ଓଡ଼ିଶାଲାଇଭ୍ ବ୍ୟୁରୋ

ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତ ମହିଳା ହେଲେ କଟକ ଶ୍ରୀବିହାର କଲୋନୀର ପରେଶ କୁମାରୀ ଦେବୀ(୭୫)। ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡ଼ିଛି। ଡିସିପି ପ୍ରତୀକ ସିଂ, ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

ବୁଧବାର ସକାଳେ ପରେଶ ଦେବୀ ଓ ଗୋପାଳ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୋପାଳ ଏକ ଧାରୁଆ କଟୁରୀରେ ପରେଶ ଦେବୀଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ପରେଶ ଦେବୀଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ସମ୍ପର୍କରେ ମୃତକଙ୍କ ଝିଅ ଜୟନ୍ତୀ ସାମନ୍ତରାୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଆର୍ଥିକ ସମସ୍ୟାକୁ ନେଇ ମା’-ପୁଅଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯିବା ସହ ଅଭିଯୁକ୍ତ ଗୋପାଳକୁ ଅଟକ ରଖି ପଚରା ଉଚରା କରାଯାଉଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Comment