ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆସନ୍ତା ଡିସେମ୍ବର ପହିଲାରୁ କୋଣାର୍କଠାରେ ଆରମ୍ଭ ହେବାକୁ ଥିବା କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ପ୍ରବଳ ଜନ ସମାଗମ ଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହି ଦୁଇ ମହୋତ୍ସବକୁ ବନ୍ଦ କରିବା ପାଇଁ ଆବେଦନକାରୀ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି।

ଆସନ୍ତା ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିସହ ସେହି ସମୟରେ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ମଧ୍ୟ ଆୟୋଜିତ ହେବ।କରୋନାର ଦ୍ଵିତୀୟ ଲହରୀ ନେଇ ସବୁଆଡ଼େ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଏହି ଦୁଇଟି ମହୋତ୍ସବ ପାଇଁ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଜନ ସମାଗମ ହେବାର ସମ୍ଭାବନା ରହିଛି। ଫଳରେ କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଆବେଦନକାରୀ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ସମାଜସେବୀ ବୃନ୍ଦାବନ ଦାସ ଆଜାଦ ଏହି ମାମଲା ରୁଜୁ କରିଛନ୍ତି। ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, କୋଣାର୍କ ନାଟ୍ୟ ମଣ୍ଡପରେ ଏହି ମହୋତ୍ସବ ଅବସରରେ ନୃତ୍ୟ କାର୍ଯ୍ୟକ୍ରମ ହୋଇଥାଏ। ଯେଉଁଥିରେ ସମଗ୍ର ଦେଶର ପ୍ରାୟ ୨୫ଟି ରାଜ୍ୟରୁ କଳାକାରମାନେ ଭାଗ ନେଇଥାନ୍ତି। ପ୍ରତି ରାଜ୍ୟରୁ ଯଦି ଅତି କମ୍‌ରେ ୨୦ ଜଣ ନୃତ୍ୟଶିଳ୍ପୀ ଆସନ୍ତି ତାହେଲେ ଏମାନଙ୍କ ସଂଖ୍ୟା ୫୦୦ ଟପିଯିବ। କୋଣାର୍କ ନାଟ୍ୟ ମଣ୍ଡପରେ ୨ହଜାର ପର୍ଯ୍ୟନ୍ତ ଦର୍ଶକ ବସିପାରିବେ। ଯଦିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ୫୦ ପ୍ରତିଶତ ଦର୍ଶକଙ୍କୁ ବସିବାକୁ ଅନୁମତି ମିଳେ ତାହେଲେ ଏଠାରେ ହଜାରେ ପର୍ଯ୍ୟନ୍ତ ଦର୍ଶକ ଏକତ୍ରିତ ହେବେ।Konark Festival 2019କିନ୍ତୁ କୌଣସି ବାହାଘର ବା ଉତ୍ସବରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ଲୋକ ଏକତ୍ରିତ ହୋଇପାରିବେ ବୋଲି ନିୟମ ରହିଛି। ଏପରିକି କେତେକ ସହରରେ ୧୦୦ ଭିତରେ ଲୋକ ଏକତ୍ରିତ ହୋଇପାରିବେ ବୋଲି କଟକଣା ଲାଗୁ କରାଯାଇଛି। ତେଣୁ କୋଣାର୍କ ମହୋତ୍ସବରେ ଏତେ ଲୋକଙ୍କୁ କିପରି ଅନୁମତି ଦିଆଯିବ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି।

ଏଥିସହ ଆନ୍ତର୍ଜାତିକ ବାଲୁକା ଶିଳ୍ପ କଳାରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଭାଗ ନେବେ। ଶେଷ ଅନ୍‌ଲକ୍‌ରେ ସ୍ୱତନ୍ତ୍ର ରିଲିଫ୍ କମିସନର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକଣା ଲାଗୁ କରାଯାଇଛି। ଆସନ୍ତା ଅନ୍‌ଲକ୍ ପ୍ରକ୍ରିୟା ବେଳକୁ କଟକଣା କେତେଦୂର ରହିବ ତାହା ମଧ୍ୟ ଜଣାପଡ଼ିନାହିଁ। ବର୍ତ୍ତମାନ ଦେଶର ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯଦି ଏହି ମହୋତ୍ସବ ଅନୁଷ୍ଠିତ ହୁଏ ତାହେଲେ ବାହାର ରାଜ୍ୟରୁ କଳାକାରମାନେ ଆସୁଥିବାରୁ କରୋନା ସଂକ୍ରମଣ ଅଧିକ ବ୍ୟାପିବା ନେଇ ଆଶଙ୍କା ରହିଛି।

କିଛିଦିନ ତଳେ କରୋନାର ଦ୍ଵିତୀୟ ଲହରୀକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରାଇଥିଲେ। କିନ୍ତୁ ଏସବୁକୁ ଏଡ଼ାଇ ଦେଇ ପର୍ଯ୍ୟଟନ ବିଭାଗ କିପରି ଏହି ମହୋତ୍ସବ କରିବା ଲାଗି ଅନୁମତି ଦେଇଛି ତାହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ମହୋତ୍ସବକୁ ବନ୍ଦ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବପ୍ରସାଦ ମହାନ୍ତି ମାମଲା ରୁଜୁ କରିଛନ୍ତି।

Comment