ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ଶନିବାର ତାଙ୍କ ମରଶରୀରକୁ କଂଗ୍ରେସ ଭବନ ଏବଂ ବିଧାନସଭା ପରିସରକୁ ଅଣାଯିବା ପରେ ବିଭିନ୍ନ ଦଳର ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରି ଶ୍ରର୍ଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ପ୍ରାର୍ଥୀବ ଶରୀରକୁ ପୈତୃକ ଗ୍ରାମ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ା ସ୍ଥିତ ବାସଭବନକୁ ନିଆଯିବ। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହେବ।

ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵର୍ଗତ ବିଶ୍ୱାଳଙ୍କୁ ଜଣେ ଦକ୍ଷ ଏବଂ ଲୋକପ୍ରିୟ ରାଜନେତା ବୋଲି କହିଛନ୍ତି। ସମାଜର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୂହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୧୯୩୯ ଡିସେମ୍ବର ୧ରେ ହେମାନନ୍ଦ ବିଶ୍ୱାଳ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୭ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ସେ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ। ୧୯୭୧ରେ ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ହେମାନନ୍ଦ ବିଶ୍ୱାଳ ୧୯୭୨ରେ କଂଗ୍ରେସରେ ଯୋଗ ଦେଇଥିଲେ।

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଆସନରୁ ୧୯୭୪ରେ ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେମାନନ୍ଦ ବିଶ୍ୱାଳ ୬ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଦୁଇଥର ଓଡ଼ିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। ୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୧୯୮୫ ମାର୍ଚ୍ଚରୁ ୧୯୮୬ ଡିସେମ୍ବର ପର୍ଯ୍ୟନ୍ତ କଂଗ୍ରେସ ସରକାର ସମୟରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ।  ୧୯୯୮ ମେ ୬ ତାରିଖରୁ ୧୯୯୯ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱରେ ରହିଥିଲେ ହେମାନନ୍ଦ ବିଶ୍ୱାଳ। ସ୍ୱଳ୍ପ ସମୟ ପାଇଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଦ୍ୱିତୀୟ ଥର ସେ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ୧୯୯୫ ମାର୍ଚ୍ଚରୁ ୧୯୯୮ ମେ ପର୍ଯ୍ୟନ୍ତ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Comment