ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନ ସମୟରେ ରାଜ୍ୟର ଚାରିଟି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା। ଫଳରେ ୪ଟି ଜିଲ୍ଲାର ୨୫ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ୨୫ଟି ବୁଥରେ ପୁନର୍ବାର ନିର୍ବାଚନ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଘଟଣାର ତର୍ଜମା କରି ରାଜ୍ୟ ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଗୁରୁବାର ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ରାଜ୍ୟରେ ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହୋଇଥିଲା। ୪ଟି ଜିଲ୍ଲା ଯାଜପୁର, ପୁରୀ, ଭଦ୍ରକ ଏବଂ ଢେଙ୍କାନାଳରେ ମତଦାନ ସମୟରେ କେତେକ ସ୍ଥାନରେ ହିଂସା ଦେଖା ଦେଇଥିଲା। କେତେକ ସ୍ଥାନରେ ବିଭିନ୍ନ ଦଳର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ସହ କିଛି ବୁଥକୁ ଦୁର୍ବୃତ୍ତମାନେ ନିଜ ନିୟନ୍ତ୍ରଣକୁ ନେଇଥିବା ଅଭିଯୋଗ ହୋଇଛି। ହିଂସା ଯୋଗୁଁ ୨୫ଟି ବୁଥରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା।

ଏହି ୨୫ଟି ବୁଥ ମଧ୍ୟରେ ଯାଜପୁର ଜିଲ୍ଲାର ୧୧ଟି, ପୁରୀ ଏବଂ ଭଦ୍ରକ ଜିଲ୍ଲାର ୫ଟି ଲେଖାଏଁ ଓ ଢେଙ୍କାନାଳ ଜିଲ୍ଲାର ୪ଟି ବୁଥ ରହିଛି। ଏହି ବୁଥଗୁଡ଼ିକରେ ପୁନର୍ବାର ନିର୍ବାଚନ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଘଟଣାର ତର୍ଜମା କରି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି।

ଆସନ୍ତା ୧୮ ତାରିଖ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ଵିତୀୟ ପର୍ଯ୍ୟାୟରେ ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ। ୧,୫୧୪ ପଞ୍ଚାୟତ ଏବଂ ୨୦,୪୩୬ ଓ୍ଵାର୍ଡରେ ମତଦାନ କରାଯିବ। ମୋଟ ୬୨ ଲକ୍ଷ ୧୦ ହଜାର ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ।

ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୩,୦୬୫ଟି ବୁଥ ସମ୍ବେଦନଶୀଳ ରହିଛି। ମତଦାନ ସମୟରେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ ବୁଥରେ ୩୭,୨୪୫ ଜଣ ପୋଲିସ ଏବଂ ୨୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପୋଲିଂ ପାର୍ଟିମାନେ ବ୍ଲକଗୁଡ଼ିକରେ ପହଞ୍ଚିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Comment