ଓଡ଼ିଶାଲାଇଭ୍ ବ୍ୟୁରୋ

ଯାହା ମୋବାଇଲ ଆଡେଇବ ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ‘କାଚ୍ଚା ବାଦାମ..’ ଗୀତ। ଗୀତଟିକୁ ନେଇ ନିର୍ମାଣ ହୋଇଛି ଲକ୍ଷାଧିକ ରିଲସ୍। ‘କାଚ୍ଚା ବାଦାମ’ରୁ ଭାଇରାଲ ଷ୍ଟାର ପାଲଟିଛନ୍ତି ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବୈଦ୍ୟକର।

“ବାଦାମ ବାଦାମ ଦାଦା କାଚ୍ଚା ବାଦାମ, ଆମାର କାଛେ ନାଇତୋ ବୁବୁ ଭାଜା ବାଦାମ..,ଆମାର କାଛେ ପାବେ ସୁଦୁ ବାଜା ବାଦାମ…”। ବର୍ତ୍ତମାନ ଏହି ଗୀତି ଖୁବ ଲୋକ ପ୍ରିୟତା ହାସଲ କରିଛି। ଠିକ୍ ଭାବେ ଏହି ଗୀତର ଶବ୍ଦଗୁଡ଼ିକ ବୁଝା ପଡ଼ୁନଥିଲେ ମଧ୍ୟ ଏଥିରେ ଲକ୍ଷ ଲକ୍ଷ ରିଲସ୍ ପ୍ରସ୍ତୁତ କରାଯାଇଛି। ଚର୍ଚ୍ଚାରେ ରହିଥିବା ଏହି ‘କାଚ୍ଚା ବାଦାମ’ ଗୀତଟି କେଉଁଠି ଆସିଲା ? ଗୀତଟିକୁ କିଏ ଗାଇଥିଲା ଏବଂ କିପରି ଭାଇରାଲ ହେଲା ? ସେ ସମ୍ପର୍କରେ ଜାଣିବାକୁ ଲୋକଙ୍କ ମନରେ ଉତ୍କଣ୍ଠା ରହିଛି।

ବର୍ତ୍ତମାନ ‘କାଚ୍ଚା ବାଦାମ’ ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଗୀତଟି ଟ୍ରେଣ୍ଡିଂରେ ରହିଛି। ଯାହାକୁ ଦେଖିବ ସିଏ ଏହି ଗୀତରେ ରିଲ କରୁଛନ୍ତି। ଏହି ଗୀତରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଊର୍ଦ୍ଧ୍ଵ ରିଲ ତିଆରି ସରିଛି। ଏହି ଗୀତକୁ ନେଇ ଏକ ରାପ ମ୍ୟୁଜିକ ଭିଡିଓ ମଧ୍ୟ ହୋଇଛି। ପ୍ରତି ତିନିଟି ଭିଡିଓରେ ‘କାଚ୍ଚା ବାଦାମ’ ଭିଡିଓ ଦେଖିବାକୁ ମିଳୁଛି। ଗୀତଟି ବୁଝା ପଡ଼ୁନଥିଲେ ମଧ୍ୟ ଏହି ଗୀତର ଧୁନ ଏବଂ ନୃତ୍ୟ ଶୈଳୀକୁ ସମସ୍ତେ ଫଲୋ କରିବାରେ ଲାଗିଛନ୍ତି।

ବଙ୍ଗଳା ଭାଷାରେ ଏହି ଗୀତଟି ରହିଛି। ଗୀତର ଶବ୍ଦଗୁଡ଼ିକ ସମସ୍ତଙ୍କ ପକ୍ଷେ ବୁଝିବା ସହଜ ହେଉନଥିଲେ ମଧ୍ୟ ଏଥିରେ ରିଲ କରିବାକୁ କେହି ପଛଘୁଞ୍ଚା ଦେଉନାହାନ୍ତି। ‘କାଚ୍ଚା ବାଦାମ’ ଗୀତ ଯୋଗୁଁ ଦେଶ ବିଦେଶରେ ନିଜର ତଥା ପଶ୍ଚିମବଙ୍ଗ ନାଁ ଉଚ୍ଚ କରିଥିବାରୁ ଭୁବନ ବୈଦ୍ୟକରଙ୍କୁ ପଶ୍ଚିମବଙ୍ଗ ପୋଲିସ ସମ୍ମାନିତ କରିଛି। କେବଳ ସେତିକି ନୁହେଁ ତାଙ୍କ ସଂଗୀତ ଦକ୍ଷତା ଯୋଗୁଁ କୁମାରହାଟି ବିଧାୟକ ମଦନ ମିତ୍ର ତାଙ୍କୁ ସମ୍ମାନିତ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ଗୀତଟିକୁ କିଏ ଗାଇଛି? ଏହି ଗୀତଟି କିପରି ଭାଇରାଲ ହେଲା? ଏହି ଗୀତଟିକୁ କୌଣସି ବଡ଼ କିମ୍ବା ଜଣାଶୁଣା ଗାୟକ ଗାଇ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ପଶ୍ଚିମବଙ୍ଗର ଜଣେ ବାଦାମ ବିକାଳି ଏହି ଗୀତଟିକୁ ଗାଇଛନ୍ତି। ତାଙ୍କ ନାଁ ହେଉଛି ଭୁବନ ବୈଦ୍ୟକର। ଏବେ ସେ ବାଦାମ ସିଙ୍ଗର ଭାବେ ପରିଚିତ।

ପଶ୍ଚିମ ବଙ୍ଗର କୁରାଲଜୁରୀ ଗ୍ରାମର ଭୁବନ ବୈଦ୍ୟକର ଏହି ଗୀତଟିକୁ ଗାଇ ଗାଇ ନିଜ ବାଦମ ବେପାରକୁ ବାହାରି ଥାନ୍ତି। ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ଗୀତଟିକୁ ମାଧ୍ୟମ କରିଥାନ୍ତି। ବାଦାମ ବିକ୍ରି କରି ଯାହା ଦି’ ପଇସା ରୋଜାଗାର କରନ୍ତି ସେଥିରେ ତାଙ୍କ ପାରିବାର ଚଳେ।

ସକାଳ ସକାଳୁ ସାଇକେଲରେ ବାଦାମ ଭରା ବ୍ୟାଗଟିଏ ଟଙ୍ଗେଇ ଦେଇ ଭୁବନ ଘରୁ ବାହାରିଯାଆନ୍ତି। ‘କାଚ୍ଚା ବାଦାମ’ ଗୀତଟିକୁ ବୋଲି ଗାଁ ଗାଁରେ ବାଦାମ ବିକ୍ରି କରନ୍ତି। ଘରେ ପଡ଼ିଥିବା ଅଦରକାରୀ ଜିନିଷ ବଦଳରେ ବାଦାମ କିଣିବାକୁ ଗ୍ରାହକଙ୍କୁ ନିଜ ଗୀତ ମାଧ୍ୟମରେ ଡାକିଥାନ୍ତି। ପ୍ରତିଦିନ ୩ରୁ ୪ କେଜି ବାଦାମ ବିକ୍ରି କରି ୨ଶହରୁ ଅଢ଼େଇ ଶହ ଟଙ୍କା ରୋଜଗାର କରିଥାନ୍ତି ଭୁବନ।

ଗତ ଡିସେମ୍ବର ୨୦୨୧ରେ ପଶ୍ଚିମବଙ୍ଗର ଏକ ମ୍ୟୁଜିକ କମ୍ପାନି ଭୁବନଙ୍କୁ ନେଇ ‘କାଚ୍ଚା ବାଦାମ’ ଗୀତର ରାପ୍ ଭର୍ସନ ରେକର୍ଡ କରିଥିଲା। ଗୀତଟି ବହୁ ପ୍ରସିଦ୍ଧି ମଧ୍ୟ ପାଇଥିଲା। ଷ୍ଟୁଡିଓରେ ଗୀତ ମଧ୍ୟ ରେକର୍ଡ କରିବା ପୂର୍ବରୁ ସମ୍ପୃକ୍ତ ମ୍ୟୁଜିକ କମ୍ପାନୀ ଏକ ଚୁକ୍ତିନାମା ସ୍ଵାକ୍ଷର କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା ଏହି ମ୍ୟୁଜିକ ଭିଡିଓରୁ ଯାହା ଆୟ ହେବ ସେଥିରୁ ତାଙ୍କୁ ୪୦ରୁ ୬୦ ପ୍ରତିଶତ ଅର୍ଥ ଭୁବନଙ୍କୁ ଦିଆଯିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ତାଙ୍କୁ ଟଙ୍କାଟିଏ ମିଳିନଥିବା ଭୁବନ ଅଭିଯୋଗ କରିଛନ୍ତି।

‘କାଚ୍ଚା ବାଦାମ’ରୁ ପ୍ରସିଦ୍ଧି ଲାଭ କରିଥିବା ଭୁବନ ବୈଦ୍ୟକର ଆସନ୍ତା ଫେବ୍ରୁଆରି ୧୯ ତାରିଖରେ ଜୀ ବେଙ୍ଗଲି ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ’ ‘ଦାଦାଗିରି’ରେ ନଜର ଆସିବେ। ଏହି ସୋ’ଟିକୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପରିଚାଳନା କରୁଛନ୍ତି।

“ମୁଁ ଚାହୁଁଛି ମୋ ଗୀତ ବିଷୟରେ ସମସ୍ତେ ଜାଣନ୍ତୁ। ସରକାର ମୋତେ ଆର୍ଥିକ ସହାୟତା ଯୋଗାଇ ଦେଲେ ମୋ ପରିବାର ପେଟକୁ ଦୁଇ ମୁଠା ଖାଇବାକୁ ଏବଂ ଭଲ ପିନ୍ଧିବାକୁ ଦେଇପାରନ୍ତି”, କହିଛନ୍ତି ଭୁବନ ବୈଦ୍ୟକର।

‘କାଚ୍ଚା ବାଦାମ’ ଗୀତ ଭାଇରାଲ ହେବା ପରେ ଭୂବନଙ୍କୁ ମିଳିଥିଲା ବିଶ୍ଵସ୍ତରରେ ପରିଚୟ। ଭୁବନ ଲୋକପ୍ରିୟତା ହାସଲ କରିବା ପରେ ତାଙ୍କ ସହ ସାକ୍ଷାତ କରିବାରୁ ବିଭିନ୍ନ ସ୍ଥାନରୁ ଲୋକ ଭେଟିବାକୁ ଆସୁଛନ୍ତି। କିନ୍ତୁ ଅନ୍ୟମାନେ ନିଜର ପ୍ରସିଦ୍ଧି ପାଇଁ ଭୁବନଙ୍କୁ ବ୍ୟବହାର କକରୁଥିବା ତାଙ୍କ ଗାଁ ଲୋକ ଅଭିଯୋଗ କରିଛନ୍ତି। ଭୁବନଙ୍କ ଅନୁମତି ବିନା କେହି ତାଙ୍କ ସହ ଦେଖା କରିପାରିବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ଜଣେ ବାଦାମ ବିକାଳି ଦେଶ ବିଦେଶରେ ପରିଚୟ ଲାଭ କରିବା କୌଣସି ସାଧାରଣ କଥା ନୁହେଁ। ତାଙ୍କ ଗୀତ ଗାଇବାର ଶୈଳୀ ଯୋଗୁଁ ତାଙ୍କୁ ଏହି ପରିଚୟ ଆଣି ଦେଇଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Comment