ଓଡ଼ିଶାଲାଇଭ୍ ବ୍ୟୁରୋ 

ପୌର ନିର୍ବାଚନ ପାଇଁ ମହାନଗର ନିଗମ ଆଉ ପାଦେ ଆଗକୁ ବଢ଼ିଛି। ଗୁରୁବାର ପ୍ରକାଶ ପାଇଛି ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା। ମୋଟ ୭୦୫ ବୁଥର ୭ ଲକ୍ଷ ୭୫ ହଜାର ୭୬୫ ଜଣ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି। ବିଏମସି କାର୍ଯ୍ୟାଳୟ ଏବଂ ଓ୍ଵାର୍ଡ କାର୍ଯ୍ୟାଳୟଗୁଡ଼ିକରେ ଚୂଡ଼ାନ୍ତ ଭୋଟର ତାଲିକା ଉପଲବ୍ଧ ରହିଛି। ଆସନ୍ତା ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରାଯିବ।

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏବେ ପୌର ନିର୍ବାଚନ ତାରଖ ଘୋଷଣାକୁ ଅପେକ୍ଷା। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ପୌର ପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ର୍ନିବାଚନ ହେବ।

ପୌର ନିର୍ବାଚନ ପାଇଁ ଗତ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହା ପରେ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଧାର୍ଯ୍ୟ ହୋଇଥିଲା। ଗତ ଫେବ୍ରୁଆରି ୧୧ରୁ ୧୬ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିଲା।

ନିର୍ବାଚନ ଅଧିକାରୀ ଅପତ୍ତି ଅଭିଯୋଗର ତଦନ୍ତ କରି ଗତ ୧୮ ତାରିଖ ଚୂଡ଼ାନ୍ତ ଫଇସଲା କରିଥିଲେ। ଗୁରୁବାର ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ସମସ୍ତ ରାଜନୈତିକ ଦଳମାନଙ୍କୁ ଭୋଟର ତାଲିକା ପ୍ରଦାନ କରାଯାଇଛି। ଆସନ୍ତା ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରାଯିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଚଳିତ ଥର କୌଣସି ନୂଆ ଭୋଟରଙ୍କୁ ଏହି ତାଲିକାରେ ଯୋଡ଼ାଯାଇ ନାହିଁ। ମୋଟ ୪୮ଟି ଏନ୍‌ଏସି, ୫୯ଟି ମ୍ୟୁନିସିପାଲଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇଛି।

Comment