ପ୍ରଫେସର ସଞ୍ଜୟ ଶତପଥୀTrunadapi

ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି

(ଭାଗ – ୫)

ଇଚ୍ଛାମାନେ ଯଦି ଘୋଡ଼ା ହୁଅନ୍ତି, ତେବେ ରଙ୍କି ମାନେ ବି ସେ ଘୋଡ଼ାର ସବାର। ହେଲେ, ଘୋଡ଼ା ହେଉ କି ହାତୀ ହେଉ; ଓଟ ହେଉକି ଗଧ ବା ଖଚର; ଯେମିତି ଚଳା ହେବ, ସେମିତି ଚଳିବେ। କୁହାହେଲା ଭଳି, ମହୁମାଛିରେ, ତୁ କେତେ ପରିଶ୍ରମ କରୁଛୁ। କେତେ ବାଟ ଉଡି ଉଡି ମହୁ ସଂଗ୍ରହ କରୁଛୁ। ସାଉତୁଛୁ। ହେଲେ କେତେ ଫନ୍ଦି କରି, ମଣିଷ ସେ ମହୁକୁ ଚୋରି କରି ନେଉଛି। କି ଲାଭ ପାଉଛୁ! ଡାଆଁଶ ପଚାରୁଛି, ମହୁମାଛିକୁ। ରାଣୀ ମହୁମାଛି ଭତ୍ତରୁଛି – ସବୁ ଫୁଲରେ ମହୁ ନଥାଏ। ଫୁଲ ପରଖି ମହୁ ସଂଗ୍ରହ କରିବାର କଳା ତାକୁ ଜଣା। (ଏକ କିଲୋମିଟରରୁ ପ୍ରାୟ ଦଶ କିଲୋମିଟର ଯାଏଁ) ବହୁଦୂର ଯାଏଁ ଉଡାଣ। ସେ ପୁଣି ଋତୁ ନେଇ ଭିନ୍ନ। ମହୁଚୋରି କରିପାରେ ମଣିଷ କି ଭାଲୁ। ହେଲେ, ମହୁ ପିଇବା, ସଂଗ୍ରହ କରିବାର କୌଶଳ କ’ଣ କିଏ ଚୋରି କରିପାରିବ? ବସା ଗଢ଼ିବାର କୌଶଳ, କ’ଣ କିଏ ଶିଖି ବି ପାରିବ। ଏମିତି କି କେଉଁଠି ବସା ଗଢା ହେବ ତା’ର ବାର୍ତ୍ତା ପହଞ୍ଚେଇବା ‘କର୍ମୀ ମହୁମାଛି’ର ନୃତ୍ୟକୁ କ’ଣ କିଏ ଉତାରି ପାରିବ ନା ବୁଝି ପାରିବ! ତୁ ଡାଆଁଶ, କାହିଁ ବୁଝିବୁ! ଡାଆଁଶ ଚୁପ୍। ଏ ସ୍ୱପ୍ନ ଡାଆଁଶ କି ମାଛିଙ୍କ ପାଇଁ ନୁହେଁ।

ଥୁଣ୍ଟା ଗଛରେ ବରଗଛ

ମନ ଅଛି ତ ସ୍ୱପ୍ନ ଅଛି। ସ୍ୱପ୍ନମାନଙ୍କୁ ତିନି ଭାବରେ ବିଭକ୍ତ କରାଯାଇପାରେ । ଉତ୍କୃଷ୍ଟ, ମଧ୍ୟମ ଆଉ ନିକୃଷ୍ଟ। ମଧ୍ୟମ ସ୍ୱପ୍ନ ରାଇଜରେ ଅନେକେ। ଅନ୍ୟକୁ ଦେଖି ଲୋଭେଇ ସ୍ୱପ୍ନ ସାଉଁଟନ୍ତି। ସବୁ ମଞ୍ଜିରୁ ସମାନ ଗଛ ଲତା ହୁଅନ୍ତି ନି। ଏଠି ସଭିଏଁ ନିଆରା। ସ୍ୱାମୀ ବିବେକାନନ୍ଦ କହିଲା ପରି – ‘ଭଗବାନ ତାଙ୍କ ସୃଷ୍ଟିରେ ଯେତେ ମାଟି ଗଢିଛନ୍ତି, ସବୁଠୁ ଉର୍ବର ମାଟି, ମଣିଷ ମସ୍ତିଷ୍କର ମାଟି’। ସେଠି ଭଲ ବିହନ, ଭଲ ଅଙ୍କୁର ମଣିଷକୁ ପରିପୁଷ୍ଟ କରେ। ହେଲେ, ସେଠି ତ, କାହିଁ କଣ୍ଟା ବଣ ତ କାହିଁ ଦଳ ପୋଖରୀ, କାହିଁ ଟାଙ୍ଗରା ଭୁଇଁ ତ କାହିଁ ପଥର ଚଟାଣ। ଉପୁଡିଲା ଗଛ କଡରୁ କେଉଁ ନବ ଅଙ୍କୁର ତ ଆଉ କେଉଁଠି ପଥର ସନ୍ଧିରେ ଥିବା ଟିକିଏ ମାଟିରେ; କେଉଁଠି କୋଠା କାନ୍ଥରେ ତ କେଉଁଠି ଗଛର କୋରଡ ଧାରରେ।

ଅନେକ ସମୟରେ ପ୍ରଶ୍ନଟିଏ ସାମ୍ନା କରିବାକୁ ହୁଏ। ଆପଣ ବ୍ୟସ୍ତ ଲୋକ। ଆମ ପାଇଁ କ’ଣ ସମୟ ହେବ? ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ପ୍ରଶ୍ନ ହୁଏ – କୁହତ, ଏ ସଂସାରରେ ସବୁଠୁ ବ୍ୟସ୍ତ ଲୋକ କିଏ? ବିଭିନ୍ନ ନାଁ ଧରା ହୁଏ। ହେଲେ ବୋଧେ ସଠିକ୍ ଉତ୍ତର ହେଉଛି – ଅଳସୁଆ ଲୋକଟି ବ୍ୟସ୍ତ ଲୋକଟିଏ। ତା’ର କିଛି କରିବାକୁ ସମୟ ନଥାଏ। ଆଳସ୍ୟ ମଣିଷ ଜୀବନର ସବୁଠୁ ବଡ ଶତ୍ରୁ। ଯେଉଁ ବ୍ୟକ୍ତି ସ୍ଥିର ବୁଦ୍ଧିଆ ନୁହେଁ, ସ୍ୱଭାବରେ ଅଳସୁଆ, ଦୀର୍ଘସୂତ୍ରୀ, ବିଳମ୍ବ ପ୍ରେମୀ, ଟାଳମଟାଳ ସେ ଅନୁକୂଳ ସମୟକୁ ଅପେକ୍ଷାରେ ବିତେଇ ଦିଏ। ବିଳମ୍ବେ କାର୍ଯ୍ୟସିଦ୍ଧି ନ୍ୟାୟରେ ସମୟ ବିତାଏ। ସମୟାନୁସାରେ ବୁଝି ବିଚାରି ଯିଏ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରେ ସେ କେବେ ହେଲେ ଅସଫଳ ହୁଏ ନାହିଁ। ନୀତିବାଣୀ ହେଲା – ମଣିଷ ଜୀବନରେ କେବେ ହେଲେ ଗୋଟିଏ ସମୟ ଆସେ ନାହିଁ। କେତେବେଳେ ସୁଖ ତ କେତେବେଳେ ଦୁଃଖ। କେତେବେଳେ ଉତ୍କର୍ଷ ତ କେତେବେଳେ ଅପକର୍ଷ। କେବେ ଉନ୍ନତି ତ କେବେ ଅବନତି। କେବେ ଉଠାଣି ତ କେବେ ଗଡାଣି। କେବେ ଐଶ୍ୱର୍ଯ୍ୟ ତ କେବେ ଦାରିଦ୍ର‌୍ୟ। ଏଠି ଢେଉ ଆସିବା ଯିବାର ଖେଳ। ପବନ ଯିବା ଆସିବାର ଖେଳ। ଆଲୁଅ ଅନ୍ଧାରର ଖେଳ। ଧୈର୍ଯ୍ୟ ଜୀବନକୁ ସନ୍ତୁଳିତ କରେ। ବ୍ୟବହାରରେ ଭାରସାମ୍ୟ ଆଣେ।

ବାଇ ଚଢ଼େଇ ବସା

ପିଲା ବେଳରୁ ଜିଜ୍ଞାସା ବହୁତ। ଘରୁ ବାହାରିଲା ବେଳକୁ ତୁଳସୀ ଚଉରା ଡାହାଣ ପଟେ କାହିଁକି; ଏତେ ଗଛ ଥାଉଁ ଥାଉଁ ତାଳ ଗଛରେ ବାୟା ବସା, ଝୁଲୁଥାଏ ଯେ ଝୁଲୁଥାଏ କଣ୍ଢେଇ ପରି; ଚଢେଇ ଟିଏ ଏତେ ସୂକ୍ଷ୍ମ ବସା କରି ପାରେ; କିଏ ତାକୁ ଶିଖେଇଲା ତାରକସି; ବାଉଁଶ ଗଛରେ କ’ଣ ଫୁଲ ଫୁଟେନି, ପାଳ ସଢିଗଲେ ସେଠି ଛତା ଭଳି ଛତୁ କାହିଁକି ଫୁଟେ, ତେନ୍ତୁଳି ଗଛ ଆଡେ ଖେଳିବାକୁ କାହିଁକି ଜେଜେ ମନା କରନ୍ତି, ଧାନ କ୍ଷେତର ସେ ତମ୍ପର ନାଁ ଅଢେଇ କିଆରିଆ କାହିଁକି, କେମିତି ମାପେ ସେ ଅଢେଇ କିଆରି; କ୍ଷେତ ମାନେ ତ ସାନ ବଡ, ଅସମାନ; କ୍ଷେତ ସବୁ ସମାନ ନୁହନ୍ତି କ’ଣ ପାଇଁ, କ’ଣ ପାଇଁ ଏତେ ଛୋଟଛୋଟ କ୍ଷେତ; ପୋଖରୀ କୂଳ ପଥରରେ ଶିଉଳୀ, ହେଲେ ନଈତୁଠ ପଥରରେ ଶିଉଳୀ ଲାଗେନି କାହିଁକି; ଭରଦ୍ୱାଜ ମୋର ଗୋତ୍ର; ଭଦଭଦଳିଆ ଆମ ରାଜ୍ଜୀୟ ପକ୍ଷୀ; ଏତେ ସୁନ୍ଦର ସେ ହେଲା କେମିତି, ତା ନାଁ ଭରଦ୍ୱାଜ କାହିଁକି, ଏମିତି ଅନେକ ପ୍ରଶ୍ନ ମନରେ। କିଛିର ଉତ୍ତର ସମୟ କ୍ରମେ ମିଳିଛି। ଆଉ କିଛି ଅନୁତ୍ତରିତ।

ଅଦମ୍ୟ ଉତ୍ସାହ, ଅସୀମ ଆଗ୍ରହ ଓ ଅପରିତୃପ୍ତ ଅଭିଳାଷ ମତେ ଟାଣି ନେଇଛି ଗାଁର ଅଙ୍କାବଙ୍କା ରାସ୍ତାଠୁ ପାହାଡର ମଥାନ ଛୁଇଁବା ଯାଏଁ। ସୁନାବେଡାରେ ପଢିଲା ବେଳକୁ ବୟସ ୮-୧୦ ବର୍ଷ। ପାହାଡ ଘେରା ସୁନାବେଡା। ମେଘ ମାନେ ପାହାଡ ଉପରେ ଥାକ ମରା ହୁଅନ୍ତି। ଉତ୍ସୁକତା ବଶତଃ ଥରେ ଏକା ଏକା ମନ୍ଦିର ଯିବା ନାଁରେ ଚଢିଥିଲି ପାହାଡ, ମେଘକୁ ଛୁଇଁବା ପାଇଁ। ଟିକେ କାଲୁଆ ଲାଗିଲା। ଯେତେ ଉପରକୁ ଗଲି ମେଘମାଳା ସେତେ ଉପରକୁ ଉଠିଲେ। ପିଲାଦିନେ ଆଈ କହିଥିଲା ଗପ, ‘ପଦୁଅଁ ଘୁଞ୍ଚି ଘୁଞ୍ଚି ଯାଉଛି’, ପ୍ରତ୍ୟକ୍ଷ କରିଲା ପରି ଲାଗିଲା। ପରେ ଉଡାଜାହାଜରୁ (କେତେବେଳେ ବଙ୍ଗୋପସାଗର, ଭାରତ ମହାସାଗର ଉପରୁତ କେତେବେଳେ ହିମାଳୟ ନିକଟରୁ) ଯେତେବେଳେ ମେଘ ଉପର ପଟ ଦେଖିଲି ସେତେବେଳେ ମଧୁର ଲାଗିଲା।

ଶୁଖିଲା ନଈ ଶେଯରେ ଲେଖକ ପ୍ରଫେସର ସଞ୍ଜୟ କୁମାର ଶତପଥୀ

ଭାବିବାର ଶକ୍ତି ଭଗବାନ ଦେଇଛନ୍ତି। ନ ଭାବିଲେ କେମିତି ହେବ। କାନରେ ଗୁଣୁ ଗୁଣୋଇଥିବା ମଶାକୁ ଘଉଡେଇବା ପାଇଁ ହାତ ଉଠେଇବାକୁ ହୁଏତ ଭାବିବା ଲୋଡା ପଡେନି, ହେଲେ ବେଳ ହୁଁ ସେ ସିଲଟ ଲେଖା ହେଉ କି କାଗଜ ଲେଖା, ଲେଖିବା ଆଗରୁ ଟିକେ ଭାବିବାର ଅଭ୍ୟାସ। କ’ଣ ଲେଖିବି ଠୁ କେମିତି ଲେଖିବାର ଚିନ୍ତା। ଲେଖିବ ଜଣେ, ପରଖିବ ଆଉଜଣେ। ପରଖିବା ଲୋକର ଦୃଷ୍ଟିରୁ ଲେଖିଲେ ଭଲ। ନିଜେ ପଢିଘୋଷି ଥୋଡେ ଅଜାଡି ଦେଲେ କ’ଣ ହେବ! ଏଇ ଅଙ୍ଗେ ନିଭା କଥାକୁ ସ୍ୱପ୍ନ ମଞ୍ଜି କରି ଅନେକ ଛାତ୍ରଛାତ୍ରୀଙ୍କୁ ଭେଟି ଦେଇଛି। ପଦେ ପଦେ କଥା, ମନେ ରଖିଛନ୍ତି ଅନେକ। ବହୁ ବର୍ଷପରେ ଭେଟ ହୋଇ ମନେରଖିଥିବା ଛୋଟିଆ କଥାମାନଙ୍କୁ ଦୋହରେଇବାରେ ଆଶ୍ଚର୍ଯ୍ୟ ବି ଲାଗିଛି। ଏ ସବୁ କଥା କ’ଣ ମୋର! କାହୁଁ ତାର ଉତ୍ପତ୍ତି! କାହିଁ ତା’ର ସ୍ଥିତି। କାହିଁ ତା’ର ଗତି!

ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା ବେଳେ ସ୍ୱପ୍ନ – ବିଚ୍ଛୁରଣ ସଂପର୍କରେ ବେଶୀ ଗବେଷଣା। ନବନବୋଦ୍ଭାବନଶୀଳ ମନୋଭୂମିମାନଙ୍କରେ ସ୍ୱପ୍ନ-ଦାନ ପ୍ରଚେଷ୍ଟା ଅନେକ ସମୟରେ ସ୍ୱତଃନିସୃତ। ଥରେ ପିଲାଟିଏ କହିଲା – ‘ଜୀବନରେ ଯଦି କେବେ ହାରିଯାଏ, ଦୋଷ ଆପଣଙ୍କୁ ଲାଗିବ’। ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଲି। ସେ କାରଣ ବଖାଣିଲା। ଆମ ସ୍ୱପ୍ନ ଏଠି ପାଠ ପଢି, ଅତି ବେଶୀରେ ବି.ଇ.ଡି.ଟେ କରି ମାଷ୍ଟ୍ର ହେବା ଯାଏଁ ଥିଲା। ଆପଣ ଆସିଲେ କେତେ କ’ଣ ସ୍ୱପ୍ନ ଆମ ଭିତରେ ଜାତ ହେଲା। ଏବେ ସ୍ୱପ୍ନ ଆକଶ ଛୁଆଁ। ଯଦି କଚଡା ଖାଉ, ସେ କଷ୍ଟ ବଡ ବାଧିବ। କୁହନ୍ତୁ, ଦୋଷ କାହାର? ଅଧା ହସ ଟି’ଏ ଆଉ ତାକୁ ଆଉଁସିଦବା ଛଡା କିଛି ଉତ୍ତର ନଥିଲା ପାଖରେ। ସେ ଆଜି ପ୍ରତିଷ୍ଠିତ। ତା ଭାବନାର ସରହଦ ଟପି ବହୁ ଉପରେ। ଭବାନୀପାଟଣାରୁ ଜେ.ଏନ.ୟୁ ଯାଇ ପଢୁଥିବା କିଛି ପିଲାଙ୍କ ହଷ୍ଟେଲରେ ଅଚାନକ ଯାଇ ପହଞ୍ଚିଥିଲି। ଉଦ୍ଦେଶ୍ୟ ସେମାନଙ୍କ ପଢା ବୁଝିବା। ଜୀବନ ଶୈଳୀ ଆଉ ପରିବର୍ତ୍ତନର ପରିବେଶ ଲକ୍ଷ୍ୟ କରିବା ସହିତ ସେମାନଙ୍କୁ ଖୁସି କରିବା। ଏଡିକି ଟିକେ ଜାଗାରୁ ଏତେ ବଡ ଜାଗାକୁ ଯାଇ ମୋ ପିଲା ମାନେ ବାଟ ହୁଡୁନାହାନ୍ତି ତ? ସେମାନେ ଆଜି କେଉଁଠି କେଉଁଠି ଅବସ୍ଥାପିତ। ତାଙ୍କ ଜୀବନରେ ସମସ୍ୟା ପୁଣି ସଫଳତାର ମୋଡରେ ମୁଁ ଠିଆ।

ଭଦଭଦଳିଆ (ଭରଦ୍ଵାଜ) ପକ୍ଷୀ

ଦୌଡାଳି ଜଣେ ପଚାରିଲା – ମୁଁ ଆହୁରି ଜୋର୍‌ରେ ଦୌଡିବି କେମିତି? ତା’ର ଆଖିକୁ ନିରେଖିଲି। ଚକ୍ ଚକ୍ କରୁଛି ବଦ୍ଧମୂଳତା। ଟିକିଏ ଆଖି ବୁଜି , ଲମ୍ବ ନିଶ୍ୱାସ ନେଇ ପଚାରିଲି – ଚିତା ବାଘ ଦେଖିଛୁ। ଭୁଇଁରେ ସବୁଠୁ ଜୋର୍‌ରେ ଦୌଡୁଥିବା ଜୀବ। ଯଦି ଭାବି ନେବୁ ମୋ ପଛରେ ଚିତା ଦୌଡୁଛି, ତାହେଲେ ଦୌଡିବାର ଗତି ତ ବହୁତ ବଢିଯିବ। ଜୋର୍‌ରେ ଦୌଡିପାରେ ବୋଲି ଭାବିନଥିବା ପିଲାଟିଏ ବି ଖୁବ୍ ଜୋର୍‌ରେ ଦୌଡିବ। ନିଜକୁ ବଞ୍ଚାଇବା ପାଇଁ ଦୌଡିବ। ସେ ହଁ ମାରିଲା। ଦି ଦିନ ପରେ କହିଲା – ଚିତାର ଫଟୋ ଦେଖିଲି। ଭାବିଲି।  ହେଲେ ସାର୍ ଏକଥା ଭାବି ହେଉନି। ଉତ୍ତରିଲି – ମାମା, ଚିତା ଦଉଡ ଭାବି ହଉନି। ଠିକ୍ ଅଛି। ହେଲେ ପାଗଳା କୁକୁର କଥା ତ ଭାବି ହେବ। ପାଗଳା କୁକୁର ପଛରେ ଦୌଡିଲେ ବି ଆମ ଦୌଡର ଗତି ବେଶ୍ ହେବ। ମନରେ ଦୌଡ ଜମିଲେ, ପାଦର ଦୌଡ ଅନ୍ୟମାନଙ୍କୁ ଚକିତ କରିବ। ଦି ଜଣ ଏ କଥାକୁ ଧ୍ୟାନ ଦେଇଛନ୍ତି। ସେମାନେ ଆଜି ଚମତ୍କାର ଦୌଡାଳି।

ରାଜ୍ୟସ୍ତରୀୟ ତଥା ସର୍ବ ଭାରତୀୟ ସ୍ତରୀୟ କରିବାପାଇଁ ଭବାନୀପାଟଣାରେ ଗଢା ହୋଇଥିଲା ‘Current Creators’। ବିଭିନ୍ନ ପ୍ରତିଯୋଗିତା। ନିୟମିତ ସାଧାରଣ ଜ୍ଞାନ ପ୍ରତିଯୋଗିତା। ସେତେବେଳେ ଜେରକ୍ସ ହାତ ପାହାନ୍ତାରେ ନଥିଲା। ଉପାଧ୍ୟକ୍ଷଙ୍କଠୁ କିଛି କାଗଜ ମାଗି, ଏକ ପାଖ ବ୍ୟବହାର ହୋଇଥିବା କିଛି ଅନାବଶ୍ୟକ କାଗଜ ଏକାଠି କରି ଲେଖାଲେଖି। ସାଇକ୍ଲୋ ଷ୍ଟାଇଲ୍ କେବେ କେବେ ନିଜେ କରି, ପ୍ରଶ୍ନ ପତ୍ର। ବେଶ୍ କିଛି ପିଲା ଲାଗିପଡିଲେ। ମନରେ ଭରିହେଲା ଉଡାଣ-ଜିଦ୍। ଥରେ ପ୍ରଶ୍ନଟିଏ ଥିଲା, ଆମେରିକାର ରାଷ୍ଟ୍ରପତି କିଏ? ଏଇଟିକୁ ଛାଡି ଆଉ ସବୁ ଠିକ୍ ଉତ୍ତର ଲେଖିଥିବା ପିଲାଟି ୫୦ରୁ ୫୦ ପାଇବା କଥା, କାହିଁକି ୪୯ ପାଇଲା ବୋଲି ପ୍ରଶ୍ନ କଲା। କହିଲି ବାବୁ ‘ରାଷ୍ଟ୍ରପତି’ ଆଉ ‘ରାଷ୍ଟ୍ରପତି ନିର୍ବାଚିତ’ କ’ଣ ଜଣେ ନା ଦି’ ଜଣ। ରାଜା ପୁଅ ରାଜା ହେବ। ହେଲେ ରାଜା କିଏ ପ୍ରଶ୍ନର ଉତ୍ତର କ’ଣ ରାଜା ପୁଅ। ସେ ବୁଝିଗଲା। ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହେଇ ସେ ଆଜି ଉଚ୍ଚ ପଦାଧିକାରୀ।

ବାତ୍ୟା ଉପୁଡ଼ା ଗଛରେ ନବ ଅଙ୍କୁର

ଜଣେ ବନ୍ଧୁ ପତ୍ନୀ ଥରେ କହିଲେ ‘ମୋ ପୁଅର ପାଠ ଜମା ମନେ ରହୁନି। ସମସ୍ୟାକୁ ଟିକେ ବ୍ୟବଚ୍ଛେଦ କରି, ଭାବିକି କହିବି କହି, ସମୟ ନେଲି। ଦିନେ ଦେଖିଲି ସେ ଶ୍ରୀ ସାଇଙ୍କ ଆରତୀ ବେଳେ ପ୍ରାର୍ଥନା ନିର୍ଭୁଲ ଭାବରେ ଗାଉଛି। ସେ ପ୍ରାର୍ଥନା ଟିକେ ଲମ୍ବା। ଯାହାର ମନେ ରଖିବାର ଶକ୍ତି ନାହିଁ ସେ ସବୁତକ ମନେରଖିଛି କେମିତି? ସେ କଥା ଜଣେଇ କହିଲ ତା ଭିତରେ ଏଦିଗରେ ଆଗ୍ରହ ଜାତ କରେଇଲେ ନିଶ୍ଚୟ ଚମତ୍କାର ଘଟିବ। ଆଉ ଗୋଟିଏ କଥା – ତା ପାଠ ପଢା ବେଳେ ଅନ୍ୟ ଘରେ ଯଦି ଟିଭିରେ ସିରିଆଲ ଦେଖା ହେବ, ଶବ୍ଦ ତା କାନରେ ପଡିବ ହିଁ ପଡିବ। ତାର ଏକାଗ୍ରତାରେ ବ୍ୟାଘାତ ସୃଷ୍ଟି ହେବ। ତାପରେ ପିଲାଟିକୁ ଏକା ଭେଟିଲି। ମନେରଖିବାର କିଛି ସୂତ୍ର ବତେଇଲି। ଗୀତ ପ୍ରତି ତାର ବହୁତ ଶ୍ରଦ୍ଧା। ସେ ଗୁଣ କେମିତି ଏକାଗ୍ରତାର ସାହାଯ୍ୟ କରିବ ତାକୁ କହିବାରେ, ତାର ଉତ୍ସୁକତା ବଢିଗଲା। ତା’ର ଜୀବନର ପଥ ବଦଳିଗଲା।

ସବୁ ବିହନ ସବୁକ୍ଷେତ ଲାଗି ଉପଯୋଗୀ ନୁହେଁ। ଦୋରସା ଭୂଇଁରେ ଯାହା ହେବ, କୃଷ୍ଣ ମୃତ୍ତିକାରେ କ’ଣ ତାହା? କାହାକୁ କି ସ୍ୱପ୍ନର ବିହନ ଦିଆ ହେବ ତା ଟିକେ ନିରେଖିବାକୁ ପଡେ। ନୃତ୍ୟରେ ରୁଚି ରଖିଥିବା ପିଲାଟିର ପ୍ରବେଶ, ଗତି ପ୍ରସ୍ଥାନ ଆଦିରେ ଧ୍ୟାନ ଦେବାକୁ କୁହା ହେଲା ବେଳେ ପାଠରେ ରୁଚି ରଖିଥିବା ପିଲାକୁ ପ୍ରତିଦିନର ଖବର କାଗଜର ସଂପାଦକୀୟ ପଢି, ତା’ର ସାର ଲେଖିବାକୁ କୁହା ହୁଏ। ନୂଆ ନୂଆ ବଂଶୀ ବାଦନ ଶିଖିଥିବା ପିଲାଟିଏ ଥରେ ଆସିଲା। ତାକୁ ନେଇ ଗୋଟିଏ ଜବରଦସ୍ତ ଗବେଷଣା। ତା’ର ଗୁରୁଙ୍କୁ ଭେଟି ୫ ମିନିଟ୍‌ର ରାଗଟିଏ ପ୍ରସ୍ତୁତ ହେଲା। ତା’ ପରେ ନିର୍ଦ୍ଦେଶ ସକାଳ ୪ରୁ ୫ ଯାଏଁ ଏଇଟା ମାସେ ଧରି ୧୦ ଥର ବଜା ହେବ। ମୁଁ ଯେକୌଣସି ମୁହୂର୍ତ୍ତରେ ପହଞ୍ଚିପାରେ।ସେ କଥା ମାନିଲା। ଅମାନିଆଁକୁ ସହଜରେ ଚଷି ହେବନି। ପାଗ କରିବାକୁ ସମୟ ଲୋଡା। ତେବେ ଦସ୍ୟୁ ଉତ୍ନାକର ଭିତରେ ବାଲ୍ମିକି ମୁନିଟିଏ ଲୁକ୍‌କାୟିତ। ଏ ପ୍ରଙ୍ଗ ଭୁଲିବାର ନୁହେଁ। ଦି ମାସ ଧରି ବଂଶୀ ବାଦନ ଚାଲିଲା। ସେ ଯେତେବେଳେ ସମୟ ପାଇଲା, ସେଇ ସୁର ବଜେଇଲା। ମାଜି ହେଇଗଲା। ତାର ଗୁରୁ ଆଶ୍ଚର୍ଯ୍ୟ ହେଲେ। ତାକୁ ନେଇଗଲି କଟକ। ନିର୍ଦ୍ଦେଶ ଥିଲା, କାହା ସାଙ୍ଗେ ବେଶୀ କଥା ହେବୁନି। ବଡେଇର ରଙ୍ଗ, ସମୟ ଛଡେଇ ଦିଏ। ତାପରେ କେତେ ବା ତୋ’ର ସାଧନା। ମୋ ମନରେ ଥିଲା ବ୍ରୁସ ଲି ଙ୍କ କଥା ପଦେ – ଯିଏ ଲକ୍ଷେ ପ୍ରକାରର କିକ୍ ଶିଖିଛି, ତାକୁ ମୋର ଚିନ୍ତା ନାହିଁ; ଯିଏ ଗୋଟିଏ କିକ୍ ଲକ୍ଷେଥର ପ୍ରୟୋଗ କରି ଶିକ୍ଷା କରିଛ, ତାକୁ ମୋର ଭୟ। ସେ ବଂଶୀ ବଜେଇଲା। ପ୍ରଥମ ହେଲା। ବାଟ ପାଇଗଲା। ତାପରେ ତିନିଥର ଯାକ ସେ ପ୍ରଥମ (ଏବେ ସେ ଜାତୀୟ ସ୍ତରର ପ୍ରତିଷ୍ଠିତ ବଂଶୀ ବାଦକ)। ଏ ସାଧନା ଅନେକ ପ୍ରତିଯୋଗୀଙ୍କୁ ଜଣା ନଥାଏ। ସେମାନେ ଏକାଗ୍ର ନୁହନ୍ତି। ଏକାଗ୍ର ହେଲେ ବି ବ୍ୟବସ୍ଥିତ ନୁହଁନ୍ତି।

ଚଂଚଳ ପଣରେ ନିଜର ଅନ୍ତର୍ନିହିତ ଶକ୍ତିର ସୁବିନିଯୋଗ ହୋଇପାରେ ନାହିଁ। କେତେ କେତେ ଉଦାହରଣ। କଥା ସବୁ ଝରଣା ପରି ନିଜ ଭିତରେ ଝରୁଛନ୍ତି ‘ଫୁର୍‌ଲି ଝରଣ’ ପରି। ମନର ସଂଗ୍ରହାଳୟରେ ସାଇତା ଅନେକ। ଆଉ କେଉଁଠି ପଦେ ପଦେ କଥାର ଚୁମ୍ବକୀୟ ପ୍ରଭାବରେ କିଏ ଶକ୍ତିପ୍ରାପ୍ତ ହେଇଛି। ଲୁହା ଚୁମ୍ବକତ୍ୱ ପ୍ରାପ୍ତ ହେଇପାରେ। କାଠ, ପ୍ଲାଷ୍ଟିକର ସେ ଗୁଣ କାହିଁ! ଯିଏ ଯେଉଁ ବାଟରେ କିଛି ହୋଇପାରିବ, ସେଥିପାଇଁ ନିରନ୍ତର ପ୍ରଚେଷ୍ଟା। ଧନ ସଂଗ୍ରହରେ ମତି ନାହିଁ। ଗଲାବେଳକୁ କେଉଁ ସମ୍ପତ୍ତି ସାଙ୍ଗରେ ଯିବ। ଝୁଲି ପଡିଥିବ ଖୋଲା ପାପୁଲି। କିଛି ଆଣି ଆସି ନଥିଲି। କିଛି ବି ନ ନେଇ ଫେରି ଯିବାକୁ ହେବ। ନିଉଟନ୍‌ଙ୍କ ଉକ୍ତି ‘ମୁଁ ବାଳକ ତୁଲ୍ୟ ବେଳା ଭୂମିରୁ ଉପଳ ଖଣ୍ଡ ମାତ୍ର ସଂଗ୍ରହ କରିଛି।’ ଧନ ସଂଗ୍ରହରେ ଜଣେ ଧନୀ ବୋଲେଇ ପାରେ। ଜ୍ଞାନ ସଂଗ୍ରହ କରି ଜଣେ କ’ଣ କହିପାରେ ମୁଁ ସର୍ବଜ୍ଞାନୀ? ମାନସ ମନ୍ଥନରେ ମନ।

ସନ୍ଥ କବି ଭୀମ ଭୋଇ

ପ୍ରକୃତିର ଋଣର ବୋଝ ହାଲୁକା କରିବା ପାଇଁ ନିଜକୁ ଅଜାଡିଦେବାରେ ମନ। ଯେତେ ଜ୍ଞାନ ଆହରଣ, ସେତେ ଅଜ୍ଞାନୀପଣ। ସାଗରର ଆତ୍ମକାହାଣୀ ଲେଖିବାରେ; ବିନ୍ଦୁ ସାଗର, ଆଶା ସାଗର ଦେଖିଥିବା ଲୋକଟି ଯେତେ ତୃପ୍ତ ହେବ; ମହୋଦଧି କି କଳିଙ୍ଗ ସାଗର, ଭୂମଧ୍ୟ ସାଗର କି କୃଷ୍ଣ ସାଗର, ଆରବ ସାଗର କି ପ୍ରଶାନ୍ତ ମହାସାଗର ବିଷୟରେ ଯେତେ ଲେଖିଲେ ବି ସେତେ ତୃପ୍ତ ହେବନି। ଅସମାପ୍ତ ଲାଗିବ। ସୁନାର ଚକମକି ଦେଖାଇ ଭେଟ ହୋଇଛନ୍ତି ଅନେକ। ପରେ ଜଣା ପଡିଛନ୍ତି କିଏ ବେଙ୍ଗୀ ପିତ୍ତଳ, କିଏ ରୋଲ୍ ଗୋଲ୍ଡ। ଭଲ ଭିତରେ ଭେଲ। ଅତି ଅସହନୀୟ ପ୍ରତିକ୍ରିୟାର ସାମ୍ନା କରିବାକୁ ବି ହେଇଛି କେବେ କେବେ। ଶଗଡ ଗୁଳାରେ ଚାଲିବା ମଣିଷ କଥା ଭିନେ ହେଲେ ପ୍ରତିକ୍ରିୟାଶୀଳ। ସେଥିପାଇଁ ନବଚିନ୍ତନଧାରକ ମାନେ ବାଧା ସହିଛନ୍ତି। ତାଙ୍କୁ କେଉଁଠି କେଉଁଠି ଅକାଳେ ମୃତ୍ୟୁ ବରଣ କରିବାକୁ ବି ପଡିଛି। ମଉନରେ ନିଜକୁ ସମ୍ଭାଳିଛି। ଗାଁ ପୋଖରୀ ପାଣିରେ ଟେକାଟିଏ ପଡିଲେ ତରଙ୍ଗ ଖେଳେ। ପୁଣି ଶାନ୍ତ। ପୁଣି ଆକାଶର, ବଉଦର ଛାଇ। ସେମିତି କ୍ଷଣେ ଅଶାନ୍ତରୁ ଶାନ୍ତ। ସୁନା ଯିଏ, ମାଜି ହୋଇ ଆହୁରି ଚକ୍‌ଚକ୍ କରିଛି। ନିଜ ଗୁଣ ବିସ୍ତାରିଛି। ମୁଁ ନିମିତ୍ତ। ନିରନ୍ତର ପ୍ରବାହରେ ମତ୍ତ। ‘ବାୟାର କି ଯାଏ, ବାଆ କଲେ ବସା ଦୋହଲୁଥାଏ’। ସନ୍ଥ ଭୀମ ଭୋଇଙ୍କର ବାଣୀ ହୃଦୟରେ ସାଇତା।

“ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ ।

କହେ ଭୀମ ଭୋଇ ଏମର୍ତ୍ତ ମଣ୍ଡଳେ ଯଶ ଅପଯଶ ଥାଉ ।”

(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ମତାମତ ନିଜସ୍ୱ)

Tag: #Trunadapi #ProfSanjayKumarSatapathy #ପ୍ରଫେସରସଞ୍ଜୟକୁମାରଶତପଥୀ #ତୃଣାଦପି

Comment