ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣାରେ ପାଳିତ ହେଉଛି କୋଣାର୍କ ଉତ୍ସବ।

ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ଦର୍ଶକଙ୍କ ମନ ମୋହିଛି। ତା’ସହ ଚନ୍ଦ୍ରଭାଗ ବେଳାଭୂମିରେ ହୋଇଥିବା ବାଲୁକାକଳା ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛି।

ଶୁକ୍ରବାର ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟାୟରେ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ରନନ୍‍ ଅନୁଷ୍ଠାନର ଶିଳ୍ପୀ। ପଦ୍ମଶ୍ରୀ ରାଣୀ କର୍ଣ୍ଣାଙ୍କ ସଂଯୋଜନାରେ ଶାସ୍ତ୍ରୀୟ କଥକ ନୃତ୍ୟର ମହାର୍ଘ ପରମ୍ପରା, ବିବିଧତା ଓ ପ୍ରାଚୁର୍ଯ୍ୟର ଗାଥାକୁ ତୋଳି ଧରିଥିଲା ଅଭିନୟ ବୈଚିତ୍ର‌୍ୟ।

ପ୍ରଥମ ଅର୍ଘ୍ୟ ରାସରେ ରାଧା-କୃଷ୍ଣଙ୍କ ମିଳନର ଅବତାରଣା ହୋଇଥିବା ବେଳେ ଦ୍ୱିତୀୟ ପ୍ରସ୍ତୁତିରେ ୧୧ ମାତ୍ରା ଯୁକ୍ତ ରୁଦ୍ରତାଳ ୧୬ ମାତ୍ରା ଯୁକ୍ତ ତିନ୍‍ ତାଲ ଆଧାରରେ ଶ୍ରୀକୃଷ୍ଣଙ୍କ ଚକ୍ରଧାରଣ ସ୍ୱରୂପକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀ। ବିକ୍ରମ ଆୟେଙ୍ଗର, ଦେବଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ସହ ରନନ୍‍ର ଶିଳ୍ପୀସମୂହଙ୍କ ଅନ୍ତିମ ପ୍ରସ୍ତୁତିରେ ସୂର୍ଯ୍ୟଙ୍କ ଆବାହନୀ ଦିବାକର ମଞ୍ଚସ୍ଥ ହୋଇଥିଲା।ଦ୍ୱିତୀୟ ଚରଣରେ ଓଡ଼ିଶୀକୁ ନେଇ ଆସିଥିଲେ ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀ ଗଣ। ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା କୃଷ୍ଣ ଓ କାଳୀଙ୍କ ଅଭେଦ ତତ୍ତ୍ୱ ଆଧାରିତ କୃଷ୍ଣକାଳୀ। ଗୁରୁ ରାମହରି ଦାସଙ୍କ ସଙ୍ଗୀତ ସଂଯୋଜନା ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳବାଦ୍ୟ ରଚନାକୁ ନେଇ ଏହା ହୋଇଥିଲା ସଜ୍ଜିତ। ପରେ ପରେ ରୁଦ୍ରାକ୍ଷ ଫାଉଣ୍ଡେସନ ପ୍ରସ୍ତୁତିରେ ମହାଭାରତର ଚକ୍ରବ୍ୟୁହ ପ୍ରସଙ୍ଗର ଅବତାରଣା ବୀର ରସ ଓ କରୁଣ ରସର ମିଶ୍ରଭାବକୁ ତୋଳି ଧରିଥିଲା। ଗୁରୁ ସଦାଶିବ ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଶିଳ୍ପୀମାନଙ୍କ ଅଭିନୟ ଏକ ଆବେଗମୟ ଅନୁଭବ ଦେଇଥିଲା।

ଶୁକ୍ରବାର ସଂଧ୍ୟାର ଅତିଥିଭାବେ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ କୁମାର ତ୍ରିପାଠୀ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଯୋଗଦେଇଥିଲେ।

ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ତାଙ୍କୁ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସହ ଡକ୍ଟର ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ସହଯୋଗ କରିଥିଲେ।

Comment