ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ପ୍ରବୀଣ କୁମାର ସୋବତୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ପ୍ରବୀଣ କୁମାର ୭୪ ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ବି ଆର୍ ଚୋପ୍ରାଙ୍କ ହିନ୍ଦୀ ଧାରାବାହିକ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ପ୍ରବୀଣ କୁମାର। ଅଭିନୟ ବ୍ୟତୀତ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଦକ୍ଷତା ଏବଂ ଲୋକ ପ୍ରିୟତା ମଧ୍ୟ ରହିଥିଲା। ସେ ଜଣେ ଅନ୍ତର୍ଜାତୀୟ ଆଥଲେଟ ହିସାବରେ ବେଶ୍ ପରିଚିତ। ସେ ଅଲମ୍ପିକ୍ସ, ଏସିଆନ୍ ଗେମ୍ସ, କମନଓ୍ଵେଲଥ ଗେମରେ ଅନେକ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ତାଙ୍କୁ ୧୯୬୭ ମସିହାରେ ‘ଅର୍ଜୁନ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

କ୍ରୀଡ଼ା ଏବଂ ଅଭିନୟ ବ୍ୟତୀତ ସେ ରାଜନୀତିରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ୨୦ ବର୍ଷ ବୟସରେ ପ୍ରବୀଣ କୁମାର ସୋବତୀ ବିଏସଏଫରେ ନିଯୁକ୍ତି ପାଇଥିଲେ। ସେହି ସମୟରେ ତାଙ୍କର କ୍ରୀଡ଼ା ଦକ୍ଷତା ସମ୍ପର୍କରେ ଜଣାପଡ଼ିଥିଲା। ୧୯୮୨ ମସିହାରେ ଫିଲ୍ମ ଜଗତରେ ପାଦ ଦେଇଥିବା ପ୍ରବୀଣ କୁମାର ୫୦ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

୨୦୨୧ ମସିହାରେ ତାଙ୍କର ଦେହନ୍ତା ହୋଇଥିବା ଗୁଜବ ଆସିଥିଲା। ଏହା ମିଛ ଖବର ବୋଲି ସେ ନିଜେ ସୂଚନା ଦେଇଥିଲେ। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ରହିଥିଲେ। ସୋମବାର ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡକାଇଥିଲେ। କିନ୍ତୁ ଡାକ୍ତର ଆସିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇସାରିଥିଲା। ହୃଦଘାତ ଯୋଗୁଁ ପ୍ରବୀର କୁମାରଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

Comment