ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ଭୋଟର ମତଦାନ କରିଥିବା ରାଜ୍ୟ ନର୍ବାଚନ କମିଶନ ସୂଚନା ଦେଇଛନ୍ତି। ୩୦ଟି ଜିଲ୍ଲାର ୧,୬୬୯ ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ୭୧ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। କୋଭିଡ ନିୟମ ପାଳନ କରାଯାଇ କେନ୍ଦ୍ରଗୁଡ଼ିକରେ ମତଦାନ କରାଯାଇଛି। ଏହି ନିର୍ବାଚନରେ କେବଳ ପ୍ରାର୍ଥୀ ନୁହନ୍ତି ଟାଣୁଆ ନେତାଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହୋଇଛି।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଏବଂ ବୋଲଗଡ଼ ବ୍ଲକରେ ମୋଟ ୨୮ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୭୩ ସରପଞ୍ଚ ପ୍ରାର୍ଥୀ, ୧୮୦ ସମିତି ସଭ୍ୟ ପ୍ରାର୍ଥୀ ଓ ୧,୦୭୪ ୱାର୍ଡ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨ ଲକ୍ଷ ୪୦ ହଜାର ୪୮୭ ଭୋଟର। ଟାଙ୍ଗି ଏବଂ ବୋଲଗଡ଼ ବ୍ଲକର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ୨୧ଟି ପଞ୍ଚାୟତରେ ମତଦାନ ଶେଷ ହୋଇଛି। ୫୬ଜଣ ସରପଞ୍ଚ, ୪୯ ସମିତି ସଭ୍ୟ, ୩୬୬ ୱାର୍ଡ ମେମ୍ବର ଏବଂ ୧୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ। ନିଜର ନେତା ଚୟନ କରିଛନ୍ତି ୭୩ ହଜାର ୫୯୨ ଜଣ ଭୋଟର।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ମତଦାନ ସରିଛି। ଜୁନାଗଡ଼ ବ୍ଲକର ୩୪ଟି ପଞ୍ଚାୟତର ୪ଟି ଜୋନରେ ୩୯୦ଟି ବୁଥ ହୋଇଥିଲା। ୧୭ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୬୩ ଜଣ ସରପଞ୍ଚ ପ୍ରାର୍ଥୀ, ୧୩୮ ଜଣ ସମିତି ସଭ୍ୟ ଓ ୩୯୬ ଜଣ ୱାର୍ଡ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୧ ,୭୩, ୬୬୦ ଜଣ ଭୋଟର।

 

ସୁନ୍ଦରଗଡ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪ଟି ବ୍ଲକ ବଡଗାଁ, ଲାଠିକଟା, କୁଆଁରମୁଣ୍ଡା ଓ ବଣେଇଁର ୯ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି। ବଡ଼ଗାଁରେ ସର୍ବାଧିକ ମହିଳା ଭୋଟର ରହିଛନ୍ତି।

ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ୩ଟି ଜୋନରେ ୩୨୭ଟି ବୁଥ ରହିଛି। ୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୩୯ ଜଣ ସରପଞ୍ଚ, ୯୮ ଜଣ ସମିତିସଭ୍ୟ ଓ ୪୮୪ ଜଣ ୱାଡସଭ୍ୟ ପ୍ରାର୍ଥୀ ରହିଛନ୍ତି।  ୧ଲକ୍ଷ ୨୯ ହଜାର ୪୯୯ ଜଣ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୫୫ଟି ସମ୍ବେଦନଶୀଳ ବୁଥ ରହିଥିବାରୁ ସେଠାରେ ୨୧ଟି ମୋବାଇଲ ପାଟ୍ରୋଲିଂ ଟିମ୍ ଓ ୨୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଆସନ୍ତା ଫେବ୍ରୁଆରି ୧୮ରେ ଦ୍ଵିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଏବଂ ୨୪ ତାରିଖ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତା ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ।

Comment