ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୪ ମସିହା ଫେବ୍ରୁଆରି ୨୮ ତାରିଖ ସ୍ତ୍ରୀକୁ ଦୁଷ୍କର୍ମକାରୀ କବଳରୁ ରକ୍ଷା କରିବାକୁ ଯାଇ ଦୁବୃର୍ତ୍ତର ଛୁରୀମାଡ଼ରେ ସ୍ଵାମୀର ଜୀବନ ଯାଇଥିଲା। ଏହି ମାମଲାରେ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ରାୟ ପ୍ରକାଶ କରି ଦୋଷୀକୁ ଆଜୀବନ ଦେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି।

୨୦୧୪ ମସିହା ଫେବ୍ରୁଆରି ୨୮ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଜଣେ ମହିଳା ରାତିରେ ଶୌଚ ହେବାକୁ ଘର ବାହାରକୁ ଯାଇଥିବାବେଳେ ସେହି ଗାଁର ରଙ୍ଗାଧର ବିଶ୍ଵାଳ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ସ୍ଵାମୀ ଦୌଡି ଆସି ସ୍ତ୍ରୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମହିଳାଙ୍କ ସ୍ଵାମୀ ଏବଂ ରଙ୍ଗାଧର ବିଶ୍ଵାଳଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରଙ୍ଗାଧରଙ୍କ ଭୁଜାଲି ମାଡ଼ରେ ମହିଳାଙ୍କ ସ୍ଵାମୀ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ରଙ୍ଗାଧର ଭୁଜାଲି ଆକ୍ରମଣରେ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ନିକିରାଇ ଥାନା ପୋଲିସ ରଙ୍ଗାଧରକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ଗୋପାଳଚନ୍ଦ୍ର ବେହେରା ଆସାମୀ ରଙ୍ଗାଧରକୁ ଆଜୀବନ କାରାଦଣ୍ଡ ସହିତ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Tag: #Kendrapara #MurderCase #LifeImprisonment

Comment