ପ୍ରଫେସର ସଞ୍ଜୟ ଶତପଥୀ
‘ତୃଣାଦପି’- ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି।
(ଭାଗ – ୮)
ମଞ୍ଚ ବୋଇଲେ ପୃଥିବୀ। ମର୍ତ୍ତ୍ୟ ମଣ୍ଡଳ। ଏ ମଞ୍ଚରେ କେତେ କଳାକାର। ନାଟକ ଅଜଣା। ନିର୍ଦ୍ଦେଶକ ଅଦୃଶ। ନିଜକୁ ଶ୍ରେଷ୍ଠ ଜୀବ ବିଚାରର ମଣିଷ। ହେଲେ ପଶୁମାନଙ୍କର ଗୁଣବିଶେଷ, ଆଦରିବା କଷ୍ଟ। ପିମ୍ପୁଡ଼ି, ମହୁମାଛିର ଶୃଙ୍ଖଳାଠୁ କାଉର ଦଳଗତ ସ୍ୱଭାବ, ସବୁ ଅନନ୍ୟ।
ପିଲାଦିନେ ରଥ ଯାତବେଳେ ଦାଣ୍ଡରେ ନଡିଆ ଗୋଟମା ରଥ ତିଆର୍’ ରଥ ସଜା, ରଥ ଟଣାଠୁ ଦର୍ଶକ ମୋହରେ। ବୋରିକିନାରେ ଗୋଟିଏ ପ୍ରସିଦ୍ଧ ଯାତ୍ରାପାର୍ଟି ଥାଏ। ଓଡ଼ିଶାର, ଓଡ଼ିଶା ବାହାରର ବିଭିନ୍ନ ଜାଗାକୁ ଯାଇ ସେମାନେ ଯାତ୍ରା କରୁଥିଲେ। ଧାନ ବିଲରୁ ରିହାତି ବେଳେ ତା’ର ପ୍ରସ୍ତୁତି ବେଳେ ନବ ରସର ପରଷାର ପ୍ରଚେଷ୍ଟା ଇଏ ଥିଲା ସେମାନଙ୍କର ଗୋଟେ ଜୀବନ ଚର୍ଯ୍ୟାର ପନ୍ଥା। ରାତିର ରଜା। ନାୟକ ସକାଳୁ ରଙ୍ଗ ଅଛଡ଼ା ମୁହଁରେ ପୋଖରୀ ହୁଡ଼ାରେ ଦାନ୍ତ ଘଷୁଥିବା ଢଙ୍ଗ ଦେଖିବାକୁ ମଧୁର ଥିଲା। ରୂପ-ରଙ୍ଗ-ରସ ବିଭବ ଅଜାଣତରେ ମନରେ ପ୍ରଭାବ ପକେଇଥିଲା।
କବିବର ରାଧାନାଥ ରାୟଙ୍କ ଯୁଗାନ୍ତକାରୀ ଲେଖା – “କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ। ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ”। ନିଚ୍ଛକ ସତ କଥା। କବିବରଙ୍କର ପ୍ରକୃତି କବି ଗଙ୍ଗାଧର ମେହେରଙ୍କୁ ଲେଖିଥିବା ଚିଠିର ଧାଡ଼ି ମନରେ ଅଲିଭା। “ଆପଣଙ୍କଠାରୁ ପତ୍ର ପାଇବା ଓ ପତ୍ର ଦେବା ମୋ ଜୀବନର ଉପଭୋଗ ବିଶେଷ। ଆପଣ ସୁକବି, ସୁଲେଖକ ଏହି କଥା ମନେ କରି ମୁଁ ଯେ ଆପଣଙ୍କୁ ଶ୍ରଦ୍ଧା କରେ ତା’ ନୁହେଁ। ମୁଁ ଜାଣେ ଆପଣ ପବିତ୍ର ହୃଦୟ ସାଧୁ ପୁରୁଷ। ଆପଣ କେବଳ ମୋହର ଶ୍ରଦ୍ଧା ଆକର୍ଷଣ କରି ଅଛନ୍ତି। ଅର୍ଥୈକ ଦୃକ୍, ପଦୈକ ଦୃକ୍, ମୋହର ଚକ୍ଷୁରେ ଆପଣଙ୍କ ମୂଲ୍ୟ କୋହିନୂର ଅପେକ୍ଷା ଅଧିକ। ଓଡ଼ିଶାକୁ ଯେବେ ସ୍ନେହ କରିବାର ଅନ୍ୟ କୌଣସି କାରଣ ନଥାନ୍ତା, ଏକମାତ୍ର ଆପଣଙ୍କ ସ୍ନେହରୁ ମୁଁ ଓଡ଼ିଶାକୁ ସ୍ନେହ କରନ୍ତି…”।
ଅମୃତ ପଖଳା ଧାଡ଼ି। ବାରବାର ପଢ଼ିଲେ ଆହୁରି ପଢ଼ିବାକୁ ମନ। ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ’। ଗାଁ ବିଲ ପାଖ ଜୋରରେ କାର୍ତ୍ତିକ ମାସରେ ଧ୍ୟାନ ମୁଦ୍ରାରେ ବଗମାନଙ୍କୁ ଦେଖିବାକୁ ଭଲ ଲାଗୁଥିଲା। ବଗମାନେ ବି କାର୍ତ୍ତିକ ପଞ୍ଚୁକରେ ମାଛ ଖାଆନ୍ତି ନି ବୋଲି ଗାଁରେ ଶୁଣିଥିଲି। ପରେ ଗୋପାଳ ଓଗାଳରୁ ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇଥିଲି। କାର୍ତ୍ତିକର ବଗବଗୁଲୀ ଜୀବନ, ଆଷାଢ଼ରେ ମୟୁରର ନୃତ୍ୟର କାରୁଣ୍ୟ,ଏମିତି ଅନେକ। କାର୍ତ୍ତିକରେ ବଗୁଲୀ କାଳେ ଅଣ୍ଡା ଦିଏ। ସେ ଅଣ୍ଡା ତ ଦେଖିନି। ତେବେ ବଗୁଲୀ ଅଣ୍ଡା ଦେଲା ପରେ ବଗ ଜଗେ। ବଗୁଲୀ ଦିହ ସଳଖେ। ବଗୁଲୀ ମାଛ ଶିକାର କରି, ବଗ ପାଟିରେ ଦିଏ। ହଳଦୀ ବସନ୍ତ ଏତେ ହଳଦୀ ରଙ୍ଗ କେଉଁଠୁ ଆଣିଲା, କାଠ ହଣା ଚଢ଼େଇ କେମିତି କାଠହାଣେ, ଭଦଭଦଳିଆ ପକ୍ଷୀ କେମିତି ବହୁଦୂରରୁ ବି ବାରି ହେଇଯାଏ। ପକ୍ଷୀମାନେ କାହିଁକି ଇଂରାଜୀ ‘ଭି’ ମୁଦ୍ରାରେ ଦୂର ଆକାଶରେ ଉଡ଼ନ୍ତି, କୋଇଲି ଗହଳ ଆମ୍ବଗଛରେ କେଉଁଠି ଲୁଚିଥାଏ, କାହିଁକି ଦିଶେନି, ଧାନ କେଣ୍ଡାଟିଏ ଧରି ପକ୍ଷୀଟିଏ ଆଡ଼େ ଯାଏ, ଏମିତି ଅନେକ ପ୍ରଶ୍ନ ମନକୁ ଆସେ। ପଚାରିଲେ ସବୁର ଉତ୍ତର ବି ଳେନି। ବଡ଼ ହେଲେ ଜାଣିବୁ, ଏଇ ପ୍ରତୀକ୍ଷାରେ ରହିବାକୁ ପଡ଼େ।
ଭଦଭଦଳିଆ (ଭରଦ୍ଵାଜ) ପକ୍ଷୀ
ଧାନ କ୍ଷେତ ହିଡ଼ର କଡ଼େ କଡ଼େ ମାଡ଼ିଥାଏ କଣ୍ଟା ଗଛଟିଏ, କୋଇଲି ଖିଆ। ଏଠି ଏ କଣ୍ଟା ଗଛ କାହିଁକି ? ଜଣେ ଦାଦି କହିଥିଲେ, ଧାନ କାଟୁ କାଟୁ ହାତ କଟି ଗଲେ, ଏଇଥିରୁ ଟିକେ ରସ ଲଗେଇ ଦେଲେ, ଭଲ ହେଇଯାଏ। ଏ ପ୍ରକୃତିର ଦାନ। ମନକୁ ଛୁଇଁଥିଲା। ହଁ, ଧାନ କାଟୁ କାଟୁ କେବେ ତ’ ହାତ କଟୁଥିବ। ପ୍ରକୃତି ସେଥିପାଇଁ ଏମିତି ସଂଯୋଗ କରିଛି। ଏତେ ଫୁଲ, କାହାର ରଙ୍ଗ କାହା ସାଙ୍ଗେ ସମାନ ନୁହେଁ। ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ପ୍ରକାରର ଫଳ। ସୁଆଦ ନିଆରା। କେତେ ସୁନ୍ଦର ସଂରଚନା ସତରେ! ଯାଆଁଳା ମନ୍ଦାର, ଯାଆଁଳା କଦଳୀ, ଯାଆଁଳା ବେଲ, ପଞ୍ଚ ପତ୍ରୀ, ସପ୍ତପତ୍ରୀ ବେଲ ପତ୍ର ଆଖିରେ ପଡ଼ିଲେ ସ୍ୱତଃ ପ୍ରଶ୍ନ ଆଙ୍କୁରେ – ଏମିତି କେମିତି?
ଭୁବନେଶ୍ୱର କ୍ୱାଟରରେ ଥରେ ଗୋଟିଏ ପେନ୍ଥିରେ ପାଞ୍ଚଟି ବେଲ ଫଳିଲା। ସେ ବର୍ଷ ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କର ସିଧା ପ୍ରସାରଣ ସାରି ଚତୁର୍ଥ ପହର ପୂଜା ପାଇଁ ସେ ପଞ୍ଚବେଲ ପ୍ରଭୁଙ୍କ ସେବାରେ ଲାଗିଥିଲା। ମା’ ଦୁର୍ଗାଦେବୀଙ୍କର ପୂଜା ସଙ୍ଗେ ଯୋଡ଼ା ହୋଇଛି ପିଲାବେଳୁ। ବେଲ ବରଣ ଦେଖିବାରୁ ଭାରି ଭଲ ଲାଗିଥିଲା। ମା’ଙ୍କ ପୂଜା ନିମିତ୍ତ କଦଳୀ, ସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି, ମାଣସାରୁ ଓ ଧାନ। ଏହି ନବଜାତି ପତ୍ର ହେଲେ ନବ ପତ୍ରିକା। ମା’ଙ୍କ ପୂଜାରେ ଲାଗେ। କି ସୁନ୍ଦର ପରିକଳ୍ପନା ସତରେ! ପରିବେଶ ସାଙ୍ଗେ ମନ ଯୋଡ଼ିବା ପାଇଁ, ପ୍ରତିବର୍ଷର ଏକ ନାଟକୀୟ ଦୃଶ୍ୟ।
ଅଷ୍ଟରୁ ଏକାଦଶ ଶ୍ରେଣୀ ରହଣି ଭୁବନେଶ୍ୱରର ୯ ନମ୍ବର ଫ୍ଲାଟ। ବିଦ୍ୟାଳୟ – ଶହୀଦନଗର ଉଚ୍ଚବିଦ୍ୟାଳୟ। ନବମ, ଦଶମ ଶ୍ରେଣୀ ବେଳେ ଫ୍ଲାଟ ଛାତ ଉପରେ ନାଟକ ଛୋଟଛୋଟ ପିଲାଙ୍କୁ ଧରି। ଶୁଣିଥିବା, ପଢ଼ିଥିବା ଗପମାନଙ୍କୁ ନେଇ ପ୍ରାୟ ରବିବାର ଅପରାହ୍ନରେ ନାଟକ। କେବେ ଶ୍ରବଣ କୁମାର ବଧ ତ’ କେବେ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ, କେବେ ହନୁମାନଙ୍କ ଲଙ୍କା ପ୍ରବେଶ ତ’ କେବେ ଖୁମ୍ବରୁ ନୃସିଂହ ବିଜେ। ଅଲେଖା ନାଟକ। ଗପଟିକୁ ନେଇ ଟିକେ ଆଲୋଚନା। କିଏ କ’ଣ କରିବ, କ’ଣ କହିବ। ଦି’ ଚାରିଥର ଦୋହରେଇ – ମଞ୍ଚ ପ୍ରବେଶ। ଦିନେ କଟା ଓଉ ସବୁ ଏକାଠି ହୋଇ ଛାତ ଉପରେ ଲୁଗା ସଫା ତାରରେ ବନ୍ଧା ହୁଏ। ପିଲା ଦିନେ ଯାତ୍ରାରେ ଦେଖିଥିବା ଡେ’-ଲାଇଟ ସିଏ। ଗୋଟେ ଛାତରେ ନାଟ। ଆର ଛାତରେ ଦର୍ଶକ। ସାଥି ଦେଉଥିବା କିଛି ପିଲା ଆର ପାରିକୁ ଗଲେଣି। ଯିଏ ଯୋଉଁଠି ଅଛନ୍ତି ଭଲରେ ଥାଆନ୍ତୁ।
ଏକାଦଶ ଶ୍ରେଣୀରେ ହାଇସ୍କୁଲରେ ପ୍ରଥମେ ବାର୍ଷିକ ଉତ୍ସବ ହେଲା। ନାଟକ ବୈଷ୍ଣବ ପାଣିଙ୍କ ‘କର୍ଣ୍ଣ ବଧ’। ମୋ ଭାଗରେ ପଡ଼ିଲା ‘ଶ୍ରୀ କୃଷ୍ଣ’ ଭୂମିକା। ଦାସକାଠିଆରେ ଗାୟକ। ଫଳାଫଳ, ଶ୍ରେଷ୍ଠ ନାୟକ। ବହୁ ବର୍ଷ ପରେ ପ୍ରଶାନ୍ତ ଆଚାର୍ଯ୍ୟ ଯିଏ ଭୀମ ଭୂମିକାରେ ଅଭିନୟ କରୁଥିଲା, କହିଲା ଭାଇ ତମେ କାହିଁକି ‘ବେଷ୍ଟ ଆକ୍ଟର’ ହେଲ ଜାଣିଛ? ତମେ ଯେଉଁ ଗୀତ ଗାଇଲ, ଆଉ ତା’ ସାଙ୍ଗେ ଅଭିନୟ, ସେଇଟା ନାଟକର ଶ୍ରେଷ୍ଠ ଦୃଶ୍ୟ ଥିଲା।
୧୯୭୭ ମସିହାରେ ଏକାଦଶ ଶ୍ରେଣୀ ପରେ ରେଭେନ୍ସା ଆସିଲି ପଢ଼ିବାକୁ। କିଛି ନୂଆ ସାଙ୍ଗ ତା’ ଭିତରୁ ଜଣେ ବିଭୁ କଲ୍ୟାଣ। ଚାଉଳିଆ ଗଞ୍ଜରୁ ପଟାପୋଲ ଯାଏ ତା’ ଘରକୁ। ସାଇକେଲରେ ଆମେ ଯାଉ ମହାନଦୀ କୂଳ। ସେଠି ସାହିତ୍ୟ, ସଙ୍ଗୀତ, ଇତିହାସ ଆଦିର ଆଲୋଚନା ବେଶୀ’ ପର ଚର୍ଚ୍ଚା କମ୍। ଶୂନ କହିଲେ ଚଳେ। ସେ ପ୍ରତିଦିନ କିଛି ନୂଆ ପଢ଼ିଲା କଥା କହେ। ମୁଁ ବି କିଛି କହେ। ଏମିତି ରସାଳ ହୋଇଯାଏ ସମୟ। ପଥରରେ ମହାନଦୀର କଳ କଳ ଶବ୍ଦ କେବେ କେବେ ଚୁପଚାପ ଶୁଣାହୁଏ। ଥରେ ରେଡ଼ିଓ ଯୁବବାଣୀର ରେକର୍ଡ ହବାକୁ ଥିବା ଗୀତରେ ଜଣେ ଗାୟକ କମ୍ ପଢ଼ିବାରୁ ସେ ମତେ ଡାକି ନେଲା। ସେଠୁ ରେଡ଼ିଓ ପ୍ରବେଶ। ତା’ପରେ ନାଟକରେ ଅଭିନୟ। ‘ସମୟ’ ଥିଲା ଭୂମିକା ବହୁ ଆଦୃତ ହୋଇଥିଲା। ତା’ପରେ ଅନେକ ନାଟକ, ଗୀତ, କବିତା, କ୍ୱିଜ୍ ଆଉ ସାକ୍ଷାତକାର। ଏମିତି କେତେ କ’ଣ।
୧୯୮୧ ମସିହା। ସ୍ନାତକ ପରୀକ୍ଷା ସରିଥାଏ। ମୁଁ ମହାନଦୀ କୂଳରେ ବୁଲୁବୁଲୁ ଦେଖା ହେଲା ବନ୍ଧୁ ପ୍ରୀତିରଞ୍ଜନ। ତା’ ଘରକୁ ଡାକି ନେଲା। ତା’ର ବଡ଼ଭାଇ କହିଲେ “ତୋର ଆଖି କ’ଣ ତୋ ଓଠ ବେଶୀ କଥା କହୁଛି”। ତୁ ଟିଭିରେ କରିପାରିବୁ। ସାମନ୍ତ ବାବୁ ଭାବରେ ଜଣାଶୁଣା ସେ, କ’ଣ ଟି.ଭି. ରିସର୍ଚ୍ଚ ୱିଙ୍ଗରେ ଥାଆନ୍ତି। ମୁଁ ଯାଇ ଫର୍ମ ଆଣି ପୂରଣ କରିଦେଲି। ସେପ୍ଟେମ୍ବର ୨୧ରେ କ୍ୟାମେରା ଅଡିସନ୍। ସେଦିନ ବାପାଙ୍କ ଦେହ ବହୁତ ଖରାପ। ଘରେ ଦୁଃଖ ଦୁଃଖ ପରିବେଶ। ମୋର ଅପାଠୋଇ, ହେଲେ ପାରିବାର ବୋଉ କହିଲା – ଘରେ ମୁହଁ ଶୁଖେଇ ବସିଲେ କ’ଣ ବାପା ଦେହ ଭଲ ହେଇଯିବ? ଯା’, କ’ଣ ଗୋଟେ ପରୀକ୍ଷା ପରା, ଦେଇଦେ। ମୁଁ ଟି.ଭି. କ’ଣ ଦେଖି ନଥାଏ, ବୋଉ ଲାଗି ସାତସପନ। ଗଲି ମୋ ଭାଗରେ ଯୋଉଁ ନାଟକ ପଡ଼ିଲା, ସେ ଛତ୍ରପତି ଶିବାଜୀ। ସୁରେନ୍ଦ୍ର ମହାନ୍ତିଙ୍କର ଓଜନଦାର ଲେଖା। ଥାକେ ସ୍କ୍ରିପ୍ଟରୁ ଗୋଟେ ଗୋଟେ ଟାଣି ଜଣ ଜଣଙ୍କୁ ଦିଆହେଉଥାଏ।
ଅଠେଇଶି ଜଣ ପ୍ରତିଯୋଗୀ। ପ୍ରୌଢ଼ଜଣଙ୍କ, ଯିଏ ସ୍କ୍ରିପ୍ଟ ଦେଉଥିଲେ, କହିଲେ ଇଆକୁ କଷ୍ଟ ଟାଏ ପଡ଼ିଲା। ବଦଲେଇବକି ? ମୁଁ ସେତେବେଳକୁ ତା’ର ପୃଷ୍ଟା ଉପର ଲେଖା ଦେଖି ସାରିଥାଏ। ଛତ୍ରପତି ଶିବାଜୀ। ବୟସ ୨୧। ମୁହଁରେ ଅଳ୍ପ ଅଳ୍ପ ଦାଢ଼ି। ମୁଁ ସେତେବେଳକୁ ଦାଢ଼ିକାଟି ନ ଥାଏ। କହିଲି, ଆଜ୍ଞା, ଯାହା ପଡ଼ିଲା, ପଡ଼ିଲା। ବାକୀ ପ୍ରଭୁକୃପା। ସେ ହସି ଦେଲେ। ସେ ଧାରେ ହସ ଯେମିତି ମୋ ଲାଗି ଅକୁଣ୍ଠ ଆଶୀର୍ବାଦ ଥିଲା। ବେଶ୍ ଚମତ୍କାର ଭାଷା ଓ ଲମ୍ବା ଲମ୍ବା ସଂଳାପ। ପ୍ରାୟ ଫୁଟେ ବ୍ୟାସାର୍ଦ୍ଧର ଗୋଟେ ଚକ୍କଟା ଗୋଲ। ଗୋଲ ଭିତରେ ଅଭିନୟ ସୀମା। ମୋ ସାଙ୍ଗରେ ବହୁ ପ୍ରତିଷ୍ଠିତ, ନାମକରା ଅଭିନେତା, ଅଭିନେତ୍ରୀ। ଲେବସା ଦୋହଲୁ ଥାଏ – ମୁଁ କାହାକୁ ନ ଅନେଇ ନିଜ କାମରେ ମଗ୍ନ ହୋଇଯାଏ।
ରେଭେନ୍ସା ସଞ୍ଜୟ
ମୋ ପାଳି ଆସିଲା – ୩ଟି ସଂଳାପ ପରେ ନିଜେ ମନରୁ କିଛି କରିବା ଲାଗି ନିର୍ଦ୍ଦେଶ ଆସିଲା। ବଡ଼ ଦାଣ୍ଡର ଅନ୍ଧ ଭିକାରୀଟିଏ। ତା’ର ଆଶାବାଡି ହଜିଯିବା ପରେ ଅଣ୍ଡାଳି ଅଣ୍ଡାଳି ଖୋଜି ପାଉଚି। ପାଇଲା ପରେ କୃତ୍ୟକୃତ୍ୟ ହୋଇ ଗାଉଛି – “ଆସିଥିଲି କାଳିଆ ତୋ ଦରଶନ ପାଇଁରେ। ତତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ”। ବାସ୍ ଏତିକିରେ ସରିଲା ବହୁ କମ୍ ସମୟର ଅଡିସନ୍। ସଫଳ ହେବାର ତୀବ୍ରତୃଷ୍ଣା ନଥାଏ । ହେଲେ, ସଫଳ ହେବାର ପତ୍ର ମିଳିଲା। ସ୍ୱର୍ଗତ ଶରତ ମହାନ୍ତିଙ୍କର ନିର୍ଦ୍ଦେଶନାରେ ପ୍ରଥମ ଟିଭି ନାଟକ – ‘ସ୍ୱପ୍ନ ସେଇଠି’। ତାଙ୍କ ସହାୟକ ଥିବା ତାପସ ବୋଷଙ୍କର ଭାଇ ରାତିରେ ଚାଲିଗଲେ। ତେଣୁ ସିନ୍ ଅନୁସାରେ ଲେଖାଲେଖିର ଭାର ମୋ ଭାଗରେ ପଡ଼ିଲା। ନାୟକଙ୍କର ଗଡ଼ଗଡ଼ିଆ ତତଲା ବାଲିରେ ଅଭିନୟ ପାଇଁ ଜୋତା ନୁହେଁ ଚପଲ ଲୋଡ଼ା ପଡ଼ିଲା। ମୋ ଚପଲ ପିନ୍ଧିଲେ। ଖାଲି ପାଦରେ କ୍ୟାମେରା ପଛେ ପଛେ ରହି ମୋର ଖାଲି ପାଦରେ ଟ୍ରେନିଂ ଆରମ୍ଭ। ମୁହଁ ସଞ୍ଜରେ ମୋର ସୁଟିଂ ହେଲା ବକ୍ସି ବଜାର ନିକଟ ଗୋଟେ ଗ୍ୟାରେଜରେ। ପ୍ରଥମ ରଙ୍ଗୀନ ରିଲର ପ୍ରଥମ ମୁହଁ। ଅଳ୍ପ ଅଭିନୟ କିନ୍ତୁ ବହୁତ ବଧେଇ ମିଳିଥିଲା। ଜଣେ କହିଲେ, ଏ ନାଟକର ୨ୟ ଅଧ୍ୟାୟ ହୋଇଥିଲେ ତମକୁ ବିଶେଷ ଭୂମିକାରେ ଦେଖିବାକୁ ମିଳିଥାନ୍ତା। ତା’ର କିଛିଦିନ ପରେ ରତି ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ନାଟକ ‘ରାମ ବନବାସ’। ଆଶ୍ଚର୍ଯ୍ୟ ଭାବରେ ମତେ ମିଳିଲା ‘ଦଶରଥ’ ଚରିତ୍ର। ଭଲରେ ଗଲା।
ଏମିତି ଚାଲିଗଲା ୧୯୮୧-୧୯୮୮। ୧୯୮୮ରେ ଦୂରଦର୍ଶନ ସଂପ୍ରସାରିତ ହେଲା। ଆରମ୍ଭ ହେଲା ଯୁବଦର୍ଶନ। ‘ଯୁବଦର୍ଶନ’ର ପ୍ରଥମ ଉପସ୍ଥାପକ ହିସାବରେ ଜୟନ୍ତୀ ରଥ ମତେ ଚୟନ କଲେ। ସେଠି ଅନେକ ପରୀକ୍ଷା ନିରୀକ୍ଷା। ଆଉ ଟିଭିରେ ନାଟକ ହେଇପାରିଲାନି। ଉପସ୍ଥାପକ ହେଲି। କେତେ ଚ୍ୟାନେଲ ଗଢ଼ା ହେଲେ। ଅନେକ କାର୍ଯ୍ୟକ୍ରମ – ଅସ୍ତରାଗ, ଫୋନ୍ଇନ୍, କଲ୍ୟାଣୀ, ସୁରଭି, ଶ୍ରାବଣ ସୋମବାର, ସ୍ୱାଧୀନତାର ସୁବର୍ଣ୍ଣଜୟନ୍ତୀ, ସାଇ ଦିଗନ୍ତ, ସାଇ ନିର୍ମାଲ୍ୟ . . . ଏମିତି କେତେ। ୨୦୦୪ରୁ ଧାରାବିବରଣୀ ଦୁର୍ଗାପୂଜା ଭସାଣି, ୨୦୦୬ରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଏସବୁ କାମ ବାପ ଛେଉଣ୍ଡ ସଞ୍ଜୟକୁ ନେଇ ଚାଲିଛି ଅଜଣା ପଥରେ।
ବାପା ନଥିବା ପୁଅ କାନ୍ଧରେ ନଅଖିଅର ପଇତା। ନବ ଲକ୍ଷଣର ସାଧନା। ଆଚାର, ବିନୟ, ବିଦ୍ୟା, ପ୍ରତିଷ୍ଠା, ତୀର୍ଥ ଦର୍ଶନ, ନିଷ୍ଠା, ବୃତ୍ତି, ତପ ଓ ଦାନ। ବ୍ରାହ୍ମଣର ନବ ଚିହ୍ନ। ନମ୍ର ଭାବରେ ବିଚାରି, ପଚାରି, ଆଦରି ଆଗେଇବା କଥା। ପଇତା କାନ୍ଧରେ ପିନ୍ଧିଲେ ଜଣେ ବ୍ରାହ୍ମଣ ହୁଏନି। ପଇତା ନ ପିନ୍ଧା, ପାଠ ନପଢ଼ିଥିବା, ଧନ, ଆସନ ଅଳଙ୍କାର ନଥିବା କିଛି ଚରିତ୍ରଙ୍କ ପାଦ ଛୁଇଁ ପ୍ରଣାମ କରିବାରେ ନିଜକୁ ଅସହଜ ମନେ କରିନି ସଞ୍ଜୟ। ବରଂ ସେମାନଙ୍କ ଐଶ୍ୱରୀୟ ଆଭା ପାଖରେ ଅବନତ। ରାଜର୍ଷି ଜନକ ତ’ ଶଗଡ଼ିଆ ରୈକ୍ୟ ପାଖରୁ ଜ୍ଞାନ ଶିକ୍ଷା କରିଥିଲେ।
ଜାତୀୟ ସ୍ତରର ଶ୍ରେଷ୍ଠ ନାଟକ ହୁ ହରେ ବାଘୁଣୀର କଥା
ଆଉ କିଛି ନାଟକର ପ୍ରଭାବ ଅନେକ। ଆଦ୍ୟ ସ୍ନାତକ ବେଳେ କଳା ବିକାଶ କେନ୍ଦ୍ରର ନାଟକ ଥିଲା ‘କନିଷ୍କ-କନିଷ୍କ’। ଦୁଇ ପୁରୁଷ ଓ ଦୁଇ ନାରୀ ଚରିତ୍ରକୁ ନେଇ ପରୀକ୍ଷାର୍ଥୀ ନାଟକ। ମୁଖ୍ୟ ନାୟକ – ସ୍ୱର୍ଗତ ରମାକାନ୍ତ ମିଶ୍ର। ମଞ୍ଚ ପରେ ନାଟକ ଶେଷ ଯାଏ ତାଙ୍କୁ ଡାଡି ଡାକ। ଚରିତ୍ର ଥିଲା ‘ବବ୍ଲୁ’। ନାୟିକା ଯେତେବେଳେ ଅର୍ଦ୍ଧ ନିମୀଳିତ ଅପଲକୀ ଆଖିରେ – ବବ୍ଲୁ – ତମର ଉଚ୍ଚ କପାଳ ତଳେ, ଚିକଚିକ୍ ଆଖି, ଲମ୍ବା ନାକ, ସରୁ ନିଶ, ଲାଲ୍ ଓଠ…. ମୁଁ ପାରୁନି ବବଲୁ” କହି ଆଗେଇଲେ- ମୁଁ ଡରରେ ଦୌଡ଼ିକି ମଞ୍ଚରୁ ପଳେଇ ଥିଲି। ବଡ଼ମାନେ ବୁଝେଇଲେ। ସାହସ ଦେଲେ। ନାଟକର ଦ୍ୱିତୀୟ ଭାଗରେ ଅଭିନୟର ଦବ୍ ଦବା ରହିଲା। କଳା ବିକାଶ କେନ୍ଦ୍ରରେ ଘନ ଘନ କରତାଳି। ତା’ପରେ ଆଉ ମଞ୍ଚ ରୋମାଞ୍ଚ ଆଉ ମଉଳିନି।
ସଞ୍ଜୟ ଆଉ ପଛକୁ ଚାହିଁନି। ଶ୍ୟାମା ଚୌଧୁରୀ, ରୁଦ୍ର ମହାନ୍ତି, ମଞ୍ଜୁ ବେହେରା, ମନୋଜ ପଟ୍ଟନାୟକ, ଅକ୍ଷୟ ମହାନ୍ତି (ଦୁରଦର୍ଶନ), ବୀଣା ଦେବୀ, ତାପସ ବୋଷ, ଶାରଦା ପ୍ରସାଦ ନାୟକ, ଗୋପାଳ ଛୋଟରାୟ, ରମାପଦ ନନ୍ଦ, ଜଗନ୍ନାଥ ଦାସ, ସୁନୀତି ମିଶ୍ର, ନୟନ କିଶୋର ମହାନ୍ତି, ରବି ଶତପଥୀ, ଅଜୟ ମହାନ୍ତି, ରବି ମିଶ୍ର, ନଦିୟା ବିହାରୀ ମହାନ୍ତି, ନିଳାଦ୍ରୀ ମୋହନ ଶତପଥୀ, ଗାଗରିନ ମିଶ୍ର, କୈଳାସଚନ୍ଦ୍ର ଟିକାୟତରାୟ, ମନୋରଞ୍ଜନ ଦାସ (ତାଙ୍କ ଆତ୍ମଜୀବନୀରେ ସଞ୍ଜୟର ନାଁ ଲେଖା), ମାମୁଁ ଭବାନୀ ପ୍ରସାଦ ଦାଶ ଆଦିଙ୍କର ଅବଦାନ ଓ ଶ୍ରଦ୍ଧା ସଞ୍ଜୟକୁ ପରିପୁଷ୍ଟ କରିଛି।
ଅନ୍ନପୂର୍ଣ୍ଣା ମଞ୍ଚରେ ନାଟକ ବିସ୍ତୃତି ପରେ’। ନିଜ ରଚନା। ଏ ନାଟକରେ ଅଭିନୟ କରିଥିବା କଳାକାରମାନେ ବହୁ ପ୍ରତିଷ୍ଠିତ। ବିନୁ ଭାଇ, ବାଙ୍କୁ ଭାଇ ଏମାନେ ଗୋଟେ ଗୋଟେ ଉଜ୍ୱଳ ତାରକା। ସେଇ ନାଟକରେ ଲେଖା ସହିତ ନିଜ ନିର୍ଦ୍ଦେଶନା, ମୁଖ୍ୟ ଚରିତ୍ରରେ ଅଭିନୟ – ରେଭେନ୍ସା ମଞ୍ଚରେ, ଆଇଏସଏମ ଧାନ ବାଦର ମଞ୍ଚରେ। ଅନନ୍ତ ଭାରତୀ, ବିକ୍ରମ ଦାସ, ବିରେନ ମିଶ୍ର, ସୁଷମା ପାତ୍ର ତଥା ସ୍ୱର୍ଗତ ମିହିର ଦାସ ଆଦି ଗୁଣୀ କଳାକାରଙ୍କ ସହ କାମ କରି ଶିଖିବାର ସୁଯୋଗ କେବେ ଛାଡ଼ିନି। ବହୁ ପ୍ରତିଷ୍ଠା ମିଳିଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ମହାବିଦ୍ୟାଳୟ ମଞ୍ଚରେ ବିନାୟକ ଦେବ ଓ ସାଥିମାନେ ଚମତ୍କାର ଭାବରେ ପରିବେଷଣ କରିଛନ୍ତି ଏହି ନାଟକ ସହିତ ଆଉ ଏକ ନାଟକ ‘ଉତ୍ତାନ ପାଦ ଆଦାମ୍’ ।
ଶୈଳବାଳା ମହିଳା ମହାବିଦ୍ୟାଳୟ, କଟକ ମଞ୍ଚରେ ନିଜ, ଲେଖା ଓ ନିର୍ଦ୍ଦେଶନାର ନାଟକ ‘ଶିଉଳୀ ସମୁଦ୍ର’ ଭାଗ୍ୟବତୀ ମଲ୍ଲ ଓ ସାଥୀମାନଙ୍କ ଦ୍ୱାରା। ଏଇ ନାଟକବି ମଞ୍ଚସ୍ଥ ହୋଇଥିଲା ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ମଞ୍ଚରେ। ନାଟକ ‘ଆଶାର ଅରଣ୍ୟ’ ସରକାରୀ ମହାବିଦ୍ୟାଳୟ, ଭବାନୀପାଟଣା, ରେଭେନ୍ସା ବିଶ୍ୱବିଦ୍ୟାଳୟ ମଞ୍ଚରେ ବହୁ କଳାକାର ତିଆରି କରିଛି। ଏନସିସିର ଜାତୀୟ ସଂହତି ଉପସ୍ଥାପନାରେ ‘ଆମ ଓଡ଼ିଶା’ ବେଶ୍ ଆଦୃତ ହେଇଛି। ବର୍ଷ ବର୍ଷ ଧରି। କେତେକେତେ ପଥପ୍ରାନ୍ତ ନାଟକ, ବାର୍ତ୍ତା ଧର୍ମୀ ନାଟକ। ସବୁ ସଜେଇ ରଖିପାରିନି। କିଛି ମହାବାତ୍ୟାର ଶିକାର, ଆଉ କିଛି ଉଇ ମୁହଁରେ ମାଟି। ନାଟକ ‘ହୁ ହା’ ଯାହା ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ବହୁ ନାଁ କରିଛି।
କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଟ୍ୟ ଦଳ (୨୦୨୧)
କଳାହାଣ୍ଡିର ଭୋକ ଓ ବିସ୍ଥାପନ ନେଇ ନାଟକଟିଏ ହେଲା ‘ଶୁଖିଲା ମାଟିର ଲୁହ’। ସ୍ୱର୍ଗତ କାର୍ତ୍ତିକ ରଥଙ୍କର ରଚନା ଓ ନିର୍ଦ୍ଦେଶନା। ୧୯୮୮ ମସିହାରେ ଆହ୍ଲାବାଦରେ ମଞ୍ଚସ୍ଥ ହୋଇଥିଲା ସେଥର ଅଭିନୟ ନିଆରା ପରିଚୟ ସୃଷ୍ଠି କରିଥିଲା। ମଞ୍ଚ ରୋମାଞ୍ଚ ଥରେ ଜାଗିଲେ ନବ ରଙ୍ଗରେ ରଞ୍ଜିତ ହେଇଯାଏ ମନ। ବୋଉକୁ ଶ୍ମଶାନରେ ଦାହ କରି ଆସି ସକାଳୁ କଲ୍ୟାଣୀର ଉପସ୍ଥାପନା କରିବାକୁ ପଡ଼ିଛି। ଆଠଟି ଅଧ୍ୟାୟ। କେତେକେତେ ଆଶ୍ଚର୍ଯ୍ୟ ଜନକ ଘଟଣା। ଧୈର୍ଯ୍ୟଶୀଳତା କାମ ଦେଇଛି। ସବୁବେଳେ ନୂଆ କିଛି ଶିଖିବାର, ନୂଆ କିଛି କରିବାର ଉତ୍କଣ୍ଠା, ପ୍ରଚେଷ୍ଟା। ରଙ୍ଗମାଖି ମଞ୍ଚକୁ ଯିବା ପୂର୍ବରୁ ବର୍ଷା ପବନ ଧୋଇ ନେଇଛି ମଞ୍ଚ ତ’ କେଉଁଠି ଅଭିନେତା / ଅଭିନେତ୍ରୀ ମଞ୍ଚସ୍ଥ ପୂର୍ବରୁ ନିଖୋଜ, କେଉଁଠି କାଳାନ୍ତର ପରି ନାଟକ ଦୁଇଟି ରିୟଲସେଲ ଦେଇ ସ୍ଥାନ ପୂରଣ କରି ମଞ୍ଚରେ ଠିଆ ହେବାକୁ ପଡ଼ିଛି ତ’ କେଉଁଠି ସତର୍କ ସଙ୍ଘମିତ୍ରା ପରି ନାଟକରେ ବିଶ୍ୱାବସୁର ଅଭିନୟ କରିବାକୁ ପଡ଼ିଛି। ସ୍ପଷ୍ଟ ଉଚ୍ଚାରଣ ପାଇଁ କେଉଁଠି ଗୀତା ଅଭ୍ୟାସ ତ’ କଥା – ଗୀତ ମିଶେଇ କେଉଁଠି ଭିନ୍ନ ପରିବେଷଣ। ମଞ୍ଚ ରୋମାଞ୍ଚ ଧରିରଖି ସତର୍କ ପଦପାତ।
(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି। ମତାମତ ନିଜସ୍ୱ)
Tag: #Trunadapi #ProfSanjayKumarSatapathy #ManchaRomancha #ପ୍ରଫେସରସଞ୍ଜୟକୁମାରଶତପଥୀ #ତୃଣାଦପି