ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ। ଆଜି ମଧୁବାବୁଙ୍କ ମହାପ୍ରୟାଣ ତିଥିରେ ତାଙ୍କର ସେହି କାଳଜୟୀ କବିତାଗୁଡ଼ିକୁ ଶୁଣନ୍ତୁ। ପଢ଼ନ୍ତୁ।
ଜାତି ଇତିହାସ ଜାତିର ନିର୍ଝର…
ଜାତି ଇତିହାସ ଜାତିର ନିର୍ଝର
ତହୁଁ ବହେ ସଦା ଜାତି ପ୍ରାଣଧର
ସେ ଧାରରୁ ନୀର ପିଉଛି ଯେ ନର
ନିଶ୍ଚୟ ହେବ ସେ ଜାତି କର୍ମବୀର। (୧)
କଳ କଳ ରବେ ଛୁଟିଛି ସେ ଧାର
ଅତୀତ କୀରତି ଗାଇ ନିରନ୍ତର
ଭାବି କୀରତିର ଉଦୟେ ନାଚୁଛି
ଯଥା ଚନ୍ଦ୍ରୋଦୟେ ନାଚେ ରତ୍ନାକର। (୨)
ଧରା ମଧ୍ୟେ ବିଜେ ମୋହିନୀ ପ୍ରତିମା
ଦେଖ ଦେଖ ସେହି ଜନନୀ ତୋହର
କାନ ଡେରି ଶୁଣ ମାତା କହୁଛନ୍ତି
ଆସ ଆସ ବତ୍ସ୍ୟ ନୀର ପାନ କର। (୩)
ଏହି ନୀର ସେବି ବୀର ମୋ ସନ୍ତାନେ
ବୀର ପ୍ରସବିନୀ କ୍ଷୀର ଏହି ନୀର
ଛାଡ଼ରେ ଆଳସ୍ୟ ବଢ଼ାଅ ସାହସ
ଜାତି ନନ୍ଦିଘୋଷ କର ଅଗ୍ରସର। (ଶେଷ)
ମାଆ ମାଆ ବୋଲି କେତେ ମୁଁ ଖୋଜିଲି…
ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନ ଦେଲେ ଉତ୍ତର କେହି। (୧)
ଖୋଜିଲି ଅରଣ୍ୟ ଜନ ସମାଜରେ
ଖୋଜିଲି ବାରିଧି ତଟ
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ। (୨)
ଭୁବନେଶ୍ଵରରେ ପଦଚିହ୍ନ ପରେ
ଲେଖା ଅଛି ରାଜାରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁ ଜାତି ମଥା ମଣି। (୩)
ଶୁଣିଅଛି ଶାସ୍ତ୍ରେ ସତୀ ଅପମାନେ
ଧରା ହୁଏ ବିଦାରଣ
ଅପମାନ ହେତୁ ସୀତା ଦେବୀଙ୍କର
ମହୀ ହୃଦେ ବାସସ୍ଥାନ। (୪)
ଜନନୀର ଦେଖା କରିବାରେ ଇଚ୍ଛା
ଯଦି ହୋଇଥାଏ ମନେ
ଉତ୍କଳର ମାଟି ଆଲିଙ୍ଗନ କରି
ତା ଧୂଳି ଲେପ ବଦନେ। (୫)
ବୀର ପ୍ରସବିନୀ କୋଟି ସୁତ ମାତା
ପାଇବ କି ଦରଶନ
ମୋ’ ଭଳି ନିର୍ଗୁଣ ଧନ ମାନ ହୀନ
ସନ୍ତାନ କଲେ ରୋଦନ। (୬)
ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ଵଳିତ କର
ସ୍ଵାର୍ଥକୁ ଦିଅ ଆହୁତି
‘ସ୍ଵାର୍ଥମେଧ ଯଜ୍ଞେ’ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି। (୭)
ଭୂମିକମ୍ପ ହେବ ଧରଣୀ ଫାଟିବ
ଉଠିବେ ସହସ୍ର ଭୁଜା
ସେହି ତୋର ମାତା, ସେହି ତୋର ତ୍ରାତା
କର ସେହି ପାଦ ପୂଜା। (ଶେଷ)
ଉଠରେ ଉଠରେ ଉତ୍କଳ ସନ୍ତାନ…
ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହସ
ପଡ଼ିବ କି କେବେ ମନେ? (୧)
ତୋହର ଜନନୀ ବୀର ପ୍ରସବିନୀ
ଧୂଳିରେ ପଡ଼ିଛି ଦେଖ
ଜନ ସମାଜରେ, ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ? (୨)
ତୋଷାମୋଦ ଛାଡ଼ି ସ୍ଵାର୍ଥ ପରିହରି
ସତ୍ୟକୁ ଆଶ୍ରୟ କର
ଦୁଇଦିନ ପରେ ସ୍ଵାଧୀନ ରାଷ୍ଟ୍ରରେ
ମଙ୍ଗଳ ହୋଇବ ତୋର। (୩)
ତୋ ପୂର୍ବ ପୁରୁଷ ସ୍ଵର୍ଗଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ
ତାଙ୍କର ଜୀବନ କରି ବିସ୍ମରଣ
କରୁଛୁ ତୁ ମହାପାପ। (ଶେଷ)
ଅଡିଓ ସୌଜନ୍ୟ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ