ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ସିଟ୍ ସଂଖ୍ୟା କମିବ, କିନ୍ତୁ ଉତ୍ତର ପ୍ରଦେଶ(ୟୁପି)ରେ ପୁଣି ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ଯୋଗୀ ସରକାରଙ୍କ ଉପରେ ଏଥର ବି ଭରସା କରିଛନ୍ତି ଜନତା।

ଉତ୍ତର ପ୍ରଦେଶର ଭୋଟର ପୁଣି ଥରେ ଯୋଗୀ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଉତ୍ତର ପ୍ରଦେଶରେ ପୁଣି ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ଗତ ଥର ଅପେକ୍ଷା ଅଖିଳେଶ ଯାଦବଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢ଼ିଥିଲେ ମଧ୍ୟ ମ୍ୟାଜିକ ନମ୍ବର ହାସଲ କରିବାରେ ବିଫଳ ହୋଇଛି ସମାଜବାଦୀ ପାର୍ଟି। ଏପଟେ କଂଗ୍ରେସ ଓ ବିଏସପିର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ୟୁପିରେ ବିଜୟ ପରେ ବିଜେପି ଗାଡ଼ିକୁ ଦିଲ୍ଲୀ ଯିବା ପାଇଁ ଟାଙ୍କିଭର୍ତ୍ତି ଇନ୍ଧନ ମିଳିଛି।

ଆଗାମୀ ୫ ବର୍ଷ ପାଇଁ ଉତ୍ତର ପ୍ରଦେଶରେ ରାଜ କରିବେ ଯୋଗୀ ସରକାର। ବିବାଦୀୟ ଲକ୍ଷ୍ମୀପୁର ଖେରି ଘଟଣା ହେଉ କି ଏକାଧିକ ଦୁଷ୍କର୍ମ ମାମଲାକୁ ନେଇ, ଯୋଗୀ ସରକାରଙ୍କ ଶାସନ ଉପରେ ପ୍ରଶ୍ନ ଉଠିଥିଲା। ତଥାପି ଉତ୍ତର ପ୍ରଦେଶ ଜନତା ଯୋଗୀଙ୍କ ଉପରେ ଭରସା ତୁଟାଇ ନାହାଁନ୍ତି। ବିଏସପିର ବିଫଳତା ବିଜେପିକୁ ସରକାର ଗଠନ କରିବା ପାଇଁ ଆଉ ଥରେ ସୁଯୋଗ ଦେଇଛି। ରାହୁଲଙ୍କ ପରେ ପ୍ରିୟଙ୍କା ବି ଫେଲ୍ ହୋଇଛନ୍ତି।

୨୦୧୭ରେ ବିଜେପି ନରେନ୍ଦ୍ର ମୋଦୀଙ୍କ ନାଁରେ ୟୁପିରେ ନିର୍ବାଚନ ଲଢ଼ିଥିଲା ଦଳ। ଯୋଗୀ ସାଂସଦ ଥିଲେ ମଧ୍ୟ ଚର୍ଚ୍ଚିତ ଚେହେରା ନଥିଲେ। ଧୀରେ ଧୀରେ ଉତ୍ତର ପ୍ରଦେଶର ଶାସନ ଭାର ସମ୍ଭାଳୁ ସମ୍ଭାଳୁ ଜନତାଙ୍କ ପ୍ରିୟ ନେତା ପାଲଟି ଗଲେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ସମ୍ମାନକୁ ବଜାୟ ରଖିବାର ଦାୟିତ୍ଵ ଏଥର ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ଥିଲା। ଏଥିପାଇଁ ଦିଲ୍ଲୀରୁ ଭରପୂର ସମର୍ଥନ ମଧ୍ୟ ମିଳିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ଅମିତ ଶାହଙ୍କ ଟିମ୍ ଉତ୍ତର ପ୍ରଦେଶ ପାଇଁ ଦିନରାତି ଏକ କରିଦେଇଥିଲେ। ବିଜେପି ବିପକ୍ଷରେ ଏବଂ ସପକ୍ଷରେ ପ୍ରସଂଗ ରହିଥିଲା ରାମ ମନ୍ଦିର ପ୍ରସଂଗ ବିଜେପି ପାଇଁ ଟ୍ରମ୍ପ୍ କାର୍ଡ ଥିଲା। ପଶ୍ଚିମବଙ୍ଗରେ ବିଜେପି ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ମମତା ବାନାର୍ଜୀ ମଧ୍ୟ ଉତ୍ସାହିତ ହୋଇ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିଥିଲେ। ତଥାପି ବିଜେପିର ବିଜୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିବା ସ୍ପଷ୍ଟ ହୋଇଛି।

Tag: #Election #AssemblyElection #UPElection #GOA #Punjab #Uttarakhand #Manipur #BJP #Congress #AAP #SP #BSP

Comment