ଓଡ଼ିଶାଲାଇଭ୍ ବ୍ୟୁରୋ

 

ଉତ୍ତର ପ୍ରଦେଶରେ ବିଜେପିର ଦବଦବା ଜାରି ରହିଛି। ଜନତା ପୁଣି ଭରସା କରିଛନ୍ତି ଯୋଗୀ ସରକାରଙ୍କ ଉପରେ। ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି।

ଉତ୍ତର ପ୍ରଦେଶ ବିଧାନସଭାର ୪୦୩ ଆସନ ପାଇଁ ନିର୍ବାଚନ ହୋଇଥିଲା। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସଦର ଆସନରୁ ନିର୍ବାଚନ ଲଢ଼ି ଜନତାଙ୍କ ବିପୁଳ ସମର୍ଥନ ହାସଲ କରିଛନ୍ତି। ଯୋଗୀ ଆଦିତ୍ୟନାଥ ୧ ଲକ୍ଷ ୨ ହଜାର ଭୋଟରେ ଜିତ ହାସଲ କରିଛନ୍ତି।  ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଭାବତି ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କୁ ପରାସ୍ତ କରିଛନ୍ତି ଯୋଗୀ।

୨୦୧୭ ମସିହାରେ ଉତ୍ତର ପ୍ରଦେଶରେ ବିଜେପି ବିପୁଳ ବିଜୟ ହାସଲ କରିଥିଲା। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା କିଏ ଉତ୍ତର ପ୍ରଦେଶର ମୁଖମନ୍ତ୍ରୀ ଗାଦି ସମ୍ଭାଳିବ। ଗୋଟିଏ ସପ୍ତାହ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଥିଲା। ଗୋରଖପୁରରୁ ବିଜେପି ସାଂସଦ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ଵ ଦିଆଗଲା। ଠିକ୍ ୫ ବର୍ଷ ପରେ ଆଜି ଅର୍ଥାତ ମାର୍ଚ୍ଚ ୧୦ ତାରିଖ ବିଜେପିକୁ ଉତ୍ତର ପ୍ରଦେଶରେ ବିପୁଳ ବିଜୟ ହାସଲ ହେବା ସହ ଗୋରଖପୁରରୁ ଯୋଗୀ ଲକ୍ଷାଧିକ ଭୋଟ ହାତେଇବାରେ ସଫଳ ହୋଇଛନ୍ତି।

ଉତ୍ତର ପ୍ରଦେଶ ବିଧାନସଭା ନର୍ବାଚନ ୨୦୨୨ରେ ବିଜେପିକୁ ବଡ଼ ଜିତ ହାସଲ ହୋଇଛି। ୟୁପିରେ ପୁଣି ଥରେ ବିଜେପି ସରକାର  ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ମୋଟ ୪୦୩ ବିଧାନସଭା ଆସନରୁ ୨୭୪ଟି ଆସନ ଅକ୍ତିଆର କରିଛି ବିଜେପି। ଏଥର ବି ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି ଜନତା। କୃଷି ଆନ୍ଦୋଳନକୁ ନେଇ ନକରାତ୍ମକ ରାଜନୀତି, ଦରଦାମ ବୃଦ୍ଧି, ବେରୋଜଗାରୀ, କରୋନା କଟକଣା ଭଳି ଅନେକ ପ୍ରସଂଗକୁ ନେଇ ବିଜେପି ବିପକ୍ଷରେ ଜନତ ହେବ ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ବିପୁଳମାତ୍ରାରେ ବିଜେପିକୁ ଉତ୍ତର ପ୍ରଦେଶରେ ଜନ ସମର୍ଥନ ମିଳିଛି।

Tag: #AssemblyElection2022 #UPElection #YogiAdityanath #GOA #Punjab #Uttarakhand #Manipur #BJP #Congress #AAP #SP #BSP

Comment