ପୁଣି ଅଏଲ ପେଣ୍ଟିଙ୍ଗ କରିବା ଅତି ଖର୍ଚ୍ଚ ବହୁଳ ଥିଲା। ତେବେ ଶରତ ଚନ୍ଦ୍ର ଦେବ ଲଣ୍ଡନରୁ କଳା ଶିକ୍ଷା ଲାଭ କରିଥିବାରୁ ତାଙ୍କୁ ତାହା ଜଣାଥିଲା। ଅଜିତ କେଶରୀ ଓ ଅନନ୍ତ ପଣ୍ଡା ଖଲ୍ଲିକୋଟ କଳା ମହାବିଦ୍ୟାଳୟରେ ଯୋଗ ଦେବା ପରେ ଶରତ ଚନ୍ଦ୍ରଙ୍କ ଷ୍ଟୁଡିଓରେ ହିଁ ଅଏଲ ରଙ୍ଗ ଦେଖିଲେ ଓ ସେହି ରଙ୍ଗ ବ୍ୟବହାର କରି ସେମାନଙ୍କର ପ୍ରଥମ ଅଏଲ ପେଣ୍ଟିଙ୍ଗ କରିଲେ।
କ୍ରମେ ଖଲ୍ଲିକୋଟ କଳା ମହାବିଦ୍ୟାଳୟର ଛାତ୍ର ସଂଖ୍ୟା ବଢିବା ସହ ନୂଆ ନୂଆ ଅଧ୍ୟାପକମାନେ ଯୋଗ ଦେଲେ। ସେମାନେ ମୁଖ୍ୟତଃ ଶାନ୍ତିନିକେତନରୁ ଶିକ୍ଷା ଲାଭ କରିଥିବାରୁ ଅଧିକନ୍ତୁ ଶାନ୍ତିନିକେତନୀୟ ଶୈଳୀର ଚିତ୍ରକଳାକୁ ଗୁରତ୍ଵ ଦେଉଥିଲେ। କିନ୍ତୁ ଅଜିତ କେଶରୀଙ୍କ ସହ ଅନନ୍ତ ପଣ୍ଡା ଆଧୁନିକ ଚିତ୍ରକଳା ଓ ପାରମ୍ପରିକ ଚିତ୍ରକଳାକୁ ସମ-ଗୁରୁତ୍ଵ ଦେବାରୁ ଓଡିଶାରେ କଳା ଶିକ୍ଷାର ଏକ ନୂଆ ଧାରା ସୃଷ୍ଟି ହେଲା। ସେତେବେଳେ ଓଡିଶାର କଳା ଶିକ୍ଷାକୁ ସର୍ବାଧିକ ପ୍ରସାର କରାଇଥିବା ଡକ୍ଟର ଦିନନାଥ ପାଠୀ ସେହି ଉଭୟ ଉତ୍ତୁଙ୍ଗ ଶିକ୍ଷକଙ୍କର ଜଣେ ଛାତ୍ର ଥିଲେ।
ପରବର୍ତ୍ତୀ ସମୟରେ ଦିନନାଥଙ୍କ ଦ୍ଵାରା ୧୯୮୩ରେ ପ୍ରତିଷ୍ଠିତ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ କଳା ଶିକ୍ଷାକୁ ସର୍ବାଧିକ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲା। ଆଜି ଦେଶ ଭିତରେ ଓ ବାହାରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ରାମହରି ଜେନାଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ପଣ୍ଡା ଓ ଅଦ୍ଵୈତ ଗଡନାୟକଙ୍କ ପରି ଉନ୍ନତ ସ୍ତରର ଶିଳ୍ପୀ ସେହି ଉଦ୍ୟମର ଉଜ୍ଜ୍ଵଳ ବ୍ୟକ୍ତିତ୍ଵ ରୂପେ ଉଭା ହୋଇପାରିଛନ୍ତି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ।
[ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ନିଜସ୍ଵ।]