ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ବିଜେପି ସରକାର ଗରିବ ଜନସାଧାରଣଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଥିଲେ ମଧ୍ୟ ଓଡ଼ିଶାର ବିଜେଡି ସରକାର ରାଜ୍ୟବାସୀଙ୍କୁ ସେସବୁ ଯୋଜନାରୁ ବଞ୍ଚିତ କରି ରଖିଛନ୍ତି। ରାଜ୍ୟରେ ଆଜି ଯେତିକି ବିକାଶ ହୋଇଛି ତାହା କେନ୍ଦ୍ର ସରକାରଙ୍କ କାରଣରୁ ସମ୍ଭବ ହୋଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ। ଶୁକ୍ରବାର ଦିନ ଆୟୋଜିତ ସାମ୍ଵାଦିକ ସମ୍ମିଳନୀରେ ‘ଲୋକଙ୍କ ଅଭିଯୋଗ – ଅପାରଗ ରାଜ୍ୟ ସରକାର’ ଶୀର୍ଷକ ଅଭିଯୋଗ ସମ୍ବଳିତ ପତ୍ରକୁ ଉନ୍ମୋଚନ କରି ବିଜେଡି ସରକାର ଉପରେ ଖୁବ୍ ବର୍ଷିଛନ୍ତି ପୁରନ୍ଦେଶ୍ୱରୀ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେପି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି। ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଡି. ପୁରନ୍ଦେଶ୍ୱରୀ ଭୋଟରମାନଙ୍କୁ ଆହ୍ଵାନ ଦେଇଛନ୍ତି।ପୁରନ୍ଦେଶ୍ଵରୀ ଅଭିଯୋଗ କରିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣାରେ ମିଳୁଥିବା ବାସଗୃହ ପାଇଁ ଗରିବ ହିତାଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡୁଛି। ଓଡ଼ିଶାରେ ୧୪ ପ୍ରତିଶତ ଲୋକେ ଏବେ ବି ପଲିଥିନ ତଳେ ରହୁଛନ୍ତି। ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ଜିଲ୍ଲାରେ ମଧ୍ୟ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇ ନାହାନ୍ତି।”

ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିବା ବେଳେ ଓଡ଼ିଶାର ଭୋଟରମାନଙ୍କ ଆଗରେ ବିଜେଡି ସରକାରଙ୍କ ବିଫଳତାକୁ ଦର୍ଶାଇବା ପାଇଁ ଏକ ଲମ୍ବା ଚିଠା ପଢ଼ିଛନ୍ତି ପୁରନ୍ଦେଶ୍ୱରୀ। ସେ କହିଛନ୍ତି ଯେ, “ବିଜେଡି ସରକାରଙ୍କ ୨୨ ବର୍ଷ ଶାସନରେ ରାଜ୍ୟର ୨୨ ପ୍ରତିଶତ ଜମି ଜଳସେଚିତ ହୋଇପାରିନାହିଁ। ରାଜ୍ୟରେ ଆଳୁ ପିଆଜ ମିଶନ ବିଫଳ ହୋଇଛି। ନିତି ଆୟୋଗଙ୍କ ରିପୋର୍ଟ ଅନୁସାରେ କେନ୍ଦ୍ରର ମୋଦୀ ସରକାର ହଜାର ହଜାର କୋଟିର ଆର୍ଥିକ ସହାୟତା ଓଡ଼ିଶାକୁ ଯୋଗାଉଥିଲେ ମଧ୍ୟ ଓଡ଼ିଶାରେ ୩୦ ପ୍ରତିଶତ ଜନସାଧାରଣ ଏବେ ବି ଗରିବ। ଓଡ଼ିଶାର ଏକ ତୃତୀୟାଂଶ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି।”ପୁଷ୍ଟିହୀନତା ହେତୁ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ସାରା ଭାରତରେ ତଳପଟୁ ସପ୍ତମ ବୋଲି ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ଵରୀ। ସେହିପରି ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ଅଧିକାଂଶ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ କାହିଁକି ଏପର୍ଯ୍ୟନ୍ତ ତାହା ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡରେ ଥିବା ଅନିୟମିତାକୁ ନେଇ ପୁରନ୍ଦେଶ୍ଵରୀ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଓଡ଼ିଶାରେ ଅନେକ ଡାକ୍ତରଖାନା ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଗ୍ରହଣ ନ କରି ରୋଗୀଙ୍କୁ ଫେରାଇ ଦେଉଛନ୍ତି ବୋଲି ସେ କହିଛନ୍ତି।ଅନ୍ୟପକ୍ଷେ ‘ବିଜୁ ଯୁବ ବାହିନୀ’ ବନ୍ଦ ହେବା ଏବଂ ‘ପିଠା’ଯୋ‌ଜନା ଓ ‘ଆମ ଗାଁ, ଆମ ବିକାଶ’ଯୋଜନା ଏବେ ରାଜ୍ୟରୁ କାହିଁକି ଉଭାନ୍‌ ହୋଇଯାଇଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି।

ସେହିଭଳି ରାଜ୍ୟରେ ମହିଳାଙ୍କୁ ନିର୍ଯାତନା, ଅବ୍ୟବସ୍ଥିତ ଆଇନ ଶୃଙ୍ଖଳା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରିଥିବା ପୁରନ୍ଦେଶ୍ଵରୀ ଅଭିଯୋଗ କରିଛନ୍ତି। ତେଣୁ ଜନସାଧାରଣ ଏକାଠି ହୋଇ ଶକ୍ତିଶାଳୀ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଜିତାଇବାର ସମୟ ଆସିଛି ବୋଲି ସେ ଆହ୍ଵାନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

Comment