ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଉଛି। ୩୦ଟି ଜିଲ୍ଲାର ୩୧୫ ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି କରାଯାଉଛି। ୨୭୬ଟି ଜୋନରେ ବିଜେଡି ଆଗୁଆ ରହିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ନିରାଶ ହୋଇଛନ୍ତି। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଚଳିତ ଥର ବିଜେପି ଅଧିକ କ୍ଷତି ସହିଥିବା କୁହାଯାଉଛି। ଏହାର ଉଦାହରଣ ଭାବେ ମୟୂରଭଞ୍ଜ ଜିଲ୍ଲାକୁ ନିଆଯାଇପାରେ।

ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଏକାଧିକ ଜିଲ୍ଲା ପରିଷଦ ଜୋନ ହାତେଇବାରେ ବିଜେପି ସମର୍ଥ ହୋଇଥିଲା। ଏହାର ପ୍ରଭାବ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ମୟୂରଭଞ୍ଜ ଲୋକସଭା ଆସନକୁ ବିଜେପି କବଜାକୁ ନେଇଥିଲା। ଏବେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ରହିଛନ୍ତି।

୨୦୧୭ ଭଳି ୨୦୨୨ରେ ମଧ୍ୟ ବିଜେପି ମୟୂରଭଞ୍ଜରେ ଭଲ ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟ ଫଳାଫଳରୁ ଯାହା ରାୟ ଆସିଛି ସେଥିରେ ବିଜେପି ଗୋଟିଏ ବି ଆସନ ପାଇ ନଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ୫୬ଟି ଜିଲ୍ଲାପରିଷଦ ଜୋନ୍‌ ରହିଛି। ସେଥିମଧ୍ୟରୁ ୨୭ଟି ଜୋନର ଗଣତି ୨୬ ତାରିଖରେ ହେଉଥିଲା। ବିଜେଡି ୨୪ଟିରେ ଆଗୁଆ ରହିଥିବା ବେଳେ ବିଜେପି ଗୋଟିଏ ବି ଆସନ ପାଇନାହିଁ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏଠାରେ ଖାତା ଖୋଲିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କପ୍ତିପଦା ଜୋନ-୩ରେ ବିଜେଡି ଆଗୁଆ ରହିଥିବା ବେଳେ ଖୁଣ୍ଟା ଜୋନ୍‌-୧୨ରେ ବିଜେଡି ଆଗୁଆ ରହିଛି। ସେହିପରି ବେତନଟି ଜୋନ୍‌-୩୫ରେ ବିଜେଡି, ଉଦଳା ଜୋନ୍‌-୧ରେ ଜେଏମଏମ, ବାରିପଦା ଜୋନ-୨୯ରେ ବିଜେଡି, ଯଶିପୁର ଜୋନ୍‌-୪୧ରେ ବିଜେଡି, ଜାମଦା ଜୋନ୍‌-୧୬ରେ ବିଜେଡି, ରରୁଆଁ ଜୋନ୍‌-୪୩ରେ ବିଜେଡି, ଠାକୁରମୁଣ୍ଡା ଜୋନ୍‌-୧୮ରେ ବିଜେଡି, ତିରିଂ ଜୋନ୍‌-୨୦ରେ ବିଜେଡି, ବହଳଦା ଜୋନ୍‌-୨୫ରେ ବିଜେଡି, ସାରସକଣା ଜୋନ୍‌-୫୫ରେ ବିଜେଡି, ଶୁଳିଆପଦା ଜୋନ୍‌-୫୩ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି।

ଶ୍ୟାମାଖୁଣ୍ଟା ଜୋନ୍‌-୪୯ରେ ବିଜେଡି, ରାସଗୋବିନ୍ଦପୁର ଜୋନ୍‌-୪୭ରେ ବିଜେଡି, ମୋରଡ଼ା ଜୋନ୍‌-୩୮ରେ ବିଜେଡି, ରାଇରଙ୍ଗପୁର ଜୋନ୍‌-୪୫ରେ ଜେଏମଏମ, ବିଶୋଈ ଜୋନ୍‌-୩୩ରେ ଜେଏମଏମ, କୁସୁମୀ ଜୋନ୍‌-୧୦ରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି।

Comment