ପ୍ରଫେସର ସଞ୍ଜୟ ଶତପଥୀ
‘ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି।
ଭାଗ –୨
ସାଗରରେ ବେଳା ଭୂମିରେ ଢେଉମାନଙ୍କର କ୍ରମାଗତ ଯିବା ଆସିବା। ଢେଉ ଆସେ, ଢେଉ ଫେରେ, ପୁଣି ଆସେ ଯାଏ। ହେଲେ ପ୍ରତ୍ୟେକଟି ଢେଉ କେମିତି ନୂଆ ଲାଗେ। କେତେ ବାଲି ଘର ଗଢା ହୁଏ। ଭାଙ୍ଗେ। କେତେ ଶାମୁକା, କେତେ ବାଲି ଗରଡ଼ା ସାଉଁଟି ହୁଏ। ସମୁଦ୍ର କାଳେ କିଛି ରଖେନି। ସବୁ ଫେରେଇ ଦିଏ। ଯିଏ ଯାହା ଫିଙ୍ଗେ, ସେଇଠି ନୁହେଁ, ଟିକେ ଦୂରରେ ଲାଗେ। ମା ରାମଚଣ୍ଡୀଙ୍କ ମନ୍ଦିର ନିକଟ ଗାଁର ମାଛ ଧରାଳିମାନେ ପିଢ଼ି ପରେ ପିଢ଼ି ଧରି ନିତିଦିନ ସମୁଦ୍ରକୁ ଯାଆନ୍ତି। ମାଛ ଧରି ଫେରନ୍ତି। ମା’ଙ୍କ ପାଖରେ ଧରିଲା ମାଛରୁ ଗୋଟେ ଦି’ଟା ବାହାରେ ଥୁଅନ୍ତି। ସେଠି ମାଛ ତରକାରୀ ଭୋଗ ଲାଗେ। ସେମାନେ କହନ୍ତି, ଆଜି ଯାଏ କେହି କେବେ ଭାସି ଯାଇନାହାନ୍ତି। ଜଣେ ଥରେ ଭାସି ଯାଇଥିଲା ଯେ, ଖଣ୍ଡେ ଦୂରରେ ଟାପୁରେ ଲାଗିଲା। ସାଗର ସାଙ୍ଗରେ ଏମିତି ସଂପର୍କ’ ଭାବରକଥା।
ଶ୍ରୀ-ମଦ୍ ଭଗବତ୍ ଗୀତାର ନବମ ଅଧ୍ୟାୟ, ରାଜ ବିଦ୍ୟା ରାଜଗୁହ୍ୟ ଯୋଗର ୨୬ ତମ ଶ୍ଲୋକ:
“ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରଯଚ୍ଛତି
ତଦହଂ ଭକ୍ତପହୃତ ମଶ୍ନାମି ପ୍ରଯତା ତ୍ମନଃ ।”
(ପ୍ରେମର ସହ ପତ୍ର, ପୁଷ୍ପ, ଫଳ, ଜଳ ଯାହାବି ଅର୍ପଣ କଲେ, ସଗୁଣ ରୂପେ ପ୍ରଭୁ ସେସବୁ ଗ୍ରହଣ କରନ୍ତି ।)
ଢେଉ ଯାଏ, ଆସେ। ପବନ ଯିବା ଆସିବା ଭିତରେ, ଗୋଟେ ସୂକ୍ଷ୍ମ ସମୟ। ଗାରୋଇର ବୁଦ୍ଧିଆ ବାବା କହିଥିଲେ, ସେହି ସୂକ୍ଷ୍ମ ସମୟର ନାଁ ‘ଶବରା’। ‘ରା’ ଯୁକ୍ତ ଥିବା ଯାଏ ପବନ ଚାଲିଥିବ । ‘ରା’ ଅପସରି ଗଲେ ଏ ଦେହ ଶବ ହେଇଯିବ। ଖାଲି ହାତରେ ଆସିଥିଲା । ଖାଲି ହାତରେ ଚାଲିଯିବ। ଜୀବ ସେ କେଉଁଠୁ ଆସେ, ଆଉ କେଉଁଠିକି ଫେରେ! ଦେହ ଭିତରେ କେଉଁଠି ତାର ବାସ!
ଖୋର୍ଦ୍ଧାର ପିଣ୍ଡକ ବାହୁବଳେନ୍ଦ୍ର। ବଡ଼ ଯୋଦ୍ଧା। କଳେ ବଳେ କୌଶଳେ ଧରାହୋଇ କଳାପାଣି ଯାଆନ୍ତି। ତାଙ୍କ ଛାତିକୁ ବାରବାର ଗୁଳି କଲା ପରେ ବି ମୃତ୍ୟୁ ହୁଏ ନାହିଁ। ସେ କହନ୍ତି – ଦେଶ ଦ୍ରୋହୀ, ମୁଣ୍ଡ ତଳକୁ କରି ମୋ ଜଙ୍ଘକୁ ଗୁଳି ମାର। ମୁଣ୍ଡ ଟେକି ଗୁଳି ମାରିଲେ ମୁଁ ମରିବି ନାହିଁ। ସେଇଆ ହିଁ ହେଲା। କ’ଣ ଜଙ୍ଘରେ ଥିଲା ଜୀବନ! ମଣିଷ ମରିଗଲା ପରେ ବି ଚକ୍ଷୁ ଜୀବନ୍ତ ଥାଏ। ପ୍ରତିରୋପଣ ହୋଇପାରେ। ଡୋଳା ଜନ୍ମରୁ ମରଣ ଯାଏ ସମାନ। ଆଖି ପୁଅ କଣ ଜୀବ ସତ୍ତାରୁଭିନ୍ନ! ଦିନ ଦିନ ଧରି ଡାକ୍ତର ଖାନାରେ କତରା ଲଗା ମଣିଷ ଟିଏ ହଠାତ୍ କେମିତି ସଜାଡି ହେଇଗଲା ପରି ଲାଗେ। ଲାଗେ ଯେମିତି ସବୁ କିଛି ଠିକ୍ ଠାକ୍ ହେବାରେ ଲାଗିଛି। ହେଲେ, ଦୀପ ଲିଭିବା ଆଗରୁ ଜୋର୍ରେ ଜଳିବା ଅବସ୍ଥା। ଠପ୍ କରି ଜୀବନ ଦୀପ ଲିଭିଯାଏ।
ସିଲଟରେ ପ୍ରଥମ ଲେଖା ତିନି ଶୂନ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ବୋରିକିନାରେ ପାଠ ପଢା ଆରମ୍ଭ ହୋଇଥିଲା ଚାହାଳୀରେ ‘ଛୋଟା ମାଷ୍ଟ୍ରେଙ୍କ ପାଖରେ’। ଯୁଦ୍ଧରେ କାଳେ ଅଧାଗୋଡ଼ ହରେଇଥିଲେ। ଫେରିକି ଗାଁ ପିଲାଙ୍କୁ ପାଠ ପଢେଇବାରେ ମନ ଦେଲେ। ଗୁରୁ ଗମ୍ଭୀର ସ୍ୱର । ନୂଆ ଅକ୍ଷର ପାଠର ସମବେତ୍ତ ସ୍ୱର ଭିତରେ ସାଇତା। ମାଷ୍ଟ୍ରେ ଦିନ ବାଛି ଦେଇଥାନ୍ତି। କାହାଘରେ କେଉଁ ଦିନ ଖାଇବେ। ଆମ ଘରକୁ ପ୍ରାୟ ଆସନ୍ତି। ଏମିତି ବୁଲିଲା ବୁଲିଲା ହୋଇ। ବୋଉ ରୋଷେଇରେ ଲାଗି ପଡ଼େ। ସଞ୍ଜୟ ଡାକ ଶୁଣିଦେଲେ, ଗୋଟେ ମଧୁର ସମୟର ଆହ୍ଲାଦ ମନରେ ଭରିଯାଏ। ଦେଢ ଗୋଡର କୋଳରେ ବସେଇ କେତେ କଥା କହନ୍ତି ସେ। ପାଠ କଥା, ଶାଠ କଥା, ଅନୁଭୂତିର କଥା ।
ପ୍ରଥମେ ସେ ଦେଖେଇ ଦେଇଥିଲେ ସପ୍ତର୍ଷି ମଣ୍ଡଳ। କ୍ରତୁ, ପୁଲଭ, ପୁଲସ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ, ମରିଚୀ । ଉତ୍ତର ଆକାଶରେ ଚକ୍ ଚକ୍ କରୁଥିବା ଧ୍ରୁବତାରା। କେତେବେଳେ ତାରାଠୁ ଲମ୍ବିଯାଏ ଧ୍ରୁବଙ୍କର ତପସ୍ୟାର କଥା, ଧ୍ରୁବ ଭକ୍ତି ଓ ପ୍ରଭୁ ବିଶ୍ୱାସର କଥା ତ କେତେବେଳେ ତାରା ଦେଖି ଆଗୋଉଥିବା ସୈନିକ ଜୀବନର କଥା । ରୋଷେଇ ସରେ। ମାଷ୍ଟ୍ରେ ଖାଇକି ଫେରନ୍ତି । ସଞ୍ଜୟ ମନରେ କଳ୍ପନାର ଅନେକ ସୂତ୍ର ଭରିଯାଏ । କେବେ କେବେ ନାଳବନ୍ଧକୁ ଯାଇ କ୍ଷେତ ଉପର ନିର୍ମଳ ଆକାଶରେ ତାରା ମଣ୍ଡଳକୁ ଦେଖେ, ବାପାଙ୍କ ସାଙ୍ଗରେ। ପୁନେଇଁର ଆକାଶ ଓ ଅମାବାସ୍ୟାର ଆକାଶର ଭିନ୍ନତା ବିଭୋର କରେ। ମାଷ୍ଟ୍ରେ ଶିଖେଇଥିବା ଭକ୍ତ କବି ମଧୁସୂଦନ ଦାସଙ୍କର ଗୀତ ଏବେବି ଭିତରେ ଜୀବନ୍ତ।
“ଯାହା ମୁଁ କହଇ ଯାହା ମୁଁ କରଇଯାହା ମୁଁ ଚିନ୍ତଇ ମନେ । ଜଗତର ସ୍ରଷ୍ଟା ପରମ ଇଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ,ମୋ ପାଶେ ଅଛନ୍ତି ଦିବସ ରଜନୀ ପରଂବ୍ରହ୍ମ ପରାତ୍ପରସେ କଥା ସୁମରି ହୃଦୟେ ତାହାଙ୍କୁ ପୂଜିବି ମୁଁ ନିରନ୍ତର”।
ସାତ ବର୍ଷରେ ବ୍ରତ ହେବା ପାଇଁ ସ୍ଥିର ହେଲା। ଏକା ସାଙ୍ଗେ କକେଇଙ୍କ ବାହାଘର, ମୋର ବ୍ରତ ଘର। କେତେ ପରିବା ପତ୍ର ଭାର। ଏଡ଼େ ଏଡ଼େ କଖାରୁ ଆଜିକାଲି ଆଉ ଦେଖିବାକୁ ମିଳୁନି। ପ୍ରୀତି ବାନ୍ଧବ ଅନେକ। ପରିବା ପାହାଡ଼ ପରି ଗଦା ହେଲା। କେତେ ଲୋକ ଖାଇଲେ। ସେତେବେଳେ ରାସ୍ତାରେ ଗାଡ଼ି ମଟର ସ୍ୱପ୍ନ। ପାଲିଙ୍କି, ସବାରୀର ଯୁଗ। ରୋଷଣୀ ବେଳେ ରାସ୍ତା ସାରା ଲୋକ ଠିଆ ହୋଇ କୁନି ସଞ୍ଜୟକୁ ଦେଖୁଥାନ୍ତି। ଯନ୍ତ୍ର ଚାଳିତ ପରି ତୁରୀ, ଢୋଳ ନାଦ ଭିତରେ ମନ୍ଦିର ଯାଏ ଯାଇ, କାଳେ ତିନିଗାର ଟପିଯିବ ସେଥିପାଇଁ ଜଗିଥିବା ଚିହ୍ନା ଜଣା ଲୋକଙ୍କ ସାଙ୍ଗେ ପୁଣି ଫେରନ୍ତି। କେହି କେହି କହୁଥାନ୍ତି – ଏତେ ସାନପିଲା ପଇତା ପକେଇ ଦେଲେ । ସମ୍ଭାଳି ପାରିବଟି!
ହେଲେ ସେବେଠୁ ଆରମ୍ଭ ହୋଇଥିବା ଗୀତା ପାଠ, ଗାୟତ୍ରୀ ଜପ, ଚଳୁ ମନ୍ତ୍ର, ଜେଜେଙ୍କଠୁ ଶିଖିଥିବା ପ୍ରାଣାୟାମ ଆଉ ପରେ ପଇତା ଗଣ୍ଠି ଓ ମନ୍ତ୍ରଣ ଜୀବନର ଗୋଟେ ଗୋଟେ ଅଙ୍ଗ । ଜେଜେ ଗାୟତ୍ରୀ ସାଧନା କରୁଥିଲେ। ମାଁଙ୍କର ଦର୍ଶନ ପାଇଥିଲେ। ପୈତୃକ ସମ୍ପତ୍ତି’ ବୋଇଲେ ୬୪ ଅକ୍ଷର ଗାୟତ୍ରୀ ଯାହା ଜେଜେଙ୍କଠୁ ପ୍ରାପ୍ତ ସବୁଠୁ ମୂଲ୍ୟବାନ ସମ୍ପତ୍ତି। ଏମିତି ପୈତୃକ ସମ୍ପତ୍ତି କେତେଜଣଙ୍କ ପାଖେ ଅଛି ଯେ ?
ତାରା ମଣ୍ଡଳୀକୁ ନିରକ୍ଷଣ କରିବା, ପ୍ରଜାପତିମାନଙ୍କ ପଛରେ ଦୌଡିବା, ପିଜୁଳି ଫୁଲ, ଚାକୁଣ୍ଡା ଫୁଲ, କରଞ୍ଜ ଫୁଲ ପରି ପୂଜାରେ ଲାଗୁନଥିବା ଫୁଲମାନଙ୍କୁ ତୋଳି ବାଲିଘର ପୁଷ୍ପ ମଣ୍ଡିତ କରି ସେ ବାଲିଘରେ ନଡ଼ିଆ ଗୋଟମାକୁ ଦିଅଁ କରି ବସେଇ, କେତେବେଳେ ସାହାଡା ଫଳ ତ କେତେବେଳେ କଷି ପିଜୁଳି ଭୋଗ। ଏମିତି କେତେ ଅଲିଭା କଥା ମନରେ କେତେବେଳେ ଏଣ୍ଡୁଅ ମୁଣ୍ଡ ଟୁଙ୍ଗରାକୁ ଦେଖି ତ କେତେବେଳେ ବଳଦ ପାଇଁ ଘାସ ତୋଳିବା, କେତେବେଳେ ପତ୍ରଗହଳରୁ କୋଇଲିକୁ ଖୋଜିବା ତ କେତେବେଳେ ଦୋଳ ପଛେ ପଛେ ଗାଁ ବୁଲିବା। କେତେବେଳେ ବୋରିକିନାର ବ୍ରିଟିଶ ଅମଳ ଲାହାକୋଠିକୁ ଯାଇ ଦେଖିବା ତ କେତେବେଳେ ଗହଳ ଘାସ ଦେଖି ଜଗନ୍ନାଥଙ୍କ ପହଣ୍ଡି ମୟୁର ପୁଚ୍ଛପରି ଟାହିୟାକୁ ମନେ ପକେଇବା। ନଡ଼ିଆ ଗୋଟମାରେ ରଥ କରି, ନଡିଆ ଗୋଟମାକୁ ଦିଅଁ କରି ବସେଇ ଗାଁ ପିଲାଙ୍କ ମେଳରେ ରଥ ଯାତ। ପରେ ଗୀତ ହେଇ ଲେଖା ହେଲା । ସେ ଗୀତକୁ ଆଜି ବି ଅନେକ ଲୋକ ମନେପକାନ୍ତି।
ନଡିଆ ଗୋଟମା ରଥ
ଗୋଟମାରେ ଜଗନ୍ନାଥ
ଗାଁ ଦାଣ୍ଡଟାରେ କଅଁଳ ପିଲାଙ୍କ
ଇଏ କୁନି ରଥ ଯାତ ।।
ଫୁଲବେଦୀ ପରେ ଜଗନ୍ନାଥ ବିଜେ
ବେସୁରାରେ ଘଂଟ ପେଁକାଳି ବାଜେ
ପିଲାଙ୍କର ପିଲା ଖେଳର ଭିତରେ
ଚାଲେ କାଳିଆ ସାଆନ୍ତ ।।
ଗାଁ ଝିଅ ବୋହୂ ଦାଣ୍ଡ ଦୁଆରରେ
ଦେଖନ୍ତି ସେ ଯାତ କେତେ ଶରଧାରେ
ଶରଧା ବାଲିସେ ଗାଁ ଧୂଳି ହୁଏ
ହସଇ ଜଗତନାଥ ।।
ନଡିଆ ଗୋଟମା ରଥ ।।
ଗାଁ ସ୍କୁଲ ପାଖ କନିଆରି ବଣରୁ ଗାମୁଛାରେ ଭରି ଫୁଲ ତୋଳା, ପୋଖରୀରୁ କଇଁ ଫୁଲ ଆଉ ତା’ର ନାଡ଼ ଭାଙ୍ଗି ଭାଙ୍ଗି ମାଳ ତିଆରି, ପିଲାବେଳୁ ଟଗର, ଗୋଡି ବାଣ ଫୁଲ ସଜେଇ ଗଜରା ଗୁନ୍ଥା ମନର କେଉଁ କୋଣରେ ସାଇତା। ତେବେ ଦୋଳିରେ ଝୁଲିବା ବେଳର କଥାଟିଏ। ଗାଁ ସ୍ତ୍ରୀ ଲୋକଙ୍କ ସାଙ୍ଗେ ବୋଉ ସଞ୍ଜ ଗାଧୁଆ ଲାଗି ଯାଏ। ଜେଜେ ଦୋଳି ଝୁଲେଇ ଝୁଲେଇ ଗୀତ ଗାଆନ୍ତି –
“କଳା କଳେବର କହ୍ନେଇ ସଙ୍ଗେ ରୋହିଣୀ ସୂତ ।
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ।
ଖସି ପଡୁଛି କି ଆକଶୁଁ କିଏ ଗଙ୍ଗା ଯମୁନା ।
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା ।
ଗହନ କାନନ ବନରେ ଘୋର ବରଷା କାଳ
ଗିରିବାମ କରେ ଧରିଲେ ନନ୍ଦ ଯଶୋଦା ବାଳ . . . ।। ”
ଦିନେ ସନ୍ଧ୍ୟାରେ ଗୀତ ବୋଲୁ ବୋଲୁ ଢୁଳେଇ ପଡିଲେ ଜେଜେ। ତାପରେ ହଠାତ୍ ଚମକି ଉଠିଲେ। ସେ ଯେଉଁଠୁ ଛାଡିଥିଲେ, ତା’ପରଠୁ ଦୋଳି ଭିତରୁ ଗୀତ ଝରୁଥିଲା। ନିଜ ସାଙ୍ଗମାନଙ୍କୁ କହିଲେ । ତା’ପର ଦିନରୁ ବୋଉ ବାଡ଼ିପଟେ ବାହାରିଗଲେ ବୁଢାଏ ଆସି ଦାଣ୍ଡ ପଟୁ ବସି ଯାଆନ୍ତି । ଜେଜେ ଦି’ ଚାରି ପଦ ଗାଇ ଛାଡି ଦିଅନ୍ତି । ତାପରେ ଦୋଳି ଭିତରୁ ଝରିଲା ଦରୋଟି କଣ୍ଠର ଗୀତକୁ ସେମାନେ ଶୁଣନ୍ତି, ଆଖି ଛଳ ଛଳକରି। ଆଜି ବି ବିଶ୍ୱାସ ଲାଗେନି। ଏକଥା କଣ ସତରେ ଘଟିଥିଲା !
ଚାହାଳୀ ପରେ ସ୍କୁଲ ପାଠପଢା ଆରମ୍ଭ। ସୁନାବେଡ଼ାରେ ନାଁ ଲେଖା ବେଳକୁ ବୟସ ବର୍ଷେ ବଢିଥିଲା। ସୁନାବେଡ଼ା ରେ ମାଳ ମାଳ ପାହାଡ଼। ପାହାଡ଼ରେ ନଦୀ ହେଲା ମେଘମାଳ, କେବେ କେବେ ମେଘ ଛୁଇଁବାକୁ ପାହାଡ଼ ଚଢା। ପାହାଡ ମଥାରେ ଶିବ ମନ୍ଦିର। କାଜୁବାଦାମ ଗଛ ମଝିର ଅଙ୍କାବଙ୍କା ନାଲି ଗୋଡ଼ିଆ ରାସ୍ତାରେ ଯାଇ ଦିଅଁ ଦର୍ଶନ ସାଥେ ସାଥେ ପାହାଡ଼ ଉପରୁ ସହର ଦେଖା ଭୁଲିବାର ନୁହେଁ। କଟକରୁ ବିଜୟନଗରମ୍, ସେଠୁ ବସ୍ରେ ସାଲୁର୍ ଘାଟି ଦେଇ ସୁନାବେଡ଼ା।
ଘାଟି ଉପରୁ ଉପତ୍ୟକାରେ ଛୋଟ ଛୋଟ ଘର, କ୍ଷେତ ମାଳ ଆଉ ହଳ ବଳଦର ଦୃଶ୍ୟ ଗୋଟିଏ ଗୋଟିଏ ଅଲିଭା ଛବି। ଚତୁର୍ଥ ଶ୍ରେଣୀରେ ଅଗଷ୍ଟ ୧୫ ପାଇଁ, ଜାତୀୟ ସଂଗୀତ ଗାନ ପାଇଁ ବଛା ହୁଏ। ଅଜାଣତରେ ୫୨ ସେକେଣ୍ଡରେ ଗାଇ ପ୍ରଶଂସା ମିଳେ। ବିଦ୍ୟାଳୟର ବଗିଚାକୁ ଭାଗ ଭାଗ କରି ଦିଆଯାଉଥାଏ। ସଞ୍ଜୟର ଭାଗଟି ବେଶ୍ ଆଦୃତ ହୁଏ। ଥରେ ସାର୍ଟ ଶୁଖିନ ଥିଲାରୁ ମଇଳା ସାର୍ଟ ପିନ୍ଧି ସ୍କୁଲ ଯାଇଥାଏ। ବାପା ଶୁଖିଲା ସାର୍ଟ ନେଇ ଦେବାକୁ ଗଲେ। ସେଦିନ ଗୁରୁଦିବସ ପାଇଁ ସଭା ଥାଏ। ମୁଁ ଟିକେ ସଂକୁଚିତ ହୋଇ କଡ଼ରେ ବସିଥାଏ । ହଠାତ୍ ଗୋଟେ ପରିଚିତ କଣ୍ଠ ଶୁଭିଲା ‘ସଞ୍ଜୟ’। ମୁଁ ଅନେଇଲି। ମୋ ବାପାଙ୍କୁ ମୁଁ ୧୯୮୭ ମସିହାରେ ହରେଇଛି । ସେଇ ଗୋଟିଏ ଥର ମତେ ସଞ୍ଜୟ ଡାକିଥିଲେ ସାର୍ଟ ଦେବାକୁ। ଆଉ ମୋ ଘର ଡକା ନାଁ ପିଲା ଗହଳିରେ ନ ଜଣେଇବାକୁ । ଏବେ ବି କିଛି ବିଗିଡା ବେଳରେ ଅଖି ମୁଦି ମନେ ପକେଇଲେ ସେ ଡାକ ଶୁଭେ । ଅସଜଡ଼ା ସଜାଡ଼ି ହେଇଯାଏ ।
(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି। ମତାମତ ନିଜସ୍ୱ)