ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ହାସ୍ୟ ଅଭିନେତା ହୋଇ ଲୋକଙ୍କୁ ହସାଉ ଥିଲେ। ଏବେ ରାଜ୍ୟବାସୀଙ୍କ ଦାୟିତ୍ଵ ବୁଝିବେ। ପଞ୍ଜାବର ରାଜନୀତିର ମଙ୍ଗୁଆଳ ହେବେ ଭଗଓ୍ଵନ୍ତ ସିଂ ମାନ।

ଭଗୱନ୍ତ ସିଂ ମାନ ଜଣେ ହାସ୍ୟ ଅଭିନେତା ଥିଲେ। ଭଗୱନ୍ତ ମାନ ଅଧାରୁ କଲେଜ ପଢ଼ା ଛାଡ଼ିଥିଲେ। ଏହା ପରେ ସେ ଷ୍ଟାଣ୍ଡ ଅପ୍ କମେଡିରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଏହା ପରେ ସେ ରାଜନୀତି ମୈଦାନରେ ପାଦ ରଖିଥିଲେ। କିନ୍ତୁ ୨୦୧୧ରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ।

ଆମ୍ ଆଦମୀ ପାର୍ଟି ତରଫରୁ ଭଗୱନ୍ତ ସିଂ ମାନ ଧୁରୀ ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢୁଥିଲେ। ସେ କଂଗ୍ରେସ ପ୍ରାର୍ଥୀ ଦଲବୀର ସିଂ ଗୋଲ୍‌ଡିଙ୍କୁ ପରାସ୍ତ କରିଛନ୍ତି। ସେ ମନପ୍ରୀତ ସିଂ ବାଦଲଙ୍କ ପିପୁଲ୍ସ ପାର୍ଟି ଅଫ୍ ପଞ୍ଜାବରେ ଯୋଗ ଦେଇଥିଲେ। କିନ୍ତୁ ପ୍ରାରମ୍ଭରେ ତାଙ୍କୁ ସଫଳତା ମିଳିନଥିଲା। ସେ ଯୋଗ ଦେବାର ଗୋଟିଏ ବର୍ଷ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟ ହୋଇଥିଲେ।

ଭାଗ୍ୟ ପରିବର୍ତ୍ତନ କଲା ଆପ୍

ପରେ ସେ ୨୦୧୪ରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଏହିଠାରୁ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ସେ ନିଜ ଜିଲ୍ଲା ସଂଗରୁର ଲୋକସଭା ଅସନରୁ ନିର୍ବାଚନ ଲଢ଼ିଥିଲେ। ଚାରି ଆଡ଼େ ମୋଦୀଙ୍କ କ୍ରେଜ ଥିଲେ ମଧ୍ୟ ମାନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଥିଲେ। ସେ ସଂଗରୁର ଆସନରୁ ଦ୍ଵିତୀୟ ଥର ମଧ୍ୟ ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।

କେମିତି ହେଲେ ମୁଖ୍ୟମନ୍ତ୍ରୀ ଚେହେରା?

ଆମ୍ ଆଦମୀ ପାର୍ଟି ଭଗୱନ୍ତ ସିଂ ମାନଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ଦେଇଥିଲା। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଘୋଷଣା କରିଥିଲେ। ସେ କହିଥିଲେ ପଞ୍ଜାବର ୨୧ ଲକ୍ଷରୁ ଅଧିକ ଲୋକ ଫୋନ ଏବଂ ମେସେଜ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଥିଲେ। ୯୩.୩ ପ୍ରତିଶତ ଭୋଟ ଭଗୱନ୍ତ ସିଂ ମାନଙ୍କୁ ଯାଇଥିଲା।

ଚଳିତ ବିଧାନସଭା ନିର୍ବାଚନ ୨୦୨୨ରେ ଭଗୱନ୍ତ ମାନଙ୍କୁ ବିପୁଳ ଜନମତ ମିଳିଛି। ସ୍ୱାଧୀନତା ପରେ ରାଜ୍ୟର ୧୭ ତମ ମୁଖ୍ୟମନ୍ତ୍ରୀ ହେଲେ ଭଗୱନ୍ତ ମାନ।

ଭଗୱନ୍ତ ମାନ ୧୯୭୩ ଅକ୍ଟୋବର ୧୭ରେ ପଞ୍ଜାବର ସଙ୍ଗରୁର ଜିଲ୍ଲାର ସତୋଜ ଗ୍ରାମରେ ଜାଟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଅଣ ସାମାଜିକ ସଂଗଠନ ଲୋକ ଲହର ଫାଉଣ୍ଡେସନ ମାଧ୍ୟମରେ ସମାଜସେବା ଆରମ୍ଭ କରିଥିଲେ। ତାଙ୍କ ଏନ୍‌ଜିଓର ବ୍ୟାନରରେ ସେ କ୍ୟାନସର ପୀଡିତ ଓ ଦିବ୍ୟାଙ୍ଗ ପିଲାମାନଙ୍କୁ ସାହାଯ୍ୟ କରୁଥିଲେ।

ରାଜନୀତିକୁ ନେଇ କମେଡି କରୁଥିଲେ

ସେ ଆରମ୍ଭରୁ ହିଁ ଭାରତୀୟ ରାଜନୀତିକୁ ନେଇ କମେଡି କରୁଥିଲେ। ତାଙ୍କର ପ୍ରଥମ କମେଡି ଆଲବମ୍ ଜଗତାର ଜଗ୍ଗୀଙ୍କ ସହିତ ଆସିଥିଲା। ଉଭୟ ମିଳିତ ଭାବରେ ଇଟିସି ପଞ୍ଜାବୀ ପାଇଁ ‘ଜୁଗ୍ନୁ କେନ୍ଦା ହୈ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାର ୧୦ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ। ଏହାପରେ ଭଗୱନ୍ତ ରାଣା ରଣବୀରଙ୍କ ସହ ସହଭାଗୀ ହୋଇ ଇଟିସି ପଞ୍ଜାବୀ ପାଇଁ ଏକ ନୂଆ କାର୍ଯ୍ୟକ୍ରମ ‘ଜୁଗ୍‌ନୁ ମସ୍ତ ମସ୍ତ’ ଆରମ୍ଭ କରିଥିଲେ।

ଅଭିନୟରେ ମିଳିଥିଲା ସଫଳତା

୨୦୦୮ ମସିହାରେ ଭଗୱନ୍ତ ମାନ ଷ୍ଟାର୍ ପ୍ଲସ୍ କମେଡି ସୋ’ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। କିନ୍ତୁ ସେ ଜିତି ପାରିନଥିଲେ। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈ ମା’ ପଞ୍ଜାବ ଦି’ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲା। ଏଇଠୁ ମାନଙ୍କୁ ମିଳିଥିଲା ନୂଆ ପରିଚୟ।

ସେ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବିବାହ ବହୁ ଦିନ ଧରି ଚାଲିନଥିଲା। ସାଂସଦ ହେବାର ଏକ ବର୍ଷ ପରେ ୨୦୧୫ରେ ତାଙ୍କର ଛାଡ଼ପତ୍ର ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଥିବା ବେଳେ ସେମାନେ ନିଜ ମା’ ସହିତ ଆମେରିକାରେ ରୁହନ୍ତି।ଶିକ୍ଷାଗତ ଭାଗୱନ୍ତ ମାନ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍। ସେ ବି.କମ୍ କରିବା ପାଇଁ ପଟିଆଲାର ଶହିଦ ଉଦ୍ଧମ ସିଂ କଲେଜରେ ଆଡ୍‌ମିଶନ ନେଇଥିଲେ, କିନ୍ତୁ ପ୍ରଥମ ବର୍ଷ ପରେ ସେ ପଢା ଛାଡି ଦେଇଥିଲେ।

Tag: #Election #AssemblyElection2022 #PunjabElection #CM #BalwantSinghMann #AAP

Comment