ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ଆୟୋଜିତ ହୋଇଯାଇଛି। କୋଭିଡ଼ କଟକଣା ଭିତରେ ଆୟୋଜିତ ଏହି ଉତ୍ସବ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିପାରିଛି।

ବୁଧବାର ଉତ୍ସବର ପ୍ରଥମ ଚରଣରେ ମଣିପୁରୀ ନୃତ୍ୟ ଉପସ୍ଥାପିତ ହୋଇଥିଲା। ବୈଷ୍ଣବ ଚେତନାର ପୃଷ୍ଠଭୂମିରେ ବର୍ଷାକୁ ନେଇ ନାୟକ ନାୟିକାଙ୍କ ପ୍ରେମ, ଶକ୍ତି ଓ ମିଳନର ଭାବକୁ ନୃତ୍ୟ ମାଧ୍ୟମରେ ପରସିଥିଲେ ଶିଳ୍ପୀ। ଗୁରୁ ବିମ୍ବାବତୀ ଦେବୀଙ୍କ ସଂରଚନାରେ ପ୍ରସ୍ତୁତ ମଣିପୁରୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା।ଏହାପରେ ଶର୍ମିଲା ମୁଖାର୍ଜୀଙ୍କ ସଂଜଳୀ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟର ବିବିଧତାକୁ ନେଇ ପ୍ରସ୍ତୁତି କରିଥିଲେ ସୂର୍ଯ୍ୟ ବନ୍ଦନା। ସକଳ ଭକ୍ତିର ଆଧାର ସୂର୍ଯ୍ୟଦେବଙ୍କ ସ୍ତୁତିକୁ ନେଇ ପ୍ରଭାତ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ପ୍ରଦୋଷ ସୂର୍ଯ୍ୟ ଉପସ୍ଥାପିତ ହୋଇଥିଲା। ଓଡ଼ିଶୀ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତି ଥିଲା ଶୁଦ୍ଧନୃତ୍ୟ ପଲ୍ଲବୀ, ଯାହା ରାଗ ଝିଂଝୋଟି ଓ ତାଳ ଏକତାଳୀରେ ନିବଦ୍ଧ ଥିଲା।KONARK FESTIVAL

ପରେ ପରେ ଶିଶିର ସ୍ନାନ ଓ ସୁଷମାକୁ ନେଇ ଶିଶିରଗିତମ୍‍ ପରିବେଷଣ ହୋଇଥିଲା। ମହାକବି କାଳିଦାସଙ୍କ ଋତୁ ସଂହାରକୁ ନେଇ ପ୍ରସ୍ତୁତ ଏହି ନୃତ୍ୟାଭିନୟ ପରିବେଶ ଓ ପ୍ରକୃତିର ପ୍ରଭାବକୁ ଚିତ୍ରିତ କରାଯାଇଥିଲା। ଅନ୍ତିମ ଉପସ୍ଥାପନାରେ ମୋକ୍ଷର ମଞ୍ଚାୟନ ଆସରକୁ ପୂର୍ଣ୍ଣତା ଦେଇଥିଲା।

ବୁଧବାର ସନ୍ଧ୍ୟାରେ ଅତିଥିଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍‍ କୁମାର ସାମଲ, ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Comment