ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଓ ଓଡ଼ିଶୀ ନୃତ୍ୟରେ ବିଭୋର ହେଲେ ଦର୍ଶକ।

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଛି କଥକ ଏବଂ ଓଡ଼ିଶୀ ନୃତ୍ୟ। କଥକରେ ରାଧା-କୃଷ୍ଣ ବିଳାସ ନୃତ୍ୟ ପରିବେଷଣ ହୋଇଥିଲା ଏବଂ ଓଡ଼ିଶୀରେ ଶିବ-ପାର୍ବତୀ ପରିବେଷଣ କରାଯାଇଥିଲା।

ଏହାର ଦ୍ୱିତୀୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ବିଜୟ କୁମାର ଜେନା ଓ ସଙ୍ଗୀତା ଗୋସାଇଁ।

ଉଦ୍‌ଘାଟନ ପର୍ବ ପରେ ଆରମ୍ଭ ହୋଇଥିଲା ନୃତ୍ୟ ପରିବେଷଣ। କଥକ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ତାଳ, ଲୟ, ଛନ୍ଦ ଓ ରସରେ ମୁକ୍ତାକାଶ ରଙ୍ଗମଞ୍ଚକୁ ହିଲ୍ଲୋଳିତ କରିଥିଲା। ରଙ୍ଗିନ୍‌ ଆଲୋକରେ ଓ ସାଜ ସଜ୍ଜାରେ ଆଖି ଝଲସି ଯାଉଥିବା ବେଳେ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ପରିବେଷଣ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା। ଏହାକୁ ପ୍ରଥମ ପ୍ରସ୍ତୁତିରେ କଥକ ଶିଳ୍ପୀ ୟୁସ୍ମିନ୍ ସିଂ ଓ ସାଥୀଙ୍କ ପରିବେଷଣ ଥିଲା ଦି ଡିଭାଇନ କୃଷ୍ଣ। ଗୋପାଙ୍ଗନା ପରିବେଷ୍ଟିତ ରାଧା-କୃଷ୍ଣଙ୍କ ରାସ ମାଧ୍ୟମରେ ଜୀବ ଓ ପରମଙ୍କ ମିଳନର ଅବତାରଣା ଦେଇଥିଲା ନୃତ୍ୟ ସ୍ତବକ।

ପରେ ପରେ ପ୍ରକୃତି ଓ ପୁରୁଷର ମିଳନ ଆଧାରିତ ସୃଷ୍ଟି ତତ୍ୱକୁ ନେଇ ଶିବ ଓଁ ଓ ଶକ୍ତି ସ୍ୱରୂପ ଶିବ ଓ ଶକ୍ତିଙ୍କ ସମ୍ମିଳିତ ଚେତନାର ବିବିଧ ସ୍ୱରୂପକୁ ବଖାଣିଥିଲେ। କଥକର ଅନ୍ତିମ ପ୍ରସ୍ତୁତିରେ ଥିଲା ଅନୁଭୂତି ଯାହା ରାୟଗଡ଼ ରାଜପରିବାର ସୃଷ୍ଟ କଥକର ସ୍ୱତନ୍ତ୍ର ବିଭାବକୁ ବ୍ୟକ୍ତ କରିଥିଲେ। ପୁରାଣ, ଇତିହାସ ଓ ସାଂପ୍ରତିକ କଳାକୃତିର ମିଳିତ ରୂପକୁ ପରଶି ଦେଇଥିବା କଥକ ନୃତ୍ୟରେ ଗୀତ-ବାଦ୍ୟ ଓ ନୂପୁରର ଛନ୍ଦରେ ଆବେଗ ଭରି ଦେଇଥିଲେ ୟୁସ୍ମିନ ସିଂ ଓ ଶିଳ୍ପୀଗଣ।

କତକ ପରେ ମୁକ୍ତାକାଶ ମଞ୍ଚରେ ପରିବେଷଣ କରାଯାଇଥିଲା ଓଡ଼ିଶୀ। ଏହାକୁ ନେଇ ମଞ୍ଚକୁ ପ୍ରବେଶ କରିଥିଲେ ପ୍ରଖ୍ୟାତ ନୃତ୍ୟାଙ୍ଗନା ଶର୍ମିଲା ବିଶ୍ୱାସ ଓ ସାଥୀ ଶିଳ୍ପୀ। ଶିବ-ପାର୍ବତୀ ଶବ୍ଦରେ ତାଣ୍ଡବ ଓ ଲାସ୍ୟର ଯୁଗଳବନ୍ଦୀ ସୃଷ୍ଟି କରିବା ପରେ କୋଲକତାର ଓଡିଶୀ ଭିଜନ୍ ଆଣ୍ଡ ମୁମେଣ୍ଟ ସେଣ୍ଟରର ଶିଳ୍ପୀବୃନ୍ଦ ପ୍ରସ୍ତୁତ କରିଥିଲେ କଳାଶ୍ରୀ ପଲ୍ଲବୀ। ଏହାପରେ ନୃତ୍ୟରତ ଶିଳ୍ପୀର ଶୃଙ୍ଗାର ଓ ଆନନ୍ଦମୟ ଭାବକୁ ବାଢ଼ି ଦେଇଥିଲେ ଶିଳ୍ପୀମାନେ।

ଦ୍ୱିତୀୟ ଦିବସରେ ମୃତ୍ୟୁଞ୍ଜୟ ରଥ ଓ ସାଧନା ଶ୍ରୀବାସ୍ତବ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ପଣ୍ଡିତ ଅନ୍ତର୍ଯ୍ୟାମି ମିଶ୍ର, ଗବେଷକ ସୁରେନ୍ଦ୍ର କୁମାର ମିଶ୍ର, ଅରୁନ୍ଧତୀ ଦେବୀ ଓ ଅବଦୁଲ ଓସିଦ ଖାଁ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ମୁଖ୍ୟ ବକ୍ତା ଥିଲେ। ଧରମାର ଚତୁର୍ଥ ସଂସ୍ମରଣର ଉନ୍ମୋଚନ ହେବା ସହ କଳ୍ପନା ମିଶ୍ରଙ୍କ ପୁସ୍ତକ ସୁନାର ହସ, ହରପ୍ରିୟା ସାହୁଙ୍କ ଇଶ୍ୱରଙ୍କୁ ଖୋଜି ଖୋଜି ଓ ପ୍ରଭାତ ଚନ୍ଦ୍ର ରଥଙ୍କ ବାଳୁତ ସ୍ଥପତିର ଲୋକାର୍ପଣ ହୋଇଥିଲା। କୋଣାର୍କ ସାହିତ୍ୟ ସଂସଦ ତରଫରୁ ପଣ୍ଡିତ ଆନ୍ତର୍ଜ୍ୟାମି ମିଶ୍ର, ଡ. ସୁରେନ୍ଦ୍ର କୁମାର ମିଶ୍ର, ପ୍ରଦୀପ କୁମାର ବିଶ୍ୱାଳ, ଡ. ଜ୍ୟୋସ୍ନାରାଣୀ ମିଶ୍ର, କବି ଉମାକାନ୍ତ ମହାପାତ୍ର, ଏନ୍ ଏ. ସାହା ଆନ୍ସାରୀ ଓ ବ୍ୟଙ୍ଗ ଗୋସେଇଁ ଅମ୍ଲାନ ପ୍ରହରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିଗଣ ସ୍ୱରଚିତ କବିତା ପାଠ କରିଥିଲେ।

Comment