ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣାରେ ପାଳିତ ହେଉଛି କୋଣାର୍କ ଉତ୍ସବ।

ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରୁ କୁଚିପଡ଼ି ଏବଂ ଓଡ଼ିଶୀ ନୃତ୍ୟକୁ ଦେଖି ବିଭୋର ହୋଇଛନ୍ତି ଦର୍ଶକ। ତା’ସହ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ ଓ କରୋନା ସଚେତନତାକୁ ନେଇ ହୋଇଥିବା ବାଲୁକା କଳା ମଧ୍ୟ ସମସ୍ତଙ୍କ ମନକୁ ଛୁଇଁପାରିଛି।

ଗୁରୁବାର କୋଣାର୍କ ଉତ୍ସବର ଥିଲା ତୃତୀୟ ସନ୍ଧ୍ୟା। ପ୍ରଥମ ଚରଣରେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଞ୍ଚପ୍ରବେଶ କରିବା ସହ ମଧୁଲିତା ମହାପାତ୍ରଙ୍କ ନୃତ୍ୟ ସଂଯୋଜନାରେ ଶକ୍ତିଙ୍କ ବିବିଧ ପ୍ରକାଶକୁ ନେଇ ପରିବେଷଣ କରିଥିଲେ ଇଶ୍ୱରୀ। ଦ୍ୱିତୀୟ ପ୍ରସ୍ତୁତିରେ ମଧୁଲିତାଙ୍କ ନୃତ୍ୟାନ୍ତର ଅନୁଷ୍ଠାନର ଶିଳ୍ପୀମାନେ ଶୁଦ୍ଧ ନୃତ୍ୟ ମହ୍ଲାରପଲ୍ଲବୀ ବାଢିଦେଇଥିବା ବେଳେ କାଳିଦାସଙ୍କ ଋତୁ ସଂହାର ପୃଷ୍ଠଭୂମିରେ ଶିଳ୍ପୀଙ୍କ ବର୍ଷା ଅଭିସାର ଦର୍ଶକଙ୍କୁ ବିଭୋର କରିଥିଲା। ଓଡ଼ିଶୀର ଅନ୍ତିମ ଅଧ୍ୟାୟରେ ଉପସ୍ଥାପିତ ହୋଇଥିଲା ହରିସ୍ମରଣେ।

ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇରୁ ଆସିଥିବା କଳା ସମର୍ପଣ ପ୍ରତିଷ୍ଠାନର ଶିଳ୍ପୀମାନେ କୁଚିପୁଡ଼ି ଶାସ୍ତ୍ରୀୟ ପରମ୍ପରାରେ ନୃତ୍ୟାଭିନୟ ଶିବଲୀଳା ପରିବେଷଣ କରିଥିଲେ। ପୌରାଣିକ ପୃଷ୍ଠଭୂମିରେ ଭଗବାନ ଶଙ୍କରଙ୍କ ବିବିଧ ଲୀଳାକୁ ନେଇ ଉପସ୍ଥାପିତ ହୋଇଥିଲା କ୍ଷୀର ସାଗର ମଥନମ୍‍, ମନ୍ମଥଭଂଗମ୍‍ ଓ ଆନନ୍ଦ ତାଣ୍ଡବମ୍‍। ଶିବପୁରାଣ ଆଧାରରେ ପ୍ରତିଟି ଉପସ୍ଥାପନାକୁ ନିଖୁଣ ଭାବରେ ବାଢିଦେଇଥିଲେ କୁଚିପୁଡ଼ି ଶିଳ୍ପୀ। ଏହାର ନୃତ୍ୟ ସଂଯୋଜନା କରିଥିଲେ ବସନ୍ତଲକ୍ଷ୍ମୀ ନରସିଂହାଚାରୀ।

ଗୁରୁବାର ସଂଧ୍ୟାର ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର  ବାଲକ୍ରିଷ୍ଣନ୍‍ ଏବଂ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଲ କୁମାର ଦେବ।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଅଜୟ କୁମାର ରାଉତ, ସରୋଜ କୁମାର ଜେନା, ସୁଶାନ୍ତ କୁମାର ପାଣିଗ୍ରାହୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନଙ୍କ ସହ ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ କୁମାର ରଥ ପରିଚାଳନାରେ ସହାୟତା ଦେଇଥିଲେ। ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Comment