ପ୍ରଫେସର ସଞ୍ଜୟ ଶତପଥୀTrunadapi

ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି

(ଭାଗ – ୪)

ଚକ୍ଷୁକୁ ଯେସନେ ପିଛଡ଼ା ଆବୋରେ ଭକ୍ତକୁ ତେହ୍ନେ ଗୋସାଇଁ । ଅଚ୍ୟୁତ ମହାପୁରୁଷଙ୍କ “ଦୀନ ବନ୍ଧୁ ମୋ ଦୁଃଖ ନ ଗଲା ଯେ” ଜଣାଣର ଶେଷ ପଦର ଧାଡ଼ି। ମନକୁ ଭାରି ଛୁଇଁଥିଲା ଧାଡ଼ିଟି। ଆଖି ଆଗକୁ କିଛି ଆସିଲେ, ତତ୍‌କାଳ ପଲକ ପଡ଼ିଯାଏ। ଆଖିକୁ ସୁରକ୍ଷା ଦିଏ। ଘଡ଼ିଏ ପରେ କ’ଣ ଘଟିବ, ଜାଣି ନ ଥିବା ମଣିଷ ଟି କେତେ ଆସ୍ଫାଳନ ଦେଖାଏ ସିନା, ହେଲେ ପବନ ଦେହକୁନ ଲେଉଟିଲେ କଥା ସରିଲା ଜଗନ୍ନାଥେ!

ହେ ସାଆନ୍ତେ! ଆଗିଲା ମୁହୂର୍ତ୍ତରେ କ’ଣ ଘଟିବ ଅଜଣା। ପଲକ ଆଖିକୁ ରକ୍ଷା କଲା ଭଳି ଏ ଅକିଞ୍ଚନକୁ ରକ୍ଷା କରିବ। ପ୍ରଭୁ ରକ୍ଷା କରିଛନ୍ତି ଅନେକଙ୍କୁ। ଠିକ୍‌ ବିପତ୍ତି ବେଳରେ। ଘୋର ବନସ୍ତରେ ମୃଗୁଣିହେଉ, କିକୁରୁ ସଭା ତଳେ ଦୌପଦୀ। ଆକୁଳ ଡାକ ଶୁଣି ରକ୍ଷା କରିବା ଥୟ।

ଶୁକଦେବ ଦାସବେବର୍ତ୍ତା। ଖୁବ୍‌କମ୍‌ଶୁଣା ନାଁଟିଏ। ମୁସଲମାନ ଅଧିକାରରେ ଓଡିଶା ଆସିବା ପରେ, ସେ ନୂଆ ଶାସକଙ୍କ ଅଧୀନରେ କାମକଲେ। ଯାଜପୁରର ଶିବ ଦାସ ପୁର ଜନ୍ମିତ ଶୁକଦେବ ମା’ ବିରଜାଙ୍କର ପରିଛା ଥିଲେ । ଦିନେ ହଠାତ୍ ନବାବ ରାଜସ୍ୱ ସଂକ୍ରାନ୍ତ କାଗଜ ତଲବ କରନ୍ତେ, ସେ ‘ଗତି ସ୍ୱଂଗତି ସ୍ୱଂ ତ୍ୱମେ କା ଭବାନୀ’ ଘୋଷି ମା’ବିରଜାଙ୍କୁ ହାତ ଟେକି ଦରବାରକୁ ଗଲେ। ମା’ମୋର, ମାରିଲେ ମାରିବୁ। ତାରିଲେ ତାରିବୁ।

ତୋର କୃପା ବଳେ ଦୁବ ଦାରୁ ପାଲଟେ ମା’। ତତେ ଲାଗିଲା। ଏମନ୍ତ ମା’ଙ୍କ କରୁଣା କଣିକାଏ କୁ ଆଶ୍ରା କରି ଯାଉ ଯାଉ କଳା ଶାଢ଼ି ଖଣ୍ଡେ କେଉଁ ଆଡୁ ଉଡ଼ି ଆସି ତାଙ୍କ ଦେହରେ ପଡ଼ିଲା। ଏହାକୁ ଭକ୍ତି ପୂର୍ବକ ସାଇତି, ସେ ମାତୃ ଚିନ୍ତନ କରି ଦରବାରକୁ ଚାଲିଲେ। ମନରେ ଡର। ହୃଦୟରେ ମା’ ନାମ। ନବାବଙ୍କୁ କାଗଜ ପତ୍ର ବୁଝାଇ ଦେଲେ। ଅବିଘ୍ନରେ ସରିଲା। ସୁରୁଖୁରୁରେ ମା’ ନାମ ଜପି ଜପି ଫେରି ଆସିଲେ। ପରେ ଜଣାଗଲା ସେ ଶାଢୀ ଖଣ୍ଡକ ମା’ବିରଜାଙ୍କର ଥିଲା।

ସବୁ ସିଦ୍ଧି ଉପରେ ରହିଛି ଭଗବତ୍‌ କୃପାର ଅମୃତସ୍ପର୍ଶ। ତାଙ୍କର କୃପାବିନା ଆମଗତି ନାହିଁ, କି ଉପାୟବି ନାହିଁ। ତାଙ୍କର କୃପା ବଳେ ଅସମ୍ଭବ ସମ୍ଭବ। ସବୁ ନିଅଣ୍ଟ ଭରଣା। ସବୁ ଦୂରତିକ୍ରମ୍ୟ, ସହଜ ସାଧ୍ୟ। କୃପାର ସୁରକ୍ଷିତ ବଳୟ ଭିତରେ ଲୁଣ୍ଠକ ସନ୍ଥ ପାଲଟେ, ପଙ୍ଗୁ ଗିରି ଲଙ୍ଘନ କରେ, ମୂକ କଥା କହିପାରେ। ସାମାନ୍ୟ ଘାସଟିଏ ବି ତାଙ୍କରି କୃପାରୁ ଶିଶିର ବିନ୍ଦୁ ପାଇ ଧନ୍ୟ।

ପଚିଶ ବର୍ଷ ବୟସରେ ପିତୃ ହରା ହେବାକୁ ପଡ଼ିଲା। ହଠାତ୍ ବଦଳି ଗଲା ଜୀବନର ବାଟ। ଏତେ ବଡ଼ ପରିବାରର ବୋଝ କାନ୍ଧେଇବାର ଅବସ୍ଥା ଆସିନଥାଏ। କିନ୍ତୁ କାନ୍ଧରେ ପଡ଼ିଲେ କରିବାକୁ ବାଧ୍ୟ। ଏମିତିରେ ନିଜ ଭିତରେ ବହୁ ଦୁଃଖ ସାଇତା। ସବୁ ଦୁଃଖ ସମସ୍ତଙ୍କୁ କୁହା ହୁଏନି। ସବୁ ସୁଖବି ନୁହେଁ। ଅପାତ୍ରରେ ଦାନ ଭଳି ଅବସ୍ଥା ହେବାର ସମ୍ଭାବନା ଥାଏ। ଧୀର ପଦକ୍ଷେପରେ ପ୍ରଭୁଙ୍କୁ ଭରସା କରି ବାଟ ଚାଲିବା କଥା। ବାପା ଯିବାର ବର୍ଷେ ପରେ ଗୋଟିଏ ବହୁ ଆକାଂକ୍ଷିତ ପରୀକ୍ଷାରେ ଅକୃତକାର୍ଯ୍ୟହେବା ଦିନ ରାତିରେ ପ୍ରଥମେ ସ୍ୱପ୍ନରେ ଆସିଲେ ସେ।

ଗୋଟିଏ ମହଲା ଘର ଉପରେ ମୁଁ ଠିଆ ହୋଇଛି। ତଳେ ତୁଳସୀ ଚଉରା ପାଖରେ ସେ, ମତେ ହାତ ବଢେଇ କୋଳେଇ ନେବାର ମୁଦ୍ରାରେ। ମୁଁ ଡେଇଁ ପଡୁଛି। ସେ କୋଳେ ନେଉଛନ୍ତି। ମୋ ଆଖିରୁ ବହିଯାଉଛି ଧାର ଧାର ଲୁହ। ନିଦ ଭାଙ୍ଗିଲା। ତକିଆ ଲୁହ ଭିଜା। ମୋ ଭିତରୁ ଯେମିତି ଶବ୍ଦ ଉତୁରିଲା – ଦୁଃଖ କରନା । ଏ ବାଟ ତୋ ପାଇଁ ନୁହେଁ। ଏ ଅକୃତ କାର୍ଯ୍ୟ ହେବାଟା ତୋ ପାଇଁ ନିର୍ଦ୍ଦିଷ୍ଟ ବାଟରେ ଯିବାର ସହାୟକ ହେବ। ଓ.ପି.ଏସ୍‌.ସି.ରେ ସରକାରୀ ମହାବିଦ୍ୟାଳୟରେ ବି ସଫଳ ତାଲିକାରେ ନାଁ ରହିଲାନି। ବର୍ଷେ ପରେ ଗୋଟିଏ ଅର୍ଡର। ନିଯୁକ୍ତି, ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ, ରାଉଲକେଲାରୁ ଅବ୍ୟାହତି ନେଇ ଆସିଲି ଭବାନୀପାଟଣା। ମା’ମାଣିକେଶ୍ୱରୀଙ୍କ ଦର୍ଶନ କରି, ମହାରାଜା ପ୍ରତାପ କେଶରୀ ଦେଓଙ୍କୁ ସାକ୍ଷାତକରି ଆସି ଯୋଗ ଦେଲି।

ସେ ଦିନର ରାତି। ସ୍ୱପ୍ନରେ ମୁଁ ଗୋଟେ ଉଚ୍ଚା ପିଣ୍ଡାରେ ଶୋଇଛି। ଦୁଇଜଣ ଲୋକ ମୋ ପାଖକୁ ଆସିବାରେ, ଉଠିପଡିଲି। ଜଣେ ଥିଲେ ମୋ’ ବାପା। ତାଙ୍କ ସାଙ୍ଗରେ ବୁଢା ଅଥଚ ବେଶ୍‌ ଡେଙ୍ଗା ଲୋକଜଣେ। କଳା ରଙ୍ଗର ଫତେଇ, ବାଁ ହାତରେ ଅଣ୍ଟା ଉଚ୍ଚା ବଙ୍କୁଲିବାଡ଼ି। ବାପା ଚିହ୍ନେଇ ଦେଲେ, ଇଏ ଅଜା । ମୁଁ ଶୁଣିଥିଲିମୋ ଅଜା ଏଠି କଳାହାଣ୍ଡି ରାଜାଙ୍କର ହେଡ୍ ପଟୱାରୀ ଥିଲେ। ୧୯୪୭ ମସିହାରେ ଅକାଳ ବିୟୋଗ ହେଇଥିଲା। ତାଙ୍କ ଫଟୋ ବି ମୁଁ ଦେଖିନଥିଲି। ସେତେବେଳେ ସେ ସୁବିଧା ନଥିଲା। ସେ ମତେ ଆଉଁସି ଦେଲେ। ସେ ସ୍ପର୍ଶ ମତେ ଅମୃତ ପରଶ ପରି ଲାଗିଲା। ତାପରେ କହିଲେ, ତତେ ଟିକେ ଦେଖିବାକୁ ଆମେ ଆସିଥିଲୁ। ସବୁ ଭଲ ହେବ। ଆମେ ଯାଉଛୁ। ଝୁନୁ (ମୋ ବଡ଼ଭଉଣୀ)ର ଶ୍ୱଶୁର ପାଖକୁ। ମିଶି କରି ଯିବୁ।ନିଦ ଭାଙ୍ଗିଗଲା। ମୁଁ ଖଟରେ ମଶାରୀ ଭିତରେ । ଆଉ ନିଦ ହେଲାନି। ସକାଳୁ ମାମୁଁଙ୍କୁ ଜଣେଇଲି। ଅଜା ଗଲା ପରେ ବଂଶର କେହି ଭବାନୀପାଟଣା

ଆସି ନଥିଲେ। ଯାହା ହେଉ ଆଶୀର୍ବାଦ କରି ଗଲେ। ଭଲ ହେଲା। ଦୁଇ ଘଣ୍ଟା ପରେ ଖବର ପାଇଲି ପାହାନ୍ତି ମୁହୂର୍ତ୍ତରେ ନାନୀର ଶ୍ୱଶୁର ଇହଧାମ ତ୍ୟାଗ କରିଛନ୍ତି। ଆଶ୍ଚର୍ଯ୍ୟ! ବାପା ଯିବାର ୨ ବର୍ଷ ପରେ ତାଙ୍କ ଜାତକ ନେଇ ଜଣେ ପଣ୍ଡିତଙ୍କୁ ଦେଖେଇଲି। ଜାତକ କଷିଲା ପରେ ମତେ ପଚାରିଲେ – ଏ ଲୋକ ଅଛନ୍ତି ? ମୁଁ କହିଲି – ହଁ । ସେ କହିଲେ – ନା । ସେ ଆଉ ନାହାନ୍ତି। ବାପା ଯିବାର ଦିନକୁ ଗଣନା କରି କହିଲେ,ଏଇ ଦିନ ସେ ଯାଇଛନ୍ତି। ସେ ଯଦି ଯାଇ ନଥାନ୍ତେ, ତୁମେ ନ ଥାନ୍ତ । ତୁମେତ ନଥାନ୍ତ; ହେଲେ ସେ ବାର ବର୍ଷ କତରା ଲଗା ହେଇ ପଡ଼ିଥାନ୍ତେ। ପୁଣ୍ୟବଳ ଥିଲା। କଷ୍ଟ ନପାଇ ଚାଲିଗଲେ।

ସେଇ ବର୍ଷ କିଛି କାମରେ ଦିଲ୍ଲୀ ଗଲା ବେଳକୁ ଗଙ୍ଗାରେ ବିସର୍ଜି ଦେଇଥିଲି ଜାତକ। ପ୍ରଭୁଙ୍କ ହିସାବ ପ୍ରକାରେ। ଆମ ହିସାବ ପ୍ରକାରେ। ଆମର ଏତେ ଶକ୍ତି କାହିଁ ତାଙ୍କ ଇଚ୍ଛାକୁ ବଳିବା? ଏମିତି ଅନେକ ଅନେକ ଘଟଣା। ‘ଭଲ’ ଆଉ ‘ମନ୍ଦ’ ଭିତରୁ ସିନା ଭଲକୁ ବାଛିବା। ହେଲେ‘ମନ୍ଦ’ ଆଉ ‘ଅତି ମନ୍ଦ’ ଭିତରୁ ତ ମନ୍ଦକୁ ବାଛିବା ନା !

ଗୋଟିଏ ଶ୍ରଦ୍ଧାମୟୀ ଶକ୍ତି ମୋ ପାଖେ ପାଖେ, ତା’ର ଅନୁଭବ ହୋଇଛି। ଅନେକ ଅନେକ ଅଭୁଲା ମୁହୂର୍ତ୍ତ।ଶ୍ୱଶୁରଙ୍କର ବାପା ବଦ୍ରିନାଥ ଯାଇ ଆଉ ଫେରିନଥିଲେ। ତାଙ୍କର ଇଚ୍ଛାଥିଲା ବଦ୍ରିନାଥର ମାଟି ଟିକେ ଛୁଇଁବାକୁ। ଯୋଜନା ହେଇଗଲା । ଋଷିକେଶ, ଯୋଗୀମଠରୁ ବଦ୍ରିନାଥ। ସୁନ୍ଦର ଦର୍ଶନ। ସେଠି ରାତି ବିତେଇବା ପାଇଁ ବୁଝା ବୁଝି କଲାବେଳକୁ ଗୋଟେ ଗୁମ୍ଫା ଭିତରେ ଜଣେ ଋଷି ଦେଖାଗଲେ।

କିଛି ଜୀବନ ପଥର ଗୁରୁତ୍ୱପୂର୍ଣ୍ଣ କଥା ନିଜ ଆଡୁ କହିଲେ। ତା’ ପରେ କହିଲେ – ‘ଫେରିଯାଅ’। ଆମେ ଫେରିଲୁ । ହେଲେ ସେପଟେ ବାଦଲ ଫଟା ବର୍ଷା। ଭୟଙ୍କର ପାଣିରସୁଅ। ଋଷିକେଶରେ ପହଞ୍ଚିଲା ବେଳକୁ ପାଣି ଆସି ପହଞ୍ଚିଗଲା। ସାମ୍ନାରେ ପାଣିର କରାଳସୁଅ। ଭାସି ଯାଉଥାଏ କାର୍‌, ମୋଟର ସାଇକେଲ, ଗ୍ୟାସ ଟାଙ୍କି, ଘରର ଚାଳ। ଏମିତି କେତେ କ’ଣ । ଶିବାନନ୍ଦ ଆଶ୍ରମ କଡ ରାସ୍ତାରେ ଆମେ। ସାମ୍ନାରେ ହିଁ ଭାସିଗଲା ଆମେ ଗଲାବେଳେ ଯେଉଁ ହୋଟେଲରେ ଥିଲୁ, ସେ ହୋଟେଲ। ଗଙ୍ଗା ସେ ପାରେ ଶିବଙ୍କର ଧ୍ୟାନସ୍ଥ ବିରାଟ ମୂର୍ତ୍ତି । ମୂର୍ତ୍ତି ଚାରି ପଟେ ଭଉଁରୀ ଖେଳି ପାଣି ବହିଯାଉଥାଏ। ସେ ଦୃଶ୍ୟ ଭୁଲିବାର ନୁହେଁ।

ସ୍କୁଲ ପଢିଲା ବେଳର କଥା। ସନ୍ଧ୍ୟାରେ ସ୍କାଉଟ କ୍ୟାମ୍ପରୁ ଫେରୁଥାଏ। ସତ୍ୟନଗର ମଶାଣି ସାମ୍ନା। ଖୁବ୍‌ ଜୋର୍‌ରେ ବସ୍‌ଟେ ଆସିଲାମାଷ୍ଟର କ୍ୟାଣ୍ଟିନ୍ ଆଡୁ। କଡକୁଗଲେ ପ୍ରାୟ ୨୫ ଫୁଟତଳେ ପଡିବାର ସମ୍ଭାବନା। ମୁଁପିଞ୍ଜଳ । କିଂକର୍ତ୍ତବ୍ୟବିମୂଢ। ଅଚାବୁଆ। ଗାଡି, ହ୍ୟାଣ୍ଡଲରେ ଘସିହେଇଗଲା। ହ୍ୟାଣ୍ଡେଲ ବଙ୍କାହେଇଗଲା। ପ୍ୟାଡେଲ୍‌ ବାଜି ଗୋଡ ଖଣ୍ଡିଆ।  ଆଖି ମୁଜି ହେଇଯାଇଥାଏ। ଆଖି ଖୋଲିଲା ବେଳକୁ ସାଇକେଲ୍ ଆଉ ଗଡୁନି। ମୁଁ ଛିଟ୍‌କି ପଡ଼ିବା କଥା। ପଡ଼ିନି । ଫେରିଲି ସାଇକେଲ ସଜାଡି। କାହାକୁ କିଛି କହିଲିନି। ବାପା ପରଦିନ ସାଇକେଲ ଚଢିଲା ବେଳକୁ ଜାଣିପାରିଲେ। ପଚାରିବାରେ ସବୁ କଥା କହିଲି । ଆଉଁସି ପକେଇଲେ। ଏମିତି ଅବସ୍ଥାରୁ ଟିକେ ଖଣ୍ଡିଆ ହୋଇ ବଞ୍ଚିବା ବଡ଼ କଥା।  ଭଗବତ୍ ଆଶୀର୍ବାଦ ଥିଲେ, ବହୁତବଡ ଅସୁବିଧା, ଛୋଟିଆ ଆଂଚୁଡାରେ ସରେ। ଭଗବାନ୍‌ ବଡଲୋକ।

ମୋ ଝିଅ ଦିଲ୍ଲୀରେ ପଢିଲା ବେଳର କଥା। ସେଦିନ ତାକୁ ନୂଆ ଲାପ୍‌ଟପ୍‌ ମିଳିଥାଏ। ଭାରି ଖୁସିଥାଏ ସେ। ବସ୍‌ରେ ଆସୁଥାଏ,ସେ ରହୁଥିବା ଯମୁନା ନଗର। ବସ୍ ଅଟକିବ। ସେ ଓହ୍ଲେଇବାକୁ ଆଗେଇଲା ବେଳକୁ ଜଣେ ସ୍ତ୍ରୀଲୋକ ତରତରରେ ଗାଡି ପୁରା ଅଟକିବା ପୂର୍ବରୁଡେଇଁକି ଓହ୍ଲେଇଗଲେ। ଅଭ୍ୟାସଗତ। ହେଲେ ଝିଅ ତନୂଆ। ତାଙ୍କ କହୁଣୀ ଆଘାତରେ ଛିଟ୍‌କି ପଡିଲା ଚଳନ୍ତା ବସ୍‌ରୁ। ଲୋକମାନେ ଚିତ୍କାର କରି ଉଠିଲେ।। ଲୋକେ ଦୌଡିଆସିଲେ। ସେ ଉଠିକି ଆଗ କମ୍ପ୍ୟୁଟରକୁ ଜାବୁଡି ଧରିଲା। ଭାବିଲା ପୁରା ଚୁନା ହୋଇଯାଇଥିବ। ହେଲେ ପରେ କହିଲା – ମତେ କୌଣସି ଅଦୃଶ୍ୟଶକ୍ତି ଧରିକି ତଳେ ଶୁଆଇ ଦେଲେ । ଡ୍ରେସ ଟିକେ ଚିରିଥାଏ। ଟିକିଏ ବି ଖଣ୍ଡିଆ ନାହିଁ । ଲାପଟପ୍‌ ସୁରକ୍ଷିତ । ଆକାଶକୁ ଚାହିଁ ହାତ ଯୋଡିବା ଛଡା ଗତିକାହିଁ ?

୧୯୯୦ ମସିହାର କଥା। ଭବାନୀପାଟଣାରେ ଅଧ୍ୟାପନା। ବାର୍ଷିକ ଫଳାଫଳ ପ୍ରକାଶ ହେବାକୁ ଥାଏ। ଉପାଧ୍ୟକ୍ଷଶ୍ରୀ ହରିଶ୍ଚନ୍ଦ୍ର ପଟ୍ଟନାୟକଙ୍କ ସଙ୍ଗେ କିଛି ଆଲୋଚନା ପାଇଁ ଆସିଲି। ସେ ସନ୍ଧ୍ୟାରେ ଜୋର୍‌ କାଳବୈଶାଖୀ। ତାଙ୍କ ଘର ଆଗରେ ପାଣି। ଗଲା ବେଳକୁ କେଉଁଠି ଥିଲା ଗୋଟେ ଛୋଟ ବାଲ୍‌ଟିର କଳଙ୍କି ଲଗା ହ୍ୟାଣ୍ଡେଲ୍‌ ଲୁହାର ଗୋଟିଏ ପଟ ମୋର ଦୁଇ ଆଙ୍ଗୁଠି ମଝିରେ ପଶିଗଲା।

ମୁଁ କିଛିବୁଝି ପାରିଲିନି। ପ୍ରଥମେ ଭାବିଲି ସାପଟେ। ଗୋଡ ଛାଟି ଦେଲି। ଆହୁରି ଭିତରକୁ ପଶିଗଲା ଲୁହାଟା। ଓଡିଆରଡି. କୈଳାସ ଚନ୍ଦ୍ର ଟିକାୟତରାୟ ସାର୍‌ ସେତେବେଳେ ଥାଆନ୍ତି ଭାବାନୀପାଟଣାରେ। ମତେ ନେଇକି ଗଲେ ହସପିଟାଲ । ଆନାସ୍‌ଥେସିଆ ଦିଆ ହୋଇ ଲୁହାକଢା ହେଲା। ଅନେକ ଦିନ ଲାଗିଲା ଶୁଖିବାକୁ। ଖରାଛୁଟିରେ ପ୍ରାୟ ଦୂରଲୋକ ଫେରିଗଲେ। ମୁଁ ଗଲି ୪ ଦିନ ପରେ। ୩ଟି ସିଟ୍‌ରେ ଶୋଇକି । ସେ ପଟେ

ବାହାଘର ଠିକ୍‌ ହୋଇ ଯାଇଥାଏ । ବାପ ନଥିବା ପୁଅର ମୁରବୀ ଅନେକ। ଭଙ୍ଗା ମନ ନେଇ ଜୀଉଁଥିବା ବୋଉ ଚାହୁଁଥାଏ, ତା ବୋଝ ଉତାରିବା ପାଇଁ। ମୋର ସିଭିଲ୍‌ ସର୍ଭିସ ପରୀକ୍ଷା ଥାଏ। ତା ପୂର୍ବଦିନ ବାହାଘର । ହାତରୁ ଯେମିତି ଖସିଗଲା ଗୋଟେ ସୁଯୋଗ। ପରୀକ୍ଷାହଲ୍‌ରେ ପରୀକ୍ଷା ସରିଲା ବେଳକୁ ମୁଁ ଟେବୁଲରେ ମୁଣ୍ଡ ରଖି ଶୋଇ ପଡ଼ିଥିଲି। ଯାହା ହେବ ତାହା ବିଧିନିର୍ଦ୍ଦିଷ୍ଟ। ନାଟକ ଲେଖା ସରିଚି ଯେମିତି। ଖାଲି ମଣିଷ କୁ ଜଣା ନାହିଁ । ପର ଦୃଶ୍ୟ କଣ ? ଏମିତିକି ପର ସଂଳାପଟି କ’ଣ? ଦୋଷ କାହାକୁ ଦେବାର ମାନେ କିଛି ନାହିଁ?

ଅନ୍ୟକୁ ଗୋଟିଏ ଆଙ୍ଗୁଠି ଦେଖେଇଲେ, ନିଜ ଆଡକୁ ତିନିଟି ଆଙ୍ଗୁଠି। ଉପରକୁ ଗୋଟିଏ ଆଙ୍ଗୁଠି। ନିଜକୁ ବିଶ୍ଲେଷଣ କରି ବାଜରୁରୀ। ଆଉ ଚିତ୍ରଗୁପ୍ତଙ୍କ ପାଖରେ ସବୁ ଖବର। ନିଜ ଭିତରେ ଗୁପ୍ତରେ ରହି ସବୁ ଚିତ୍ରତାଙ୍କ ପାଖରେ ସାଇତା। ନିଜ ଭିତରର ପ୍ରତିଟି ସ୍ପନ୍ଦନ ପରମେଶ୍ୱରଙ୍କୁ ଜଣା। ଭାବନାର ପ୍ରତିଟି ତରଙ୍ଗ ସେଇ ପରଂବ୍ରହ୍ମ ପରମାତ୍ମାଙ୍କ ପାଖରେ। ଲୁଚେଇବା ପାଇଁସାଧନ କାହିଁ। ଜନ ଜଗତ୍ରକୁ ଠକି ଦିଆ ଯାଇପାରେ । ହେଲେ ନିଜକୁ କଣ ଠକିହେବ! ଅସମ୍ଭବ।

ନଦିଆ ନବଦ୍ୱୀପରୁ ଫେରିଥାଏ। କି ଯେ ମଧୁର ଅନୁଭୂତି। ଗାରୋଇ ଆଶ୍ରମ ଗଲି। ବୁଦ୍ଧିଆ ବାବା ପଚାରିଲେ, ମୋ ପାଇଁ କ’ଣ ଆଣିଛୁ ? କହିଲି ଚୈତନ୍ୟଙ୍କ ଜନ୍ମସ୍ଥାନରେ ଥିବା ନିମ ଗଛ ମୂଳରୁ ଟିକିଏ ମାଟି। ସେ ବୋଳି ହୋଇପଡ଼ିଲେ ମଥାରେ। କହିଲେ ଯା, ଶିଆଳୀ ଲଟା ପଟ କଳ୍ପ ଅଶ୍ୱତ୍‌ଥ ମୂଳ ଓଳେଇ ଦେବୁ। ସେଠି ଟିକେ ବିଶ୍ରାମନେବୁ। ଟିକେ ଆଖିଲାଗି ଆସୁଛି। ହିସ୍‌ହିସ୍ ଶବ୍ଦ ଶୁଭିଲା। ଉଠିବସିଲି। ମୋଠୁ ପ୍ରାୟ ଦଶଫୁଟ ଦୂରରେ ବିରାଟ ପୀତବର୍ଣ୍ଣୀସର୍ପ ଫଣା ଟେକି ଠିଆ। ଡରରେ ଦୌଡିବା କଥା। ହେଲେ ମୁଁ ଆଣ୍ଠେଇ ହାତ ଯୋଡି ପ୍ରଣାମ କଲି। ସେ ଫଣା ନୁଏଇଁଫେରିଲେ। ସାହାଡା ଗଛ ମୂଳରୁବାମ ଦିଗକୁଚାଲିଲେ। ଯେଉଁଠି ସେ ଫଣାଟେକି ଥିଲେ, ସେଠିକି ଯାଇଁ ମାଟିଟିକେ ମଥାରେ ମାରି ପ୍ରଣାମ କରି ତାଙ୍କ ଗତିକୁ ଅନେଇଲି।

ସେ ପୁଣି ବାମକୁ ବୁଲିଲେ। ମୋ ଆଡକୁ ଚାହିଁଲେ ଫଣା ଟେକିକି। ମୁଁ ମୁଣ୍ଡିଆ ମାରିଲି। ଆସି ବାବାଙ୍କୁ କହିଲି। କହିଲେ ତାଙ୍କର କ’ଣ ହାତ ଅଛି, ସେ ହାତ ଟେକି ଆଶୀର୍ବାଦ କରିଥାନ୍ତେ? ଆଜି ବି ସେ ଦୃଶ୍ୟଜୀବନ୍ତ। ପରେ ପୋଥିରୁ ଜାଣିଲି, ଏ ଜାଗା ଥିଲା, ଗୋବର୍ଦ୍ଧନ ଋଷିଙ୍କର ଆଶ୍ରମ। ତାଙ୍କର ତର୍ପଣ ଜଳରୁ ସୃଷ୍ଟି ହୋଇଥିଲା ଗୋବରୀ ନଦୀ। ସୃଷ୍ଟି ହୋଇଥିଲା ଦେବୀ-ଗୋବରୀର ମଧୁର ସଙ୍ଗ, ଉତ୍ତରବାହିନୀ ଦେବୀ ନଦୀର ସହିତ। ନଦୀ ଯେଉଁଠି ଉତ୍ତରବାହିନୀ ସେଠି ଗଙ୍ଗା ଫଳଦାୟୀ। ଇଏ, ଗୋବର୍ଦ୍ଧନ ପୀଠ। ଆଉ ଗୋବର୍ଦ୍ଧନ ଋଷି ସରୀସୃପ ରୂପରେ ଛଦ୍ମରେଏଠି ବିଦ୍ୟମାନ। ଭାବନାର ସରହଦ ସେପାରେ ବିରାଟବ୍ରହ୍ମାଣ୍ଡ । ସ୍ଥୂଳରେ ତିରୋଟ, ତିରୋଟ; ସୂକ୍ଷ୍ମରେବିରାଟ, ବିରାଟ।

(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ମତାମତ ନିଜସ୍ୱ)

Comment