ଓଡ଼ିଶାଲାଇଭ୍ ବ୍ୟୁରୋ

ଉଜୁଡ଼ି ଗଲା ସଂସାର। ଶୂନ ହୋଇଗଲା ମା’ର କୋଳ। ଗୋଟିଏ ରାତିରେ ତିନି ପୁଅ ଓ ଜଣେ ପାଳିତ ପୁଅର ଜୀବନ ଚାଲିଗଲା। ଦୁର୍ବୃତ୍ତଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲେନି କେହି। ସାମାନ୍ୟ କମେଣ୍ଟ ମରାକୁ ନେଇ ଘଟିଲା ବିଭତ୍ସ ହତ୍ୟାକଣ୍ଡ ଆଉ ଏକାଠି ଆଖି ବୁଜିଲେ ଚାରି ଭାଇ।

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ କମେଣ୍ଟ ମରାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଗୋଟିଏ ପରିବାରର ଚାରି ଭାଇ। ଗୋଟିଏ ମା’ର ତିନି ପୁଅ ଏବଂ ଅନ୍ୟ ଜଣେ ପାଳିତ ପୁଅ।

ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏହି ହତ୍ୟାକାଣ୍ଡ ସାରା ରାଜ୍ୟକୁ ସ୍ତବ୍ଧ କରିଦେଲା। ଗୋଟିଏ ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଗଲା। ହତ୍ୟାର ଶିକାର ହୋଇଥିବା ଚାରି ଭାଇ ହେଲେ ପିତଳ ଛକ ନିକଟ ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ଵାଇଁଙ୍କ ପୁଅ ରାଜା ସ୍ଵାଇଁ, ପାଣ୍ଡବ ସ୍ଵାଇଁ, ସମ୍ଭୁ ସ୍ଵାଇଁ ଏବଂ ମଙ୍ଗୁଳୁଙ୍କର ପାଳିତ ପୁଅ(ପୁତୁରା) ଚନ୍ଦନ ସ୍ଵାଇଁ। ମଙ୍ଗୁଳୁଙ୍କ ଚାରି ପୁଅ ପିତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିଲେ।

ସାମାନ୍ୟ କମେଣ୍ଟ ମରାକୁ ନେଇ ମଙ୍ଗୁଳୁ ସ୍ଵାଇଁଙ୍କ ଚାରି ପୁଅ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟାର ଶିକାର ହୋଇଥିଲେ। ଏହି ହତ୍ୟାକଣ୍ଡ ପରେ ଅଞ୍ଚଳବାସୀ ଅଭିଯୁକ୍ତଙ୍କ ଗିରଫ ଦାବି ଏବଂ କ୍ଷତି ପୂରଣ ଲାଗି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ କରିବାକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟ ପଟେ ବ୍ୟବଚ୍ଛେଦ ପରେ ଚାରି ଭାଇଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶବ ଦେଖି କେବଳ ବାପା ମା’ ନୁହେଁ ସାରା ଅଞ୍ଚଳବାସୀଙ୍କ ଆଖିରେ ଲୁହ ରହିନଥିଲା କି କୋହ ସମ୍ଭାଳୁ ନଥିଲା।

କେମିତି ଘଟିଲା ହତ୍ୟାକାଣ୍ଡ?

ମଙ୍ଗୁଳୁ ସ୍ଵାଇଁଙ୍କ ତିନି ପୁଅ ଏବଂ ପାଳିତ ପୁଅ ଚନ୍ଦନ ପିତଳ ଛକଠାରେ ଏକ ଫାଷ୍ଟଫୁଡ ଦୋକାନ କରିଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କୁକୁର ପଶି ଯିବାରୁ ପିତଳ ଛକରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକରେ ଯାଉଥିବା ଦମ୍ପତି ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ କିଛି ଯୁବକ ତଳେ ପଡ଼ିଯାଇଥିବା ଦମ୍ପତିଙ୍କୁ ଉଠାଇଥିଲେ। ଏହାକୁ ଦେଖି ମଙ୍ଗୁଳୁଙ୍କ ପୁଅମାନେ କମେଣ୍ଟ ମାରିଥିଲେ। ଗାଡ଼ିରୁ ପଡ଼ିଥିବା ଯୁବକ ପ୍ରତିବାଦ କରିବାରୁ ମଙ୍ଗୁଳୁ ସ୍ଵାଇଁଙ୍କ ପୁଅମାନେ ବଚସା ଆରମ୍ଭ କରିଦେଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। କିଛି ସମୟ ପାଟିତୁଣ୍ଡ ହେବା ପରେ ଯୁବକ ଜଣକ ନିଜ ବାଇକ୍ ଧରି ଚାଲିଯାଇଥିଲେ।

ଏହି ଘଟଣାର ୧ ଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ୧୧ଟା ବେଳେ ସେହି ଯୁବକ ଜଣକ ସାଙ୍ଗରେ ୬ ଜଣ ଯୁବକଙ୍କୁ ଧରି ପିତଳ ଛକରେ ଥିବା ଫାଷ୍ଟଫୁଡ ଦୋକାନ ନିକଟରେ ପହଞ୍ଚିଥିଲେ। ପୁଣି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଉତ୍ୟକ୍ତ ହୋଇ କମେଣ୍ଟର ଶିକାର ହୋଇଥିବା ଯୁବକ ଓ ତାଙ୍କ ସହଯୋଗୀମାନେ କମେଣ୍ଟ ମାରିଥିବା ମଙ୍ଗୁଳୁ ସ୍ଵାଇଁଙ୍କ ପୁଅମାନଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ଯୁବକଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ସୂଚନାରୁ ଜଣାପଡ଼ିଛି।

ମୃତକଙ୍କ ପାଇଁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି

ଏହି ବିଭତ୍ସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଧୀର୍ଘ ସମୟ ଧରି ଅଞ୍ଚଳବାସୀ ରାସ୍ତା ରୋକ କରିଥିଲେ। ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଜିଲ୍ଲାପାଳ ଏବଂ ଏସପି ଲୋକଙ୍କୁ ବୁଝାଇବା ସହ ମୃତକଙ୍କ ପାଇଁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା। ଏହା ସହ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଘଟଣାରେ ୬ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

Tags: #Murder #GanjamMurderCase #FourDead #GanjamOdisha

LEAVE A REPLY

Please enter your comment!
Please enter your name here