ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକିୟା ଆଉ ପାଦେ ଆଗକୁ ବଢ଼ିଛି। ଆସନ୍ତା ୧୫ ତାରିଖ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପାଇଁ ସମୀକ୍ଷା ବୈଠକ କରିବେ। କୋଭିଡ ସମୟରେ ନିର୍ବାଚନକୁ କିପରି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ନିର୍ବାଚନ କମିଶନ ବିସ୍ତୃତ ଭାବେ ଆଲୋଚନା କରିବେ।

କୋଭିଡ ସମୟରେ କିପରି ନିର୍ବାଚନ ପରିଚାଳନା କରାଯିବ ଏବଂ ନିର୍ବାଚନକୁ ଅବାଧ, ସ୍ଵଚ୍ଛ ଏବଂ ଶାନ୍ତିଶୃଙ୍ଖଳାର ସହ କରିବା ଉପରେ ସମୀକ୍ଷା ବୈଠକରେ ଆଲୋଚନା କରାଯିବ।

ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବ୍ରୁଆରି ୧୬ରୁ ଆରମ୍ଭ ହେବ। ମୋଟ୍ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଏଥର ନିର୍ବାଚନ ପ୍ରକ୍ରିୟା କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରି ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରି ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ୨୨ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ।

ଜାନୁଆରି ୨୫ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ଏବଂ ସେହି ସମାନ ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ମୋଟ୍ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଗୋଟିଏ ଦିନ ବ୍ୟବଧାନ ହେବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ହେବ। ଏହାପରେ ଫେବ୍ରୁଆରି ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Comment