ପ୍ରଫେସର ସଞ୍ଜୟ ଶତପଥୀ

Trunadapi

‘ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି

(ଭାଗ – ୭)

ବିଶ୍ୱାସରେ ବହୁଛି ନିଃଶ୍ୱାସ। ବିଶ୍ୱାସରେ ବନ୍ଧା ଗ୍ରହ ନକ୍ଷତ୍ର। ବିଶ୍ୱାସରେ ବହୁଛି ପବନ, ଖେଳୁଛି ସାଗର ରଲହରୀ। ଗୋଟେ ଅଲିଖିତ ଶୃଙ୍ଖଳାରେ ଗୁନ୍ଥା ହେଇଛି ସୃଷ୍ଟି। ସମ୍ଭବ-ଅସମ୍ଭବର ଭାବ–ଚକ୍ରରେ କେତେବେଳେ ସମ୍ଭବ ଅସମ୍ଭବ ତ କେତେବେଳେ ଅସମ୍ଭବ ବି ସମ୍ଭବ।

ସାତ ବର୍ଷରେ ବ୍ରତ ଘର। ସେବେଠୁ ଗୀତା ପାଠ। ଭାରି ଭଲ ଲାଗିଥିବା ଶବ୍ଦ – “ମୂକଂକରୋତି ବାଚାଳଂ, ପଙ୍ଗୁ ଲଙ୍ଘୟତେ ଗିରିମ୍। ଯତ୍କୃପାତ ମହଂବନେ୍ଦ ପରମାନନ୍ଦ ମାଧବ”। କୃପା ବଳରେ ମୂକ ବାଚାଳ ହୋଇପାରେ। ପଙ୍ଗୁ ଗିରି ଲଙ୍ଘନ କରିପାରେ। ଅସମ୍ଭବ ସମ୍ଭବ ହୁଏ। ସେ କୃପା ପୁଣି କେମିତି ମିଳେ? ବିଶ୍ୱାସ ବଳେ ସିଦ୍ଧି। ବିଶ୍ୱାସ କେମିତି ଆସେ ? କେମିତିବଢ଼େ? କେମିତି ଛିଡ଼େ? କେମିତି ଭିଡେ? କେମିତି ମାଡ଼େ? ଜୀବନ ପଥରେ ଅନେକ ଘଟଣା। ଅନେକ ଅଘଟଣ। ସମୟାନୁସାରେ ଶିକ୍ଷା ଲାଭ। ସ୍ଥାନ, କାଳ, ପାତ୍ର ଅନୁଯାୟୀ ଭୂଷଣ, ଆଭୂଷଣ, ଆଚରଣ ଓ ଉଚ୍ଚାରଣ ମାଜି ହେଇଯାଏ। ବଙ୍କା ସଳଖି ଯାଏ। ନଦୀରେ ବନ୍ୟା ବେଳେ କେତେ ବଙ୍କା, କେତେ ସିଧା ବାଡ଼ିଭାସି ଯାଉଥାଏ। ହୁକ ପକେଇ ଲୋକେ ବାଡ଼ି ଟାଣି ଆଣନ୍ତି। ବଙ୍କା ବାଡି ସହଜରେ ଟାଣି ହେଇପାରେ। ସିଧା ବାଡ଼ି ଖସି ଭାସିଯାଏ। ବୁଦ୍ଧିଆ ବାବା କହିଥିଲେ, “ସରଳ ପଥକୁ ଜଟିଳ କରନା ସରଳରେ କର ଆଶା। ସରଳ ରହିଲେ ସକଳ ରହିବ ମିଳିବ ତୋତେ ଭରସା”।

ସରଳ ହେବା ଭାରି କଷ୍ଟ। ସରଳ ଖାଦ୍ୟକୁ ଜିଭ ଭଲ ପାଇବା କଷ୍ଟ। ସରଳ ପୋଷାକ ପରିଧାନ କରିବା କଷ୍ଟ। ପରୀକ୍ଷାରେ ଯଦି ସହଜ, ଅତି ସହଜ ଗଣିତ ପଡ଼େ, ତେବେ ବହୁତ ବୁଦ୍ଧିଆରେ ଗଣା ପିଲା ଅକୃତ କାର୍ଯ୍ୟ ହେବାର ସମ୍ଭାବନା ଅଧିକ। ପଛପଟେ ହାତ ବୁଲେଇ ନାକ ଛୁଇଁବାର ପ୍ରକୃତି। କୁହାହେଲା – “କାୟେନ ମନସାବାଚା”। କାୟାଯୁକ୍ତ, ମନଯୁକ୍ତ ଓ ବାଚନିକ ଅନେକ ପ୍ରକାରର ଅନୀତିକୁ ନୀତି ମଣି ମଣିଷ ନିଜେ ବୁଣି ନିଜେ ଅମଳ କରୁଥାଏ। ନିଜ ଦୋଷ କିନ୍ତୁ ନିଜକୁ ଦିଶେନି। ଅନ୍ୟକୁ ଦୋଷ ଦେଉଥାଏ।

ଆଙ୍ଗୁଠି ବନ୍ଧନରେ ସୂର୍ଯ୍ୟ ଦର୍ଶନ

ବିଶ୍ୱାସରେ ବିଷ ବି ଅମୃତ ପାଲଟି ପାରେ। ଏକଥା ସମ୍ଭବ ,କିନ୍ତୁ ଅପ୍ରମାଣ୍ୟ। ଗାଇଛନ୍ତି ରଘୁ ଅରକ୍ଷିତ, “ସବୁରି ସବୁ ଅଛି ମୋହର କେହି ନାହିଁ ଏକା ମୋ ପ୍ରଭୁ ଜଗନ୍ନାଥ। ତୁମରି ନାମ ଧରି ବିଷ ମୁଁ ଭକ୍ଷି ଅଛି ସେ ମୋତେ ହୋଇଛି ଅମୃତ”। ବିଷ ମିଶ୍ରିତ ଖାଦ୍ୟ ଜଗନ୍ନାଥଙ୍କୁ ସମର୍ପଣ କରି ରଘୁ ଖାଇଛନ୍ତି। ବିଷ ଜୀବନ ନେଇ ପାରିନି। ବିଶ୍ୱାସର କଥା ପଡ଼ିଲେ ଭକ୍ତିର କଥା ମନକୁ ଆସେ। ଆତ୍ମସମର୍ପଣର କଥା ମନକୁ ଆସେ। ନବଧା ଭକ୍ତିର ନବମ ପାହାଚ। ଆତ୍ମସମର୍ପଣ। ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦ ସେବନ, ଅର୍ଚ୍ଚନା ବା ପୂଜା, ବନ୍ଦନା, ପରିଚର୍ଯ୍ୟା ଓ ଆତ୍ମସମର୍ପଣ। ନବଧା ଭକ୍ତିର ନବ ଧାର। ନବଧା ଅଙ୍ଗ ହେଉଛି – ଦୁଇ ଆଖି, ଦୁଇକାନ, ଏକ ନାକ, ଦୁଇ ପାଦ ଓ ଦୁଇହାତ। ଓଲଟ ବୃକ୍ଷ ଏ ଦେହର, ଅର୍ଚ୍ଚନା ଭିନ୍ନ।

କାନରେ ଶୁଣି କେଉଁଠି ଭକ୍ତିରେ ବିଭୋର ତ ଆଖିରେ ଦେଖି କେଉଁଠି ଆଖି ଛଳ ଛଳ, ହାତକୁ ଗଜରା ପରି ପାଦରେ ଗୁଡ଼େଇ କେଉଁଠି ନିଉଛାଳି ତ ନାକରେ ଆଘ୍ରାଣ କରି କେଉଁଠି ସଦ୍ୟ ଲିଭା ଆରତୀର ବାସ୍ନାରେ ମନରେ ଭକ୍ତି ଅଞ୍ଜଳି। ପାଦ କେତେବେଳେ ଅଖି ମୁଜି ଦେଇ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ପ୍ରଣିପାତ କରୁଛି ତ କେତେବେଳେ ଟିକେ ପଛେଇ ଆସି ଖୋଜୁଛି ପଥରରେ ଶ୍ରୀଚୈତନ୍ୟଙ୍କ ଅଙ୍ଗୁଳି ରଚିହ୍ନ। କେତେବେଳେ ଯୁଗସାଇ ପାଟଣାର ଅତୀତ ଝୋକିବାରେ, କେବେ ମହାସାଗରର ଗଭୀରତାରେ ଆନନ୍ଦ ନେବାରେ, କେବେ ହିମାଳୟର ଗୁମ୍ଫା ଦ୍ୱାରରେ ପୁଣି କେବେ ନେପାଳର ପଶୁପତିନାଥଙ୍କୁ ଦର୍ଶନ କରି ତାଙ୍କୁ ମହୋଦଧି ଜଳରେ ପାଣି ଲାଗି କରେଇବାରେ।

ଦୁଇଟି ମାର୍ଗ। ଗୋଟିଏ ବିଶ୍ୱାସର, ଆଉ ଗୋଟିଏ ଜିଜ୍ଞାସାର। ଯେଉଁଠି ସନ୍ଦେହ ନଥାଏ, ସେଠି ବିଶ୍ୱାସ ଉତ୍ପନ୍ନ ହୁଏ। ସନ୍ଦେହ  ଯୁକ୍ତ ବିଶ୍ୱାସ ପ୍ରକୃତ ବିଶ୍ୱାସ ରୂପରେ ପ୍ରକଟ ହୋଇପାରେ ନାହିଁ। ଭକ୍ତି ମାର୍ଗରେ ବିଶ୍ୱାସ ମୁଖ୍ୟ, ଜ୍ଞାନ ମାର୍ଗରେ ଜିଜ୍ଞାସା ଓ ସନ୍ଦେହ ମୁଖ୍ୟ। ଆଉ ବିଶ୍ୱାସ ସହିତ ଜିଜ୍ଞାସା ଯଦି ମିଶିଯାଏ? ଭଗବାନଙ୍କର ସ୍ଥିତି ସମ୍ପର୍କରେ କେବଳ। ଜିଜ୍ଞାସୁ ମନରେ ପ୍ରଶ୍ନ ଉଠେ। ବିଶ୍ୱାସୀ ମନରେ ଏଥି ଲାଗି ସନ୍ଦେହ ନଥାଏ। ସନ୍ଦିଗ୍ଧ ସତ୍ତା ପାଇଁ ଉତ୍ପନ୍ନ ହୁଏ ଜିଜ୍ଞାସା। ‘ମୁଁ ଜିଜ୍ଞାସୁ’, ଏମନ୍ତ ‘ମୁଁ ଭାବ’ ରହିଥିବା ପର୍ଯ୍ୟନ୍ତ ଜିଜ୍ଞାସା ତତ୍ତ୍ଵ। ମୁଁ ଭାବ ନଷ୍ଟ ହେଲେ ଯାଇଁ ପ୍ରକଟ। ବିଶ୍ୱାସ ହେଉବା ଜିଜ୍ଞାସା ହେଉ, ଏଥିରୁ ଗୋଟିଏ ଦୃଢ ହେବା ଲୋଡ଼ା। ଯେଉଁ ବସ୍ତୁ ଆଦୌ ସ୍ଥିର ନୁହେଁ, ତା’ ପାଇଁ ବ୍ୟାକୁଳତା, ଆମ ଦୁଃଖ, ଯାତନା, ହତାଶାର କାରଣ। ଅନିତ୍ୟ ଉପରେ ପ୍ରଗାଢ଼ ବିଶ୍ୱାସ କରିବାର ଅର୍ଥ ହେଉଛି ନିଜର ଜ୍ଞାନକୁ ଓ ଅନୁଭବକୁ ଅନାଦର କରିବା। ଅଜ୍ଞତା ବା ନ ଜାଣିବା ଯେତେ ଦୋଷାବହ ନୁହେଁ, ତା’ଠୁ ବେଶୀ ଦୋଷାବହ ହେଲା ଜାଣିବି ନ ମାନିବା। ନଜାଣିଥିଲେ ଜାଣିବା ଲୋକେ ବତେଇ ଦେବେ, ଜାଣିବା କଥାକୁ ନ ମାନିଲେ କେହି କିଛି କରି ପାରିବେ ନାହିଁ। ମାନିବା କାମଟି ଆମ ନିଜର। ମାନିଲେ ବିଶ୍ୱାସ ଦୃଢ଼, ନମାନିଲେ ଦୁର୍ବଳ। 

ପଶୁପତି ନାଥଙ୍କ ଦର୍ଶନ ପରେ

ତିନି ତୁଣ୍ଡରେ ଛେଳି କୁକୁର ନ୍ୟାୟରେ ବାରବାର ଅକଥା ଶୁଣି ମନରେ ସନ୍ଦେହ ଘେରି ଯାଏ। ବିଶ୍ୱାସ ପ୍ରଶ୍ନ ଟାଣେ। ଯେମିତି ଦୃଷ୍ଟି, ସୃଷ୍ଟି ସେମିତି। ସମାନ୍ତର ରେଳ ଧାରଣା ଦୁଇଟି ଦୂରରେ ମିଶି ଗଲା ପରି ଦିଶେ। ସତ ତ ନୁହେଁ। ଅଟକିଲା ରେଳ ଗାଡ଼ି, ପାଖ ଧାରଣାରେ ରେଳଗଡ଼ିରେ ଚାଲିଲା ପରି ଲାଗେ। କ୍ଷଣେ ପରେ ସବୁ ନିଆରା। ବିଶ୍ୱାସର ସହିତ କାମ କରୁଥିଲେ ଭଗବାନ ସହାୟ। ବାଧା ପ୍ରତିବନ୍ଧକ ଅଟକେଇ ପାରେନି। ବିଶ୍ୱାସ କରି କେବେକେବେ ଠକାମୀରେ ପଡ଼ିବାକୁ ହୁଏ। ମଉନରେ ସହିବାକୁ ହୁଏ। ବିଶ୍ୱାସର ସୌଦାଗରମାନେ ଠକାମୀକୁ ପୁଞ୍ଜି କରି ସହଜ ମଣିଷକୁ ଦଗା ଦିଅନ୍ତି। କେତେବେଳେ ଭାବିଲା ବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥାଏ।

ଶହେ ଖଣ୍ଡ, ପାଞ୍ଚ ଶହ ଟଙ୍କିଆ ନୋଟ୍ କେହି ଫେରସ୍ତ କଲା ବେଳକୁ, “ହଁତୁମେ ତ ଗଣିଛ” ବିଚାରୀ ରଖି ନେଇ ପରେ ଦେଖିଲା ବେଳକୁ ଦୁଇଖଣ୍ଡ ନଥିବାର ଜାଣିଲେ ଗୋଟେ ଅକୁହା ଦୁଃଖର ଶିକାର। ନା କହି ହେବ, ନା ସହିହେବ। କିଛି ଲୋକଙ୍କ କୁମ୍ଭୀର କାନ୍ଦଣା, ସାହାଯ୍ୟ କରିବାକୁ ବାଧ୍ୟ କରେ। ହେଲେ ସାହାଯ୍ୟ ପରେ ବନ୍ଧୁପଣ ବିଗିଡ଼ି ଯାଏ। ବେଳ ପଡ଼ିଲେ ଲୋକଟି ଚିହ୍ନେ ହିଁ ନାହିଁ। ବହୁ ପ୍ରକାରର ଆବଶ୍ୟକତାକୁ ବନେଇ ଚୁନେଇ ସାହାଯ୍ୟ ଲୋଡୁ ଥିବା ମଣିଷ, ଏହାକୁ ଥୋପ ଗିଳା ମଣିଲେ ନିଜ ଭିତରର ଚରିତ୍ର ଆଘାତ ପାଏ। ନିଜକୁ ଆଡ଼ କରିବାକୁ ବାଧ୍ୟ ହୁଏ।

ଠକି ହେବାର ଅନୁଭୂତିରୁ ନିଜକୁ ଆଡ଼େଇ ନବାକୁ ହୁଏ। ନିଲଠିଆ ପଣ, ତା’ ଅଭ୍ୟାସ ଛାଡ଼ିବ କାହୁଁ? ପାଣିରେ ଭାସି ଯାଉଥିବା ବିଛାକୁ ଉଦ୍ଧାର କରିବାକୁ ଯାଇ ସାଧୁ ବାରବାର ତା’ର ଦଂଶନ ସହିଲେ। କିନ୍ତୁ କହିଲେ ତୁ ଯଦି ତୋ ସ୍ୱଭାବ ଛାଡୁ ନାହୁଁ, ମୋ ସ୍ୱଭାବ ମୁଁ ଛାଡ଼ିବିକିଆଁ? ଏ ବିଶ୍ୱାସର ଦୃଢ଼ତା। ନିଜକୁ ବଞ୍ଚେଇ ଦିଏ। ଠକ ଦଣ୍ଡ ପାଏ।  ସମୂଳ କେଉଁ ବାଟରେ ଟଣା ହୁଏ, ଜାଣି ପାରେନି। ଭାଗ୍ୟକୁ ଦୋଷ ଦିଆହୁଏ। ଭକ୍ତ ଅନେକ ଜାଗାରେ ଅବୁଝାମଣାର ଶିକାର ହୁଏ। ହେଲେ ଈଶ୍ୱର ଉଦ୍ଧରି ନିଅନ୍ତି। ଭକ୍ତ ନିର୍ଯ୍ୟାତିତ ହେଲେ ରତ୍ନସିଂହାସନ ଟଳମଳ। ଟୋପାଏ ଲୁହରେ ଦେଉଳ ଭାସିଗଲା ପରି, ଚେନାଏ କୋହରେ ଆସନ ଟଳମଟଳ ଅବସ୍ଥା।

ସତ୍ୟ ସହଜ। ମିଥ୍ୟା ଅସହଜ। ମିଛ କଥାକୁ ନିଜ ଭିତରେ ଧରି ରଖି ସେହି କଥା ବର୍ଷ ବର୍ଷ ପରେ ଦୋହରେଇବା ବହୁତ କଷ୍ଟ। ସହଜ ବିଶ୍ୱାସ ଅଙ୍କୁରେଇ ହୋଇପାରେ। ମିଠାମିଠା କାନ ସୁନ୍ଦର କଥାରେ ବିଶ୍ୱାସ କ୍ଷେତେଇ ଯାଏ। ହେଲେ ବିଶ୍ୱାସ ପାଳିବା କ’ଣ ଏତେ ସହଜ? ମୁଖାର ବୟସ ବା କେତେ? ନୀଳ ବର୍ଣ୍ଣଶୃଗାଳ ଲୁଗା ସଫା ତୁଠ କୁଣ୍ଡରେ ନୀଳ ପାଲଟିଲା। ବର୍ଷା ହୋଇ ଧୋଇ ଯିବା ଯାଏ ଦୂରର କଥା, ସାଥି ବିଲୁ ଥାଏ ‘ହୁକେ ହୋ’ ଡାକନ୍ତେ ସେ ନିଜର ଅଭିନୟ ଭୁଲି ଚିତ୍କାରିଲା ‘ହୁକେ ହୋ’। ମଞ୍ଚର ରଜାରାଣୀ, ସକାଳ ପାହିଲେ ଭିନେ କାହାଣୀ। ଏମିତି କଥା। ବିଶ୍ୱାସରେ ବାଟ ଚାଲୁଥିବା ବାଟୋଇ ଅନେକ ବାଧାର ସାମ୍ନାକରେ। ନିଜ ଭିତର ବିଶ୍ୱାସକୁ ସମ୍ଭାଳେ। ବିଶ୍ୱାସ ଚଡ଼କିଲେ ଗଲା। 

ଥାଇଲାଣ୍ଡ ଉପସାଗରର ପ୍ରବାଳ କଡ଼ରେ ସଞ୍ଜୟ

ଏକ ବିଂଶଶତାବ୍ଦୀ ଆରମ୍ଭ ବେଳର କଥା। ଯଜ୍ଞଟିଏ ହେଉଥାଏ। ଡକରା ପଡ଼ିଲା ଶ୍ରୀମଦ୍ ଭଗବତ୍ ଗୀତା ପାଠ ଲାଗି। ଗୋଟିଏ ଗୋଟିଏ ମନ୍ତ୍ର ଉଚ୍ଚାରଣ ହେବ। ଆହୂତି ଦିଆଯିବ। ୭୦୦ ଶ୍ଲୋକ। ଆହୂତି ୭୫୦ରୁ ଅଧିକ। ଦୁଇ ଘଣ୍ଟା ଭିତରେ ସରିପାରିବ କି ? ସମୟ କ’ଣ ମପା ହେଇଛି ଯେ ଭତ୍ତରିବି। ବାସ ଚେଷ୍ଟା କରିବ। କହିବା କଥା। ୧୦୦ ମିନି ଟ୍ରେ ସରିଲା। ବିଶ୍ୱାସ ହେଲାନି। ଆଶୀର୍ବାଦ ବଳେ ସମ୍ଭବ। ମନେ ପଡ଼ିଲା ୧୯୯୯ ମହାବାତ୍ୟା ପରେ ପ୍ରାଚୀ ତଟରେ ଗଙ୍ଗାଦି ଠାକୁରାଣୀଙ୍କ କୁଦ କଡ଼ର ସାଗର ବେଳାରେ ବତ୍ୟାର କରାଳକବଳରେ ହଜି ଯାଇଥିବା ଉତ୍ତର ପୁରୁଷ ଶୂନ୍ୟ ମଣିଷମାନଙ୍କ ପାଇଁ ତର୍ପଣ, ଗୀତା ପାଠ। ଯାହାର କେହି ନାହିଁ, ତା’ ପାଇଁ ଏ ହାତ ପାଣିଟେକୁ ଥାଉ। ବିଶ୍ୱାସର କଥା।

ଶ୍ୱଶୁରଙ୍କର ପିତା ବଦ୍ରିନାଥ ତୀର୍ଥ କରି ଯାଇଥିଲେ। ସେଠି ଶେଷ ନିଶ୍ୱାସ ତ୍ୟାଗ କଲେ। ଶ୍ୱଶୁରଙ୍କର ଇଚ୍ଛା ଥିଲା ସେ ମାଟି ଟିକେ ଛୁଇଁ ମୁଣ୍ଡିଆ ମାରନ୍ତି। ବହୁତ ଛୋଟ ହୋଇଥିଲେ ସେ, ଏ ଘଟଣା ଘଟିଲା ବେଳକୁ । ସ୍ତ୍ରୀ, ପୁଅ, ଝିଅଙ୍କ ସହ ଶାଶୁ ଓ ଶ୍ୱଶୁର। ଋଷିକେଶରେ ରହୁଥିବା ମୋର ଛାତ୍ର ଜଣେ ସାହାଯ୍ୟ କଲେ। ବିଷ୍ଣୁଙ୍କର ୧୦୮ କ୍ଷେତ୍ରରୁ ଅନ୍ୟତମ ବଦ୍ରିନାଥ।

ଯୋଶୀ ମଠରେ ରାତ୍ରୀ ଯାପନ କରିସକାଳୁ ବଦ୍ରିନାଥ। ପାଗ ଚମତ୍କାର। ପହଞ୍ଚି ମନ ପାଇଲା ଦର୍ଶନ। ମୁଁ ଟିକେ ଆଗକୁ ଗଲି। ପୁଅ ମୋର ସାଥେ ସାଥେ ଚାଲୁଥାଏ। ହିମାଳୟର କୁମାୟୁନ ପର୍ବତମାଳ। ନର ଓ ନାରାୟଣ ଦୁଇ ପାହାଡ଼। ୧୦,୦୦୦ ଫୁଟ ଉପରେ ସ୍ଥିତି। ଅଳକାନନ୍ଦ ନଦୀର ମନମୁଗ୍ଧକର ପାଣି ରଙ୍ଗ ଲାଳିତ୍ୟମୟୀ ଅଙ୍ଗିମା। ଚାରି ଧାମ ଭିତରୁ ସବୁଠୁ ଉଚ୍ଚରେ ଥିବା ଧାମ। ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଭାତ ହୋଇଥିଲା ଏହାର ବିଶେଷତ୍ୱ। ୧୮୦୩ ମସିହାର ବିରାଟ ଭୂମି କମ୍ପରେ ଏ ମନ୍ଦିର ଆକ୍ରାନ୍ତ ହୋଇଥିଲା। ୧୮୦୩ରେ ଓଡ଼ିଶା ବ୍ରିଟିଶ ଶାସନ କବଳରେ ପଡ଼ିଥିଲା। ପ୍ରାୟ ୬,୦୦୦ ବର୍ଷ ପୂର୍ବେ ଉଭେଇ ଥିଲା ପୂଣ୍ୟତୋୟା ସରସ୍ୱତୀ, ସରସ୍ୱତୀ ସଭ୍ୟତା। ଆମର ପ୍ରାଚୀନ ସଭ୍ୟତା। ପାଖରେ ‘ମନ’ ଗାଁ। ଭୀମକୁଣ୍ଡ। ଖୁବ୍ ଉଚ୍ଚରେ ଥିବା ଗୋଟେ ପଥରରେ ଲେଖା ହୋଇଥିଲା ସଞ୍ଜୟ। ଇଂରାଜୀରେ। ଗୁମ୍ଫାଟିଏରେ ଆପାଦ ମସ୍ତକ ବିଭୂତି ବୋଳା ସାଧୁ ଜଣେ ବସିଥାନ୍ତି। ଶୀତ ଦିନେ କାଳେ ଗୁମ୍ଫା ଦ୍ୱାର ବରଫରେ ବନ୍ଦ ହୋଇଯାଏ। ସେ ଥା’ଆନ୍ତି ଭିତରେ। କ’ଣ ଖାଆନ୍ତି? କେମିତି ଖାଲି ଦେହରେ ରହନ୍ତି ଶୀତରେ? ପାଖକୁ ଡାକିଲେ। କିଛି ନିର୍ଦ୍ଦେଶ ଦେଲେ। ଫେରିଯିବାକୁ କହିଲେ। ପୁଅ ବିଭୂତି ବିଭିନ୍ନ ପ୍ରଶ୍ନ ପଚାରୁ ଥାଏ। ମୁଁ ଉତ୍ତରୁ ଥାଏ।

ଆମେ ସେଦିନ ରାତି ସେଠି ରହିବାର ଯୋଜନା କରିଥିଲୁ। କିନ୍ତୁ ସାଧୁ ନିର୍ଦ୍ଦେଶରେ ବିଶ୍ୱାସ ରଖି ଫେରି ଆସିଲୁ। ବଦ୍ରିନାଥ ଚାମୋଲି ଜିଲ୍ଲାରେ। ଚାମୋଲିରେ ପହଞ୍ଚି ରାତି ଖାଇବା ସାରିଲା ବେଳକୁ ଖବର, ବାଦଲ ଫଟା ବର୍ଷାର। ଆମେ ସକାଳୁ ପହଞ୍ଚିଲୁ ଋଷିକେଶ। ଆମକୁ ଦେଖି ମୋ ଛାତ୍ରଟି ଖୁସି ହେଲା। ଭଗବାନଙ୍କର ଆଶୀର୍ବାଦ। ଟିଭିରେ ପ୍ରସାରିତ ସମ୍ବାଦ ଦେଲା। ପ୍ରାୟ ୮ଟା ବେଳକୁ ପାଣି ପହଞ୍ଚିଲା। ଆମେ ଶିବାନନ୍ଦ ଆଶ୍ରମ କଡ଼ରେ। ଆମ ପାଖରେ ବହି ଗଲା ଉନ୍ମତ୍ତ ପାଣି। ଭାସି ଯାଉଥାଏ ଘର, ଗାଡ଼ି, ଗ୍ୟାସ ଟାଙ୍କି ଆଉ ଗଛ କେତେ କ’ଣ। ଆମେ ଗଲା ବେଳକୁ ରାତି ବିତେଇ ଥିବା ହୋଟେଲଟି ଆମ ସାମ୍ନାରେ ଭାସିଗଲା।  ଆମେ ଦେଖିଲୁ। ଏମିତି କେତେକେତେ ଗପ ପରି ଲାଗୁଥିବା କଥା ଭାବିଲେ ସତେଜ।

ସତର୍କ ସଞ୍ଜୟ। ବିନମ୍ରତାର ସହିତ, ବିଶ୍ୱାସର ସହିତ ପଦପାତ। ସୂର୍ଯ୍ୟ ନଦୀ, ସାଗର, ନର୍ଦ୍ଦମାରୁ ପାଣି ଗ୍ରହଣ କଲା ପରି ଭଲକୁ ଆଦର, ଭେଲକୁ ନମସ୍କାର “ବିଶ୍ୱାସରେ ଉଶ୍ୱାସ, ଅବିଶ୍ୱାସରେ ସର୍ବନାଶ” ବୁଦ୍ଧିଆବାଣୀ, ଅନ୍ତରରେ ଦିଗ ବାରେଣୀ।

(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ମତାମତ ନିଜସ୍ୱ)

Tag: #Trunadapi #ProfSanjayKumarSatapathy #BiswaseSambhaba #ପ୍ରଫେସରସଞ୍ଜୟକୁମାରଶତପଥୀ #ତୃଣାଦପି

Comment