ଓଡ଼ିଶାଲାଇଭ ବ୍ୟୁରୋ

ଘନିଭୂତ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ଘନ ଘନ ବୋମାମାଡ଼ ସହ ସେନା ଶିବିର ଗୁଡ଼ିକୁ ଧ୍ୱଂସ କରୁଛି ରୁଷ। ସାରା ବିଶ୍ୱ ନିରବଦ୍ରଷ୍ଟା ପାଲଟିଥିବାବେଳେ ଏହି ମାମଲାରେ ଭାରତର ଆଭିମୁଖ୍ୟ ଉପରେ ଉଠିଛି ବଡ଼ ପ୍ରଶ୍ନ।

ଘନିଭୂତ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ଘନ ଘନ ବୋମାମାଡ଼ ସହ ସେନା ଶିବିର ଗୁଡ଼ିକୁ ଧ୍ୱଂସ କରୁଛି ରୁଷ। ସାରା ବିଶ୍ୱ ନିରବଦ୍ରଷ୍ଟା ପାଲଟିଥିବାବେଳେ ଏହି ମାମଲାରେ ଭାରତର ଆଭିମୁଖ୍ୟ ଉପରେ ଉଠିଛି ବଡ଼ ପ୍ରଶ୍ନ। ଭାରତ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିରପେକ୍ଷତା ବଜାୟ ରଖିଛି। ଅଧିକାଂଶ ଦେଶ ରୁଷର ଆକ୍ରମଣକୁ ନିନ୍ଦା କରୁଥିବାବେଳେ ଭାରତ ଏପର୍ଯ୍ୟନ୍ତ ରୁଷର ଆକ୍ରମଣ ବିରୋଧରେ କିଛି କହିନାହିଁ। ଏହି ସମୟରେ ଆମେରିକାରେ ମଧ୍ୟ ଭାରତ ଆମେରିକାର ସପକ୍ଷରେ ଅଛି ନା ରୁଷକୁ ସମର୍ଥନ କରୁଛି ତାହା ଉପରେ ପ୍ରଶ୍ନ ଉଠିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁରୁବାର ଏହି ପ୍ରଶ୍ନ ପଚରାଯାଇଥିଲା, ଏହାର ଉତ୍ତରରେ ସେ କହିଛନ୍ତି ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ସଙ୍କଟ ଉପରେ ଆମେରିକା ଭାରତ ସହ କଥା ହେବ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଧର୍ମ ସଙ୍କଟରେ ଭାରତ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଧର୍ମ ସଙ୍କଟରେ ଭାରତ। ଭାରତ କାହା ପକ୍ଷ ନେବ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି। ଅବଶ୍ୟ ଭାରତ ପୂର୍ବରୁ ରୁଷ ସମ୍ବନ୍ଧିତ ମାମଲା ଗୁଡ଼ିକରେ ନିରପେକ୍ଷ ରହିଛି କିନ୍ତୁ ବର୍ତ୍ତମାନ ଭାରତ ପାଇଁ ଏହି ମାମଲାରେ ନିରପେକ୍ଷ ହୋଇ ରହିବା ସହଜ ନୁହେଁ। ରୁଷ ସହିତ ଭାରତର ସମ୍ପର୍କ ଐତିହାସିକ। ରୁଷ ସହିତ ଭାରତ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସମ୍ପର୍କ ବଜାୟ ରଖିଛି। ଆହୁରି ମଧ୍ୟ, ଗତ ଦେଢ଼ ଦଶନ୍ଧି ମଧ୍ୟରେ ଆମେରିକା ସହିତ ଭାରତର ରଣନୈତିକ ଭାଗିଦାରୀ ଅଭାବନୀୟ ଭାବେ ବୃଦ୍ଧି ପାଇଛି। ଚୀନ୍‌ର ବୃଦ୍ଧି ପାଉଥିବା ଆକ୍ରୋଶକୁ ରୋକିବା ପାଇଁ ମଧ୍ୟ ଭାରତ ଆମେରିକାର ସହଯୋଗ ନେବା ଆବଶ୍ୟକ। ଆମେରିକା ଏହି ପ୍ରସଙ୍ଗରେ ନିରନ୍ତର ଭାରତ ସପକ୍ଷରେ ମଧ୍ୟ କହିଛି।

୨୫ ମିନିଟ୍‌ ଆଲୋଚନା କଲେ ମୋଦୀ-ପୁଟିନ

ୟୁକ୍ରେନ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଗୁରୁବାର ହୋଇଥିବା ଆଲୋଚନାରେ ମୋଦୀ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି। ଏହା ବ୍ୟତୀତ ପୁଟିନ୍ ସଦ୍ୟତମ ପରିସ୍ଥିତି ବିଷୟରେ ମୋଦୀଙ୍କୁ ଅବଗତ କରାଇଛନ୍ତି। ଆଲୋଚନା ଜରିଆରେ ବିବାଦର ସମାଧାନ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଛନ୍ତି।

୨୫ ମିନିଟ୍‌ର କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଅଧିକ ଏହା ଗୁରୁତ୍ଵ ଦେଇଛନ୍ତି ଯେ, ଯୁଦ୍ଧ ସମାଧାନର ରାସ୍ତା ନୁହେଁ। ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଯଦି ରୁଷର ନାଟୋ ଦେଶମାନଙ୍କ ସହିତ ବିବାଦ ରହିଛି ତେବେ କେବଳ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ।

ଭାରତୀୟଙ୍କ ସୁରକ୍ଷା ପ୍ରାଥମିକତା

ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଭାରତୀୟ ନାଗରିକଙ୍କ ବିଶେଷ କରି ଛାତ୍ର-ଛାତ୍ରୀଙ୍କ ସୁରକ୍ଷାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ ପ୍ରାଥମିକତା ଦେଉଛି। ମୋଦୀ ଏବଂ ପୁଟିନ୍ ସହମତି ପ୍ରକାଶ କରିଛନ୍ତି ଯେ, ଆଗକୁ ମଧ୍ୟ ସବୁ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯିବ ଏବଂ କୂଟନୈତିକ ମାର୍ଗକୁ ମଜବୁତ କରାଯିବ।

ୟୁକ୍ରେନରୁ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ଫେରିବେ ସେ ନେଇ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ୟୁକ୍ରେନର ସ୍ଥିତିକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି । ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବୈଦିଶକ ମନ୍ତ୍ରାଳୟ କହିଛି ।

ପୋଲାଣ୍ଡ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ

ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା କହିଛନ୍ତି, ପୋଲାଣ୍ଡ, ହଙ୍ଗେରୀ ରାସ୍ତାରେ ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ନେଇ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ହଙ୍ଗେରୀର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବେ ବୋଲି ହର୍ଷ କହିଛନ୍ତି । ସମସ୍ତ ଦୂତାବାସକୁ ସକ୍ରିୟ କରାଯିବ ସହିତ ଆଡଭାଇଜରି ଜାରି କରାଯାଇଛି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବା ପରେ ଭାରତ ସରକାର ବିମାନ ଜରିଆରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ୟୁକ୍ରେନ ଆକାଶ ଏବେ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି। ଏହାପରେ ଉଦ୍ଧାର ପ୍ରକ୍ରିୟା ବନ୍ଦ ରହିଛି ।

Comment