ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ – ୨୦୧୯। ଏହି ଉତ୍ସବକୁ ଉଦଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜନ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ‎ଦଳେଇ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶୀ ଓ କଥ ନୃତ୍ୟରେ ଦର୍ଶକ ଝୁମିଥିଲେ।

ପ୍ରଥମ ପ୍ରସ୍ତୁତିରେ ସୃଜନର ଶିଳ୍ପୀମାନେ ମଂଚସ୍ଥ କରିଥିଲେ ‘ବନ୍ଦେ ସୂର୍ଯ୍ୟମ୍’। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଶିଳ୍ପୀମାନେ ଆଦିତ୍ୟ ନାରାୟଣଙ୍କ ଅର୍ଚ୍ଚନା କରିବା ପରେ ହଂସଧ୍ୱନୀ ପଲ୍ଲବୀ ଶୁଦ୍ଧ ନୃତ୍ୟକୁ ବାଢି ଦେଇଥିଲେ। ଏହାପରେ ଶକ୍ତିଙ୍କ ବିବିଧ ସ୍ୱରୂପକୁ ନେଇ ପ୍ରସ୍ତୁତି ହୋଇଥିଲା ଭଗବତୀ ସ୍ତୋତ୍ରମ। ସୃଜନର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ବନ୍ଦେ ମାତରମ୍‌’।

ଦ୍ୱିତୀୟ ଚରଣରେ ସୁପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ସମା ଭଟ୍ଟେ ‘ସୂର୍ଯ୍ୟ ବନ୍ଦନା’ ପ୍ରସ୍ତୁତ କରିଥିବା ବେଳେ ତାଳ-ରୂପକ ଆଧାରିତ ଶୁଦ୍ଧ ନୃତ୍ୟକୁ ବାଢି ଦେଇଥିଲେ। ପରବର୍ତ୍ତି ନିବେଦନରେ କାଳୀୟ ମର୍ଦ୍ଧନକୁ ଉପସ୍ଥାପନ କରିଥିଲେ କଥକ ନୃତ୍ୟାଙ୍ଗନା। ଚତୁରଙ୍ଗର ଶୁଦ୍ଧରୂପକୁ ନୃତ୍ୟ ଛନ୍ଦରେ ତୋଳି ଧରିଥିଲେ ଶିଳ୍ପୀଗଣ।

ଡକ୍ଟର ସାଧନା ଶୀବାସ୍ତବ ଓ ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିବା ବେଳେ ଡକ୍ଟର ସଂଗୀତା ଗୋସାଇଁ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।

ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଉଦ୍‌ଘାଟିତ ହୋଇଛି। ଚଳିତବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆର୍ୟଲାଣ୍ଡ, ଡେନ୍‌ମାର୍କ, ଋଷିଆ, କାନାଡା, ଟଗୋ ଓ ଶ୍ରୀଲଙ୍କାରୁ ଶିଳ୍ପୀମାନେ ନିଜ ପ୍ରତିଭା ଦେଖାଇବେ। ସେହିପରି ଦେଶ ଭିତରୁ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ବାଲୁକାକଳା ଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି।

Comment