ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। କଟକ ଭୋଟରଙ୍କ ଭରସା ଜିତି କଟକ ମହାନଗର ନିଗମ ମେୟର ମୁକୁଟ ପିନ୍ଧିବାକୁ ଯୋଗ୍ୟ ସାବ୍ୟସ୍ତ ହେଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ।

ରାଜ୍ୟରେ ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ହୋଇଥିଲା। ଗତ ମାର୍ଚ୍ଚ ୨୪ ତାରିଖ ନିର୍ବାଚନ ଶେଷ ହୋଇ ଆଜି ଅର୍ଥାତ୍ ମାର୍ଚ୍ଚ ୨୬ ତାରଖ ଭୋଟ ଗଣତି ହୋଇଥିଲା। ପ୍ରାର୍ଥୀ, ନେତା ଏବଂ ଜନତାଙ୍କ ନଜର ଅଟକି ରହିଥିଲା କଟକ ମହାନଗର ନିଗମର ମେୟର ନିର୍ବାଚନ ଫଳାଫଳ ଉପରେ। କଟକ ମହାନଗର ନିଗମରେ ମଧ୍ୟ ବିଜେଡିକୁ ବିପୁଳ ଜନ ସମର୍ଥନ ମିଳିଛି। କଟକ ମେୟର ଆସନରେ ବିଜୟୀ ହୋଇଛନ୍ତି ବଜେଡି ପ୍ରାର୍ଥୀ ସୁବାସ ସିଂ।

କଟକ ମହାନଗର ନିଗମ ମେୟର ଆସନ ପାଇଁ ବିଜେଡିରୁ ସୁବାସ ସିଂ, କଂଗ୍ରେସରୁ ଗିରିବାଳା ବେହେରା ଏବଂ ବିଜେପିରୁ ଶ୍ରୀତମ ଦାସ ନିର୍ବାଚନ ଲଢ଼ୁଥିଲେ। ମେୟର ଆସନ ପାଇଁ ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରେ ଆଗରେ ରହିଥିଲେ। କିନ୍ତୁ କିଛି ସମୟ ପରେ ଗିରିବାଳାଙ୍କୁ ପଛରେ ପକାଇଥିଲେ ବିଜେଡି ପ୍ରାର୍ଥୀ ସୁବିସ ସିଂ।

କଟକ ମହାନଗର ନିଗମ ନିର୍ବାଚନରେ ସୁବାସ ସିଂ ୧,୧୩,୫୬୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି। କଂଗ୍ରେସର ଗିରିବାଳା ବେହେରାଙ୍କୁ ମିଳିଛି ୬୮,୩୫୬ ଖଣ୍ଡ ଭୋଟ ଏବଂ ବିଜେପିର ଶ୍ରୀତମ ଦାସଙ୍କୁ ୪୯,୨୨୩ ଖଣ୍ଡ ଭୋଟ ମିଳିଛି।

ବିଜେଡି ସାଂସଦ ଅଛନ୍ତି ସୁବାସ ସିଂ

ସୁବାସ ସିଂ ବିଜେଡିର ରାଜ୍ୟସଭା ସାଂସଦ ଅଛନ୍ତି। ସେ କଟକ ମାଟିରେ ବେଶ୍ ପରିଚିତ। କେନ୍ଦ୍ରାପଡ଼ା ତାଙ୍କ ଜନ୍ମଭୂମି ହୋଇଥିଲେ ମଧ୍ୟ ତାଙ୍କ କର୍ମଭୂମି ହେଉଛି କଟକ। ଦଳ ତାଙ୍କୁ ଭରସା କରି କଟକ ମେୟର ପ୍ରାର୍ଥୀ କରିଥିଲା। ସେ କେବଳ ଦଳର ଭରସା ନୁହେଁ, ବରଂ କଟକ ସହରବାସୀଙ୍କ ହୃଦୟ ଜୟ କରିବାରେ ସଫଳ ହୋଇଛନ୍ତି। ବିପୁଳ ଜନ ସମର୍ଥନ ପାଇ କଟକ ମେୟର ଆସନରେ ବିଜୟୀ ହୋଇଛନ୍ତି।

୨୦୧୪ରେ ତାଙ୍କ ଜୀବନରେ ଆସିଲା ନୂଆ ମୋଡ଼

ସୁବାସ ସିଂ ୩୦ ବର୍ଷ ଧରି ସିପିଆଇ(ଏମ)ରେ ରହିଥିଲେ। କିନ୍ତୁ ୨୦୧୪ରେ ତାଙ୍କ ଜୀବନରେ ଆସିଲା ନୂଆ ମୋଡ଼। ୨୦୧୪ରେ ନିର୍ବାଚନ ପୂର୍ବରୁ ସୁବାସ ସିପିଆଇ(ଏମ୍) ଛାଡ଼ି ବିଜେଡିରେ ଯୋଗ ଦେଲେ। ତାଙ୍କୁ ପ୍ରଥମେ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ଏଥର ଦଳ ତାଙ୍କ ଉପରେ ଭରସା କରି କଟକରେ ମେୟର ପ୍ରାର୍ଥୀ କରିଥିଲା।

ବସ୍ତି ବାସିନ୍ଦାଙ୍କ ନେତା ଥିଲେ ସୁବାସ ସିଂ

କଟକର ମେୟର ଆସନରେ ଲଢ଼ିବା ପାଇଁ ବିଜେଡିର ବହୁ ବରିଷ୍ଠ ନେତା ରହିଥିଲେ ମଧ୍ୟ ସୁବାସ ସିଂଙ୍କୁ ଦଳ ରାଜ୍ୟସଭାରୁ ଆଣି କଟକରେ ଟିକେଟ ଦେବା ସମୟରେ ଅନେକ ପ୍ରଶ୍ନ ଉଠିଥିଲା। ଆଜି ଫଳାଫଳ ଘୋଷଣା ହେବା ପରେ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଛି। ସୁବାସ ସିଂଙ୍କୁ ବସ୍ତି ବାସିନ୍ଦାଙ୍କ ନେତା କୁହାଯାଏ। ବସ୍ତି ଭୋଟ୍ ହାତେଇବାକୁ ତାଙ୍କୁ ଦଳ ପ୍ରାର୍ଥୀ କରିଥିବା ମଧ୍ୟ ସେହି ସମୟରେ କୁହାଯାଉଥିଲା।

ଧନ୍ୟବାଦ ଦେଲେ ସୁବାସ ସିଂ

ଚଳିତ କଟକ ପୌର ନିର୍ବାଚନରେ ବିଜେଡିକୁ ବିପୁଳ ଜନ ସମର୍ଥନ ହାସଲ ହୋଇଛି। ନିଜେ ସୁବାସ ସିଂ କଟକ ମହାନଗର ନିଗମର ମେୟର ଆସନରେ ମଧ୍ୟ ବିଜୟୀ ହୋଇଛନ୍ତି। ଏହି ବିଜୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ଦଳୀୟ କର୍ମୀ, ସମର୍ଥକ ବିଶେଷ କରି ଭୋଟରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ସେ। କଟକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାମ କରିବା ସହ ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବେ ବୋଲି ସୁବାସ ସିଂ କହିଛନ୍ତି।

Tag: #MunicipalElection #BMC #CMC #BeMC #MunicipalElectionResult #MeyorElection #BJDWins #BJP #Congress #SubasSingh

Comment