ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ବଡ଼ ବଡ଼ ଘୋଷଣା କରାଯାଇଥିବାବେଳେ ସବୁକ୍ଷେତ୍ରରେ ଓଡ଼ିଶାକୁ ନିରାଶ କରାଯାଇଛି। ରାଜ୍ୟ ପ୍ରତି କରାଯାଇଥିବା ଅନ୍ୟାୟକୁ କେନ୍ଦ୍ର ସରକାର ସୁଧାରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାକୁ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଅବହେଳା କରାଯାଇଛି। ସମଗ୍ର ଦେଶରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଅଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ବଜେଟରେ ଓଡ଼ିଶା ପାଇଁ କୌଣସି ଘୋଷଣା କରାଯାଇ ନାହିଁ। ସବୁବେଳେ ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରିଆସୁଛନ୍ତି।

ବଜେଟରୁ ଲାଭ ପାଇବାକୁ ଆଶା ରଖିଥିବା ସାଧାରଣ ଲୋକଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି। କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ବଜେଟରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ କୌଣସି ବିଶେଷ ଯୋଜନା କରାଯାଇ ନାହିଁ। ଅନ୍ୟ ପକ୍ଷରେ ଦରଦାମ ବୃଦ୍ଧି ଯୋଗୁଁ ଆଗକୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିବ।

“କୋଭିଡ ଯୋଗୁଁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାବେଳେ ମନରେଗା ବ୍ୟୟ ବରାଦ ହ୍ରାସ ଗରିବ ଲୋକ ସ୍ଥିତିକୁ ଆହୁରି ଦୟନୀୟ କରିବ। ଏହାଛଡ଼ା କୃଷି ବିକାଶ, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ବିକାଶ କ୍ଷେତ୍ରରେ ନିରାଶ ହେବାକୁ ପଡ଼ିବ। ଏଲପିଜି ସବସିଡି କମି ଥିବାରୁ ଏହା ମହିଳା ଏବଂ ଗୃହ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଇବ। ମହାମାରୀ ସମୟରେ ବ୍ୟୟବରାଦ ହ୍ରାସ ଦେଶର ବିକାଶକୁ ଏହା ପ୍ରଭାବିତ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ଚାଲିଥିବା ମାଣ୍ଡିଆ ବା ମିଲେଟ ମିଶନ ଯୋଗୁଁ ଅନେକ ଲୋକ ରୋଜଗାର କ୍ଷମ ହୋଇପାରିଛନ୍ତି। ଏହା କୁପୋଷଣ ଦୂର କରିବାରେ ବିଶେଷ ସହୟକ ହୋଇପାରିଛି। କେନ୍ଦ୍ର ବଜେଟରେ ମିଲେଟ ମିଶନକୁ ସ୍ଥାନ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଭିଡ ସମୟରେ ସ୍ଵାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ଟେକ୍ନୋଲୋଜି ଏବଂ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Comment