ଓଡ଼ିଶାଲାଇଭ ବ୍ୟୁରୋ

ବିହାରର ଭାଗଲପୁର ଜିଲ୍ଲାରେ ଅଭାବନୀୟ ଘଟଣା। ଗୁରୁବାର ରାତିରେ ଏକ ତିନି ମହଲା କୋଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଅନ୍ୟୁନ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତିନି ମହଲା ବିଶିଷ୍ଟ କୋଠାଟି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ପୁଲିସ ଓ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ ଅଭିଯାନ ଆରମ୍ଭ କରିଥିଲେ। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୂପ ତଳେ ୧୦ରୁ ୧୫ଜଣ ବ୍ୟକ୍ତି ରହିଯାଇଥିବା ଆଶଙ୍କା କରାଯାଉଛି।

ଆହତମାନଙ୍କୁ ମାୟାଗଞ୍ଜସ୍ଥିତ ଜେଏଲ୍‌ଏନ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ପହଞ୍ଚିବା କ୍ଷଣି ୪ଜଣ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ସ୍ଥାନୀୟ ଥାନା ଠାରୁ ୧୦୦ ମିଟରରୁ କମ୍‌ କାଜୱାଲିଛକ ଅଞ୍ଚଳରେ ଏକ ଅନାଥାଳୟ ସଂଲଗ୍ନ କୋଠାରେ ବିସ୍ଫୋରଣ ଘଟିଥିଲା। ଏହି ପ୍ରଚଣ୍ଡ ବିସ୍ଫୋରଣ ହେତୁ ୨ରୁ ୩ଟି ସଂଲଗ୍ନ ଘର ମଧ୍ୟ ନଷ୍ଟ ହୋଇଛି।

ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜଣେ ପଡ଼ୋଶୀ କହିଛନ୍ତି, ଉକ୍ତ ଘରେ ବସବାସ କରୁଥିବା ଲୋକମାନଙ୍କର ବେଉସା ଥିଲା ଆତସବାଜି ତିଆରି। ଘରେ ଆଧିକ ମାତ୍ରାରେ ବାରୁଦ ଏବଂ ଆତସବାଜି ଥିବାରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ଘଟଣା ସଂକ୍ରାନ୍ତରେ ତନ୍ତଦ ଆରମ୍ଭ ହୋଇଛି। ଫରେନ୍‌ସିକ୍‌ ଟିମ୍‌ର ଯାଞ୍ଚ ଶେଷ ହେଲେ ଅଧିକ ସୂଚନା ମିଳିବ ବୋଲି ପୁଲିସ ସୂଚନା ଦେଇଛି।

Comment