ଓଡ଼ିଶାଲାଇଭ୍ ବ୍ୟୁରୋ

  • ପଞ୍ଜାବରେ କେଜରିଓ୍ଵାଲଙ୍କ କ୍ରେଜ୍
  • କେଜରିଓ୍ଵାଲଙ୍କ ମାନ ରଖିଲେ ମାନ୍
  • ପଞ୍ଜାବରେ ଏଥର ଆମ୍ ଆଦମୀ ପାର୍ଟି ସରକାର

ପଞ୍ଜାବରେ ଯେଉଁମାନେ ବିଲେଇ କଳି କରୁଥିଲେ; ସବୁ ଫେଲ୍ ମାରିଛନ୍ତି। ପଞ୍ଜାବ କଂଗ୍ରେସ ମୁଖିଆ ନବଜୋତ ସିଂ ସିଦ୍ଧୁ ଫେଲ୍, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଫେଲ୍ ଆଉ କ୍ୟାପଟେନ ଅମରିନ୍ଦର ସିଂହ ବି ଫେଲ୍। ପରୋକ୍ଷରେ କ୍ୟାପଟେନଙ୍କ କାନ୍ଧରେ ନିର୍ବାଚନ ଜିତିବାକୁ ଯୋଜନା କରିଥିବା ବିଜେପି ବି ଫେଲ୍। ହେଲେ ଏ କଳିରେ ନ ପଶି ବାହାରୁ ବାହାରୁ ଝାଡୁ ମାରିଦେଇଛି ଆମ୍ ଆଦମୀ ପାର୍ଟି। ଭାଗବତ ସିଂ ମାନଙ୍କୁ ପଞ୍ଜାବ ଲୋକେ ପସନ୍ଦ କରିଛନ୍ତି। କେଜରିଓ୍ୱାଲଙ୍କ ପ୍ରତିଶ୍ରୁତିକୁ ଭରସା କରି ଆପ୍ ଭୋଟର ବର୍ଷା କରିଦେଇଛନ୍ତି।ପଞ୍ଜାବରେ ଗତଥର ମୋଟ ୨୦ ଆସନ ଜିତି ଆମ୍ ଆଦମୀ ପାର୍ଟି ବିରୋଧୀ ଦଳ ଆସନରେ ବସିଥିଲା। ତେଣେ ବହୁମତ ପାଇ କଂଗ୍ରେସ ସରକାର କରିଥିଲା। କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଅକଳରେ ପଡ଼ିଥିଲା କଂଗ୍ରେସ। କ୍ୟାପଟେନ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ଲଢ଼େଇ କଂଗ୍ରେସର ଚେହେରା ଖରାପ କରିଥିଲା। ରାହୁଲଙ୍କ କର୍ତ୍ତୃତ୍ୱ ଓ ନେତୃତ୍ୱକୁ କାଠଗଡ଼ାରେ ଠିଆ କରିଦେଇଥିଲା। ଅମରିନ୍ଦର ନୂଆ ଦଳ ଗଠନ କରି ବିଜେପି ସହ ହାତ ମିଳାଇଥିଲେ, ଆଉ ବିଜେପି ମେଣ୍ଟର ସେ ହୋଇଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।ଅନ୍ୟପଟେ କଂଗ୍ରେସ ଚରଣଜିତ ସିଂ ଚନ୍ନିଙ୍କୁ ସାମ୍ନାକୁ ଆଣି ନିର୍ବାଚନ ଲଢ଼ିଥିଲେ ମଧ୍ୟ ସିଦ୍ଧୁଙ୍କ ଉଚ୍ଚ ଆଶା ଭୋଟରଙ୍କୁ ଦ୍ୱନ୍ଦ୍ୱରେ ରଖିଥିଲା। ଯଦି କଂଗ୍ରେସ ସରକାରକୁ ଆସେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବ। ସରକାର ସ୍ଥିର ରହିବ ତ; ଏମିତି ଅନେକ ପ୍ରଶ୍ନ ଭୋଟରଙ୍କ ମନରେ ଥିଲା। ଏଭଳି ପରିସ୍ଥିତିରେ କେଜରିଓ୍ୱାଲ ଭୋଟରଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ପୂର୍ବଥର ଭଳି ତ୍ରୁଟି ନ କରି ବହୁ ପୂର୍ବରୁ ଭାଗବତ ସିଂହ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା ଆମ ଆଦମୀ ପାର୍ଟି। ଭୋଟରଙ୍କ ମନରେ ଏହାକୁ ନେଇ ଟିକେ ବି ଦ୍ୱନ୍ଦ୍ୱ ନ ଥିଲା। ତେଣୁ କଂଗ୍ରେସ ଭୋଟର ଆପ୍ ଆଡକୁ ଢଳିଥିବା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହେଉଛି।ଆମ୍ ଆଦମୀ ପାର୍ଟିର ଝଡ଼ ଆଗରେ ବହୁ ବଡ଼ ବଡ଼ ଦ୍ରୁମ ବି ଧରାଶାୟୀ ହୋଇଛନ୍ତି। ଅକାଳି ଦଳର ପ୍ରକାଶ ସିଂହ ବାଦଲ, ସୁଖବୀର ସିଂହ ବାଦଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବି ନିର୍ବାଚନରେ ପରାଜୟର ମୁହଁ ଦେଖିଛନ୍ତି। ଆସନ୍ତା ୫ ବର୍ଷ ପଞ୍ଜାବରେ ଆପ୍ ରହିବ। ତେବେ ଦିଲ୍ଲୀ ସହିତ ଦିଲ୍ଲୀ ବାହାରେ ମଧ୍ୟ ଆପ୍‌ର ଏଭଳି ପ୍ରଦର୍ଶନ ଦେଖି ଏହା ସ୍ପଷ୍ଟ ହୋଇଛି ଯେ, ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଆପ୍ ଚର୍ଚ୍ଚାର କେନ୍ଦ୍ରସ୍ଥଳରେ ରହିବ।

Tag: #AssemblyElection2022 #PunjabAssemblyElection #AamAadmiParty #BhagwantSinghMann #ArvindKejirwal #ବିଧାନସଭାନିର୍ବାଚନ #ଆମ୍‌ଆଦମୀପାର୍ଟି #ପଞ୍ଜାବ #କଂଗ୍ରେସ #ନବଜୋତସିଂସିଦ୍ଧୁ

Comment