ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଏଥର ରଜରେ ଓଲିଉଡ୍‌ର ରୋମିଓ ବୟ ବାବୁସାନ ଦର୍ଶକଙ୍କ ପାଇଁ ଏକ ଭିନ୍ନ ଧରଣର ସିନେମା ନେଇ ଆସୁଛନ୍ତି। ଫିଲ୍ମର ନାଁ ରହିଛି ‘ଦମନ’। ଓଡ଼ିଶାର ବିଛିନ୍ନାଞ୍ଚଳ କୁହାଯାଉଥିବା ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ରୋଗକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ଵାସ ଏବଂ ଜଣେ ଡାକ୍ତରଙ୍କ ପ୍ରୟାସ ଦ୍ଵାରା କିପରି ଏହି ଅନ୍ଧବିଶ୍ଵାସ ହଟି ପାରୁଛି, ସେହି କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି।

ସବୁବେଳେ ଚକ୍‌ଲେଟ୍ ହିରୋ ଭୂମିକାରେ ନଜର ଆସୁଥିବା ଅଭିନେତା ବାବୁସାନ ମହାନ୍ତି ଏଥିରେ ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅଭିନେତା ଦିପାନ୍ଵିତ ଦାସମହାପାତ୍ର ତାଙ୍କ ସହ କଳାକାର ଭାବେ ଏଥିରେ ନଜର ଆସିବେ।ଜେପି ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟିରେ ଦିପେନ୍ଦ୍ର ସାମଲ ପ୍ରଯୋଜକ ଦାୟିତ୍ଵରେ ରହିଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା।ଜାନୁଆରି ୨୬, ସାଧାରଣତନ୍ତ୍ର ଦିବସରେ ଦମନର ଟ୍ରେଲର ରିଲିଜ୍ ହୋଇଛି। ଏକ ଭିନ୍ନ ଧରଣର କାହାଣୀ ହୋଇଥିବାରୁ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି। କୋଭିଡ୍ ପାଇଁ ଓଡ଼ିଆ ଫିଲ୍ମ ନିର୍ମାଣ କମି ଯାଇଥିବା ବେଳେ କିଛି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ହେଲେ ଦମନ ଏଥର ରଜ ବଜାରରେ ସିନେମା ହଲରେ ରିଲିଜ୍ ହେବାକୁ ଥିବାରୁ ଦର୍ଶକମାନେ ଉତ୍ସାହିତ ଅଛନ୍ତି।

Comment