ଓଡ଼ିଶାଲାଇଭ ବ୍ୟୁରୋ

ଇଏ ଏମିତି ଏକ ପାର୍କ, ଯାହା କେବଳ ଗଣିତରେ ହିଁ ଭରପୁର। ସେଟସ୍କୋୟାର, ପ୍ରୋଟାକ୍ଟର, ସ୍କେଲ୍ ଏବଂ ହରଣ, ଗୁଣନ, ଫେଡ଼ାଣ, ମିଶାଣ ସାଙ୍ଗଙ୍କୁ ପ୍ରତିଶତ ଓ ବନ୍ଧନୀ ଭଳି ବିଭିନ୍ନ ମାତ୍ରା, ସଂଖ୍ୟା ଆଦିର ବିଶାଳ ଫାଇବର ନିର୍ମିତ ରଙ୍ଗୀନ ଆକୃତି ସେଠାରେ ଦେଖିବାକୁ ମିଳିବ। ଯାହାକୁ ଦେଖି ତାହାରି ଭିତରେ କୋମଳମତି ବିଦ୍ୟାର୍ଥୀ ଏବଂ ପାଠ ପ୍ରତି ବିମୁଖ ପିଲା ମଧ୍ୟ ଏଥିରେ ଆକର୍ଷିତ ହୋଇ ବିଦ୍ୟା ଆହରଣ ଦିଗରେ ଆଗ୍ରହୀ ହୋଇପାରିବେ। କଟକ ତେଲେଙ୍ଗାପେଣ୍ଠର ଏକ କାରଖାନା ପରିସରରେ ୫ଶହ ବର୍ଗଫୁଟ କ୍ଷେତ୍ରର ଏକ ଛୋଟିଆ ମଡେଲ ଗଣିତ ପାର୍କ ଗଢ଼ା ଯାଇଛି।ଏହା ଓଡ଼ିଶାରେ ପ୍ରଥମ ଗଣିତ ପାର୍କ। ଏହାକୁ ଅନୁକରଣ କରି ରାଜ୍ୟର ସର୍ବପ୍ରଥମ ବଡ଼ ଗଣିତ ପାର୍କ ନିର୍ମାଣ ଚାଲିଛି ଅନୁଗୁଳର ଜବାହାର ନବୋଦୟ ବିଦ୍ୟାଳୟରେ। ୧୦ ହଜାର ବର୍ଗଫୁଟ କ୍ଷେତ୍ରରେ ଏହି ସାର୍ବଜନୀନ ଗଣିତ ପାର୍କ ନିର୍ମାଣ କରାଯାଉଛି ଏବଂ ସମସ୍ତ ଉପକରଣ ଏହି କଟକ କାରଖାନାରୁ ଯାଉଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବିଜ୍ଞାନ ପାର୍କ ରହିଛି କିନ୍ତୁ ଗଣିତ ପାର୍କ ଭଳି ନିଜସ୍ଵ ଏକ ନୂତନ ପରିକଳ୍ପନାକୁ ସାକାର ରୂପ ଦେଇଛନ୍ତି କଟକ କଲ୍ୟାଣନଗରର ଇଂ କାଜଲ ପଟ୍ଟନାୟକ, ଯିଏ କି ପୂର୍ବରୁ କଟକରେ ପ୍ରଥମ ‘ସେଲଫି ପଏଣ୍ଟ’ ଓ ‘ସେଲଫି ଜୋନ’ ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ସିଏ ଏବେ ଗଣିତ ପାର୍କ ଫାଇବରରେ ଉପରୋକ୍ତ ଉପକରଣଗୁଡ଼ିକ ସହ ପ୍ରସ୍ତୁତ କରିଛନ୍ତି ବିଶ୍ଵ ତଥା ଜାତୀୟସ୍ତରୀୟ ଗଣିତଜ୍ଞ ଆଇନଷ୍ଟାଇନ, ଶକୁନ୍ତଳାଙ୍କ ଭଳି ବିଦ୍ଵାନମାନଙ୍କ ପ୍ରତିମୂର୍ତ୍ତି। ଏହା ପାର୍କର ଶୋଭା ଓ ମର୍ଯ୍ୟାଦା ବଢ଼ାଇବ।

ବିଶାଳ ଛତାରେ ଝୁଲି ରହିବ ଗଣିତର ମାତ୍ରା, ଯାହାକୁ ବିଦ୍ୟାର୍ଥୀମାନେ ବୁଲି ଦେଖିବେ ଓ ଚିହ୍ନିବେ। ସୋପାନ ଶ୍ରେଣୀରେ ମଧ୍ୟ ଫାଇବର ନିର୍ମିତ ଗଣିତର ବିଭିନ୍ନ ଜଟିଳ ମାତ୍ରାକୁ ପ୍ରଦର୍ଶନ କରାଯିବ। ଆହୁରି ମଧ୍ୟ ଏହି ଗଣିତ ପାର୍କରେ ରହୁଛି ଉଭୟ ଭାରତ ଏବଂ ଓଡ଼ିଶାର ଦୁଇଟି ବିଶାଳଫାଇବର, ମାନଚିତ୍ର, ଯାହା ରାଜ୍ୟର କୌଣସି ପାର୍କରେ କେବେ ସ୍ଥାନ ପାଇନାହିଁ।

ଏକଶତ ବର୍ଗଫୁଟର କ୍ଷେତ୍ରରେ ଛୋଟିଆ ଆକାରରୁ ଆରମ୍ଭ କରି ୫୦ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବିଶାଳ ଗଣିତ ପାର୍କ ଗଢ଼ାଯାଇ ପରିବ ବୋଲି କହନ୍ତି  ଇଂ କାଜଲ ପଟ୍ଟନାୟକ। ଛୋଟ ପାର୍କଟିର ନିର୍ମାଣ ୧୦ ଦିନ ମଧ୍ୟରେ ଏବଂ ଏକ ଲକ୍ଷ ଟଙ୍କା ବ୍ୟୟରେ ସମ୍ଭବ ହୋଇପାରିବ, ବଡ଼ ପାର୍କଟିଏ ଗଢ଼ିବସିଲେ ୧୫ ଦିନ ସମୟ ଲାଗିଯିବ। ଏଭଳି ଗଣିତ ପାର୍କ ବିଦ୍ୟାର୍ଥୀମାନଙ୍କୁ ଏକ ନୂଆ ଅନୁଭବ ଯୋଗାଇବା ସ୍ଵାଭାବିକ, ତେବେ ଏଭଳି ପରିକଳ୍ପନା ପଛରେ ପାଠ ଛାଡ଼ି ହେଉଥିବା କିମ୍ବା ଅଧ୍ୟୟନ ପ୍ରତି ବିମୁଖ ଥିବାପିଲାମାନଙ୍କୁ ଆକର୍ଷିତ କରାଇବା ତାଙ୍କ ଉଦ୍ଦେଶ୍ୟ ବୋଲି ଦର୍ଶାଇଛନ୍ତି କାଜଲ।

Comment