ଓଡ଼ିଶାଲାଇଭ୍ ବ୍ୟୁରୋ

କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କର ସୋମବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ କେବଳ କଥକ ନୃତ୍ୟ ଜଗତ ନୁହେଁ ସମଗ୍ର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ବିରଜୁ ମହାରାଜଙ୍କ ପୂରା ନାଁ ବ୍ରିଜମୋହନ ନାଥ ମିଶ୍ର ଥିଲା। ତାଙ୍କର ଜନ୍ମ ୪ ଫେବ୍ରୁଆରି ୧୯୩୭ ମସିହାରେ ଲକ୍ଷ୍ନୌର ଏକ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପରିବାରରେ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପରେ ଫିଲ୍ମ ଏବଂ ସଂଗୀତ ଜଗତ ସହ ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦିଆଯାଇଛି।

ନାତି ସହ ଖେଳୁ ଖେଳୁ ଟଳିପଡ଼ିଲେ 

ଗତ ରବିବାର ଦିଲ୍ଲୀ ସ୍ଥିତ ବାସଭବନରେ ନାତି ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିରଜୁ ମହାରାଜ ଖେଳୁଥିଲେ। ଏହି ସମୟରେ ହଠାତ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ସେ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ମାସ ପୂର୍ବରୁ ବିରଜୁ ମହାରାଜ କୀଡ଼ନି ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଚାଲୁ ରହିଥିଲା।

ବିରଜୁ ମହାରାଜ ଶାସ୍ତ୍ରୀୟ ସଂଗୀତ ଗାୟକ ମଧ୍ୟ ଥିଲେ

କଥକ କହିଲେ ବିରଜୁ ମହାରାଜଙ୍କୁ ହିଁ ବୁଝାଏ। ତାଙ୍କୁ କଥକ ନୃତ୍ୟ ଜଗତର ଏକ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କଥକ ନୃତ୍ୟ ଶିଳ୍ପୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ବ୍ରିଜମୋହନ ନାଥ ମିଶ୍ର ପିଲାଟି ବେଳୁ କଥକ ନୃତ୍ୟ ପ୍ରେମରେ ପଡ଼ିଥିଲେ। କଥକ ନୃତ୍ୟ ପ୍ରତି ତାଙ୍କର ନିଷ୍ଠା ଏବଂ ସମର୍ପଣ ଯୋଗଁ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସେ କବେଳ କଥକ ସମ୍ରାଟ ନୁହଁନ୍ତି ସେ ଜଣେ ଶାସ୍ତ୍ରୀୟ ସଂଗୀତ ଗାୟକ ମଧ୍ୟ ଥିଲେ। ବିଭିନ୍ନ ସିନେମାରେ କୋରିଓଗ୍ରାଫି ସହ ଗୀତ ରଚନା ମଧ୍ୟ କରିଛନ୍ତି। ମୋଟା ମୋଟି କହିବାକୁ ଗଲେ ସେ ବହୁମୂଖୀ ପ୍ରତିଭାର ଅଧିକାରୀ ଥିଲେ।

ପିତା ଥିଲେ ପ୍ରଥମ କଥକ ନୃତ୍ୟ ଗୁରୁ 

ପିତା ଅଚ୍ଛନ ମହାରାଜଙ୍କଠାରୁ ବିରଜୁ ମହାରାଜ କଥକ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ପିଲାଟି ବେଳୁ କଥକ ପ୍ରତି ତାଙ୍କର ଆଗ୍ରହ ଦେଖି ତାଙ୍କ ପିତା ନିଜେ ହିଁ ବିରଜୁ ମହାରାଜଙ୍କୁ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ। ତାଙ୍କ ଦୁଇ ଜଣ ଦାଦା ମଧ୍ୟ କଥକ ନୃତ୍ୟରେ ପାରଙ୍ଗମ ଥିଲେ। ସେମାନେ ହେଲେ ପ୍ରସିଦ୍ଧ କଥକ ନୃତ୍ୟ ଶିଳ୍ପୀ ଏବଂ ଗୁରୁ ଶମ୍ଭୁ ମହାରାଜ ଏବଂ ଲଚ୍ଛୁ ମହାରାଜ। ଗୋଟିଏ କଥକ ନୃତ୍ୟ ଶିଳ୍ପୀ ପରିବାରରେ ଜନ୍ମ ଗ୍ରହଣ କରି ନିଜ ପାଇଁ କଥକ ଜଗତରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିଥିଲେ ବିରଜୁ ମହାରାଜ।

୧୯୮୩ରେ ପଦ୍ମ ବିଭୂଷଣ ସମ୍ମାନ ସହ ଡକ୍ଟରେଟ ଉପାଧି 

ପଣ୍ଡିତ ବିରଜୁ ମହାରାଜଙ୍କୁ କଥକ ନୃତ୍ୟ ଜଗତରେ ବିଶେଷ ଯୋଗ ପାଇଁ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ କାଳିଦାସ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ଏବଂ ଖେରାଗଡ଼ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିରଜୁ ମହାରାଜଙ୍କୁ ଡକ୍ଟରେଟ ଉପାଧି ଦିଆଯାଇଥିଲ। ଏହା ସହ ତାଙ୍କୁ ଅନେକ ସମ୍ମାନ ପ୍ରାପ୍ତ ହୋଇଛି।

‘‘ମହାନ କଥକ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କ ବିୟୋଗ ନୃତ୍ୟ ଏବଂ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଆମେ କଳା ଜଗତର ଜଣେ ପ୍ରତିଭା ନୁହେଁ ବରଂ ଜଣେ ସଂସ୍ଥାକୁ ହରାଇଛୁ। ବିରଜୁ ମହାରାଜଙ୍କ ମୃତ୍ୟୁ କଳା ଜଗତ ପାଇଁ ଅପୂରଣୀୟ କ୍ଷତି,’’ କହିଛନ୍ତି ବଲିଉଡ ଗାୟକ ଅଦନାନ ସାମି।

ଦେବଦାସ ଏବଂ ବାଜୀରାଓ ମସ୍ତାନୀ ଭଳି ହିଟ୍ ଫିଲ୍ମରେ ନୃତ୍ୟ ସଂଯୋଜନା କରିଥିଲେ ବିରଜୁ ମହାରାଜ 

ଦେବଦାସ, ଦେଢ଼ ଇକ୍ସିଆଁ, ଉମରାଓ ଜାନ ଏବଂ ବାଜି ରାଓ ମସ୍ତାନୀ ଭଳି ହିଟ୍ ବଲିଉଡ ଫିଲ୍ମ ପାଇଁ ନୃତ୍ୟ ସଂଯୋଜନା କରିଥିଲେ ବିରଜୁ ମହାରାଜ। ଏହା ସହ ସେ ସତ୍ୟଜିତ ରାୟଙ୍କ ଫିଲ୍ମ ‘ଶତରଞ୍ଜ କେ ଖିଲାଡି’ରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ବିରଜୁ ମହାରାଜ ୨୦୧୨ ମସିହାରେ ‘ବିଶ୍ଵରୂପମ’ ଫିଲ୍ମରେ ନୃତ୍ୟ ସଂଯୋଜନା ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ କରିଥିଲେ। ଏହା ପରେ ୨୦୧୬ରେ ବାଜିରାଓ ମସ୍ତାନୀର ‘ମୋହେ ରଙ୍ଗ ଦୋ ଲାଲ’ ଗୀତ ପାଇଁ କୋରିଓଗ୍ରାଫି ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।

Comment