ଓଡ଼ିଶାଲାଇଭ୍ ବ୍ୟୁରୋ

ଆରାମ ସମସ୍ତଙ୍କୁ ଭଲ ଲାଗେନି। ଆରାମଦାୟକ ଚାକିରି ବି ସୁଖ ଲାଗେନି। ଏମିତି ଅନେକ ଉଦାହରଣ ଅଛି ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କାର ସୁଖଦ ଚାକରି ଛାଡ଼ି କଷ୍ଟକର ବାଟ ବାଛନ୍ତି। କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। କଷ୍ଟକର ରାସ୍ତା ଦେଇ ସେମାନେ ଏକ ନୂଆ ଲକ୍ଷ୍ୟର ଅନୁସନ୍ଧାନ କରନ୍ତି। ବିଫଳତା ମିଳେ; କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ସେମାନଙ୍କୁ ଏକ ନୂଆ ଶୀର୍ଷରେ ପହଞ୍ଚାଇଥାଏ। ସେମିତି ଜଣେ ବ୍ୟକ୍ତିତ୍ଵ ହେଲେ ଉଦ୍ୟୋଗୀ ପୀୟୁଷ ବନସଲ୍। ଲେନ୍ସକାର୍ଟର ପ୍ରତିଷ୍ଠାତା ଓ ସିଇଓ ପୀୟୁଷଙ୍କର ବୟସ ମାତ୍ର ୩୬ ବର୍ଷ ହେଲେ ସଫଳତା ଅନେକ।

ଲେନ୍ସକାର୍ଟ ପୂର୍ବର କାହାଣୀ

୧୯୩୬ ଏପ୍ରିଲ ୨୬ରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ପୀୟୁଷ। ବାପାମାଆ ଗେହ୍ଲା ପୁଅ ପୀୟୁଷ ବହୁତ ଭଲ ଛାତ୍ର ଥିଲେ। ତେଣୁ ତାଙ୍କ ଶିକ୍ଷା ପାଇଁ ପରିବାର ପକ୍ଷରୁ କିଛି ଉଣା ହୋଇ ନଥିଲା। ପୀୟୁଷ ଡନବୋସ୍କୋ ସ୍କୁଲରୁ ଉଚ୍ଚମାଧ୍ୟମିକ ଶିକ୍ଷା ଶେଷ କରିବା ପରେ କାନାଡାର ମ୍ୟାକଗିଲ୍ ୟୁନିଭର୍ସିଟିରୁ ମେକାନିକାଲ ଇଞ୍ଜିନିୟରିଂ ଶେଷ କରିଥିଲେ। ଏହାପରେ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସଫ୍ଟଓ୍ୱେର କମ୍ପାନି ମାଇକ୍ରୋସଫ୍ଟରେ ତାଙ୍କୁ ଚାକିରି ମିଳିଥିଲା।ମାଇକ୍ରୋସଫ୍ଟରେ କାମ କରିବା ପୀୟୁଷଙ୍କର ସ୍ୱପ୍ନ ଥିଲା। ହେଲେ ଚାକିରି କରିବା ବେଳକୁ ତାଙ୍କ ଭିତରେ ଆଉଗୋଟେ ସ୍ୱପ୍ନର ଜନ୍ମ ହୋଇସାରିଥିଲା। ନିଜେ କିଛି କରିବେ, ଚାକରି କରିବେନି। ବାସ୍ କିଛି ନୂଆ କରିବା ପାଇଁ ସେ ୨୦୦୭ରେ ମାଇକ୍ରୋସଫ୍ଟ ଛାଡ଼ି ଭାରତ ପଳାଇଆସିଥିଲେ।

କିଛି ଗୋଟେ କରିବା ପାଇଁ ସେ ଚିନ୍ତା କରୁ କରୁ ଛୋଟ ଛୋଟ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ୨୦୦୭ରୁ ୨୦୦୯ ଭିତରେ ସେ ଆରମ୍ଭ କରିଥିବା ଛୋଟ ଛୋଟ ଷ୍ଟାର୍ଟଅପ୍ ସବୁ ସଫଳତା ପାଇଥିଲା। ହେଲେ ସେଇଠି ଅଟକିଯିବା ତାଙ୍କର ଲକ୍ଷ୍ୟ ନ ଥିଲା। ଏ ଭିତରେ ସେ ଆଇଆଇଏମ୍ ବେଙ୍ଗାଳୁରୁରୁ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ଯେତେବେଳେ ସେ ମାଷ୍ଟର୍ସ ପଢୁଥିଲେ ସେତେବେଳେ ସର୍ଚମାଇକ୍ୟାମ୍ପସ ନାମରେ ଏକ ଓ୍ୱେବସାଇଟ୍ ଆରମ୍ଭ କରିଥିଲେ। ଏହି ଓ୍ଵେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସମସ୍ୟାର ସମାଧାନର ସୂତ୍ର ରଖିବାକୁ ପୀୟୁଷ ଚେଷ୍ଟା କରିଥିଲ। ଯେମିତି କି; ଭଡ଼ାଘର, ଇଣ୍ଟର୍ନସିପ୍, ପାର୍ଟଟାଇମ୍ ଜବ୍, ପ୍ରୋଜେକ୍ସ ଏସବୁ ଥିଲା ଏହି ଓ୍ୱେବସାଇଟରେ। ଏହି ଓ୍ୱେବସାଇଟ୍ ଜରିଆରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣୁଜାଣୁ ଅନୁଭବ କରିଥିଲେ ଯେ ଆଖି ସମସ୍ୟା ପାଇଁ କେଉଁ ବଡ଼ କମ୍ପାନିଙ୍କର ସେମିତି କିଛି ବଡ଼ ଚିନ୍ତା ନାହିଁ। ଏଇଠାରୁ ହିଁ ପୀୟୁଷଙ୍କ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ମିଳିଯାଇଥିଲା, ଆଉ ଆରମ୍ଭ ହୋଇଥିଲା ଲେନ୍ସକାର୍ଟର ପରିକଳ୍ପନା। ଲେନ୍ସକାର୍ଟର ଶୁଭାରମ୍ଭ

୨୦୧୦ରେ ଲେନ୍ସକାର୍ଟ ଆରମ୍ଭ ହୋଇଥିଲା। ପୀୟୁଷ ତାଙ୍କ ବ୍ୟବସାୟ ସହଯୋଗୀ ଅମିତ ଚୌଧୁରୀ ଓ ସୁମିତ କପାହୀଙ୍କ ସହ ମିଶି ଏହି କମ୍ପାନି ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ଲେନ୍ସ ବିକ୍ରି ଆରମ୍ଭ କରିଥିଲେ। ଏହାପରେ ମାର୍ଚ୍ଚ ୨୦୧୧ରେ ତାଙ୍କ ଓ୍ୱେବସାଇଟ୍ ଜରିଆରେ ସେ କଣ୍ଟାକ୍ଟଲେନ୍ସ, ଚଷମା ଓ ସନଗ୍ଲାସ୍ ବିକ୍ରି କରିବା ଆରମ୍ଭ କରିଦେଲେ। ଏହା ସହିତ ଲୋକଙ୍କୁ ସେମାନଙ୍କ କମ୍ପାନି ଓ ଆଖି ସମସ୍ୟା ସମ୍ପର୍କରେ ସଚେତନ କରିବା ପାଇଁ ପୀୟୁଷ ଓ ତାଙ୍କ ସହଯୋଗୀ ଲେନ୍ସକାର୍ଟ ଜରିଆରେ ଦିନକୁ ୧୫ ହଜାରରୁ ଅଧିକ ଆଖି ପରୀକ୍ଷା କରିଥିଲେ। ଏମିତି ଧୀରେଧୀରେ ଲେନ୍ସକାର୍ଟ ନିଜର ଗ୍ରାହକମାନଙ୍କ ପସନ୍ଦ ଓ ଆବଶ୍ୟକତାକୁ ଦେଖି ନିଜର ଉତ୍ପାଦ ଓ ସେବାରେ ପରିବର୍ତ୍ତନ ଆଣିଥିଲା। ଯାହାକି ଆଜି ଲେନ୍ସକାର୍ଟକୁ ଆଇ ସଲ୍ୟୁସନର ଏକ ବଡ଼ ପ୍ଲାଟଫର୍ମ ଭାବେ ଗଢ଼ି ତୋଳିଛି।

ଗ୍ରାହକଙ୍କର ପସନ୍ଦ ଓ ଆଖିର ଆବଶ୍ୟକତାକୁ ଦେଖି ଲେନ୍ସକାର୍ଟ ଚଷମା ଓ ଲେନ୍ସ ତିଆରି କରିଥାଏ। ସେହିପରି ଲେନ୍ସକାର୍ଟରେ ଗ୍ରାହକ ପ୍ରେସକ୍ରିପ୍ସନ ଅପଲୋଡ୍ କରିଲେ ଏହାର ଓ୍ୱେବସାଇଟରେ ଥିବା ସ୍ୱତନ୍ତ୍ର ଫିଚର ଗ୍ରାହକଙ୍କ ଆଖି ଓ ଚେହେରାର ମାପ ନେଇ ତାଙ୍କୁ ଖାପ୍ ଖୁଆଉଥିବା ଭଳି ଚଷମାଟେ ତିଆରି କରି ଗ୍ରାହକଙ୍କ ଘର ଦୂଆରେ ପହଞ୍ଚାଇଦେଉଛି। ଆଜି ଲେନ୍ସକାର୍ଟର ବାର୍ଷିକ ବିକ୍ରି ହଜାରେ କୋଟି ଟଙ୍କା ଅତିକ୍ରମ କରିସାରିଛି। କମ୍ପାନିର ନେଟ୍ ମୂଲ୍ୟ ମଧ୍ୟ ୩୭ ହଜାର କୋଟି ଟଙ୍କା ଅତିକ୍ରମ କରିସାରିଛି। ଏବେ ଲେନ୍ସକାର୍ଟରେ ୪ ହଜାରରୁ ଅଧିକ କର୍ମଚାରୀ, ଦେଶସାରା ୫ ଶହରୁ ଅଧିକ ଷ୍ଟୋର ରହିଛି। ଖାଲି ସେତିକି ନୁହେଁ ଲେନ୍ସକାର୍ଟ ଆଜି ଟାଟାର ଟାଇଟନ ଆଇଓ୍ୱେରକୁ ମଧ୍ୟ ଅତିକ୍ରମ କରିସାରିଛି। ପୀୟୁଷ ଓ ଶାର୍କ ଟ୍ୟାଙ୍କ୍

ଷ୍ଟୁଡିଓ ନେକ୍ସଟ ପ୍ରସ୍ତୁତ ଶାର୍କ ଟ୍ୟାଙ୍କ ସୋ’ରେ ଅନ୍ୟତମ ଜଜ୍ ହେଉଛନ୍ତି ପୀୟୁଷ ବନସଲ୍। ଏ ସୋ’ ଆରମ୍ଭ ହେବା ପରଠାରୁ ପୀୟୁଷ ଇଣ୍ଚରନେଟ୍ ଓ୍ୱାର୍ଲଡରେ ଅଧିକ ଭାଇରାଲ୍ ହେବାରେ ଲାଗିଛନ୍ତି। ଶାର୍କ ଟ୍ୟାଙ୍କ ମାଧ୍ୟମରେ ସେ ନୂଆନୂଆ ଉଦ୍ୟୋଗୀମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ମଧ୍ୟ ଦେଉଛନ୍ତି।

Tag: #ଶାର୍କଟ୍ୟାଙ୍କ୍ #ପୀୟୁଷବନସଲ୍ #ଲେନ୍ସକାର୍ଟ #PeyushBansal #Lenskart #SharkTankIndia #Microsoft #StartupIndia

Comment