ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଆର ଶାସନ ଭାର ଏଥର ବି ପ୍ରମୋଦ ସାବନ୍ତଙ୍କ କାନ୍ଧରେ। ପୁଣି ଥରେ ଗୋଆର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ପ୍ରମୋଦ ସାବନ୍ତ। ଗୋଆର ରାଜଧାନୀ ପଣଜୀସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିଅମଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରମୋଦ ସାବନ୍ତ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ନେଇଛନ୍ତି। ଗୋଆ ରାଜ୍ୟପାଳ ପି ଏସ୍ ଶ୍ରୀଧରନ ପିଲ୍ଲାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।

ପ୍ରମୋଦ ସାବନ୍ତଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଏହି ଅବସରରେ ଶପଥ ଗ୍ରହଣ କରିଛନ୍ତି। ଏହି ମନ୍ତ୍ରୀମାନେ ହେଲେ ବିଶ୍ଵଜିତ ରାଣେ, ମୌଭିତ ଗୋଡିନହୋ, ରବି ନାୟକ, ନୀଲେଶ କୈବରାଲ, ସୁଭାଷ ସିରୋଧକର, ରୋହନ ଖୁଣ୍ଟେ, ଗୋବିନ୍ଦ ଗୌଡୈ ଏବଂ ଅତାନାସିଓ ମୋନସେରାତେ।

ଗୋଆରେ ମୋଟ ୪୦ଟି ବିଧାନସଭା ଆସନ ରହିଛି। ଗୋଆ ବିଧାନସଭା ନିର୍ବାଚନ ୨୦୨୨ରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଛି। ମୋଟ ୪୦ ଆସନରୁ ୨୦ଟି ଆସନ ଅକ୍ତିଆର କରିବାରେ ବିଜେପି ସଫଳ ହୋଇଛି। କଂଗ୍ରେସକୁ ୧୧ଟି ଆସନ ମିଳିଥିବାବେଳେ ଆମ ଆଦମୀ ପାର୍ଟିକୁ ୨ଟି, ଏମଜିପିକୁ ୨ଟି ଏବଂ ସ୍ଵାଧୀନକୁ ୩ଟି ଆସନ ମିଳିଛି। ଏମଜିପିର ଦୁଇଟି ଏବଂ ୩ଟି ସ୍ଵାଧୀନ ସମର୍ଥନ ମିଳିଛି ବିଜେପି ସରକାରଙ୍କୁ। ୨୦୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ପ୍ରମୋଦ ସାବନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ।

Tags: #GoaElection #GoaAssemblyElection #AssemblyElection2022 #GoaAssemblyElection@2022 #GoaCM #CMPramodSawant

Comment