ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ରାଷ୍ଟ୍ରପତି ନିର୍ବାଚନ। ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଜୁଲାଇ ମାସରେ ହିଁ ରାଷ୍ଟ୍ରପତି ନିର୍ବାଚନ ହେବ। ତେଣୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ବିଜେପି ଅନ୍ୟ ଦଳଗୁଡ଼ିକର ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀଙ୍କ ନାମକୁ ନେଇ ଏବେ ମନ୍ଥନ ଚାଲିଛି।

ଇତି ମଧ୍ୟରେ ବିଜେପି ଏବଂ ଆରଏସଏସର ରାଷ୍ଟ୍ରପତି ଆଶାୟୀଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ନାଁ ଘୋଷଣା କରି ସମସ୍ତଙ୍କୁ ଚକିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆନନ୍ଦୀବେନ ପଟେଲ

ଆନନ୍ଦୀବେନ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିକଟତର ଲୋକ ବୋଲି କୁହାଯାଉଛି। ବର୍ତ୍ତମାନ ଆନନ୍ଦୀବେନ ପଟେଲ ଉତ୍ତରପ୍ରଦେଶର ରାଜ୍ୟପାଳ ଅଛନ୍ତି। ପୂର୍ବରୁ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଭାର ବହନ କରିସାରିଛନ୍ତି। କୁହାଯାଉଛି ବିଜେପିର ପ୍ରଥମ କେନ୍ଦ୍ରୀୟ କାର୍ଯ୍ୟକାଳ ସମୟରେ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା ଏବଂ ସେ ରାଷ୍ଟ୍ରପତି ବିଜୟୀ ହୋଇଥିଲେ। ସେତେବେଳେ ମୁସଲିମ୍ ସମ୍ପ୍ରଦାୟଙ୍କୁ ଗୁରୁତ୍ଵ ଦିଆଯାଉଥିବା ବିଜେପିର ବାର୍ତ୍ତା ରହିଥିବା କୁହାଯାଉଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଦଳିତ ସମାଜରୁ ଆସିଥିବା ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଯିବା ପରେ ଆଉ ଏକ ବାର୍ତ୍ତା ଦେଶବାସୀଙ୍କ ପାଖକୁ ଯାଇଥିଲା। ଜଣେ ମୁସଲିମ ଏବଂ ଜଣେ ଦଳିତଙ୍କୁ ବିଜେପି ରାଷ୍ଟ୍ରପତି କରି ଚର୍ଚ୍ଚା ସାଉଣ୍ଟି ଥିବାବେଳେ ଦଳ ଏବେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ଯଦି ବିଜେପି ଚଳିତ ଥର ମହିଳା ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରେ ତେବେ ସବୁଠାରୁ ଆଗରେ ରହିବ ଆନନ୍ଦୀବେନ ପଟେଲଙ୍କ ନାଁ।

ଆରିଫ ମହମ୍ମଦ ଖାନ

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚର୍ଚ୍ଚା ହେଉଛି। ମହମ୍ମଦ ଖାନଙ୍କ ଘର ଉତ୍ତରପ୍ରଦେଶର ବୁଲନ୍ଦ ସହରରେ। ଶାହବାନୋ ମାମଲାକୁ ନେଇ ଆରିଫ ଖାନ ରାଜୀବ ଗାନ୍ଧୀ ସରକାରଙ୍କ ସମୟରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ଚର୍ଚ୍ଚାର ପରିଧିକୁ ଆସିଥିଲେ।

‘ତିନ ତଲାକ’ ଏବଂ ସିଏଏ ଭଳି ମାମଲାରେ ଆରିଫ ଖାନ ସର୍ବଦା ବିଜେପିର ଢାଲ ସାଜିଛନ୍ତି। ବିଜେପି ପୁଣି ଥରେ ଜଣେ ମୁସଲିମ ଚେହେରାକୁ ରାଷ୍ଟପତି କରିପାରେ ବୋଲି ଆଲୋଚନା ହେଉଛି।

ଭେଙ୍କେୟା ନାଇଡୁ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ବିଜେପି ଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଭେଙ୍କେୟା ନାଇଡୁଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ଦୀର୍ଘ ସମୟ ଧରି ବିଜେପିରେ ସାମିଲ ଅଛନ୍ତି। ନାଇଡୁ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ପଦରେ ରହିଥିଲେ।

ମୋଦୀ ସରକାରରେ ସହରାଞ୍ଚଳ ବିକାଶ, ଆବାସ, ସୂଚନା ପ୍ରସାରଣ ତଥା ସଂସଦୀୟ କାର୍ଯ୍ୟ ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ଭେଙ୍କେୟା ନାଇଡୁ ୨୦୧୭ରୁ ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ସମ୍ଭାଳୁଛନ୍ତି। ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ବିଜେପି ଭେଙ୍କେୟା ନାଇଡୁଙ୍କୁ ରାଷ୍ଟ୍ରପତି କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ବିଜେଡି ଉପରେ ନଜର

ଏ ସବୁ ମଧ୍ୟରେ ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର। ମୁଖ୍ୟମନ୍ତ୍ରୀ ବିଜେପିକୁ ସମର୍ଥନ କରିବେ ନା ୨୦୧୨ ଘଟଣାର ପୁନରାବୃତ୍ତି କରିବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି।

ଗତ ୨୦୧୭ରେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସମର୍ଥନ ମିଳିଥିଲା ଏବଂ ସେ ବିଜୟ ମଧ୍ୟ ହାସଲ କରିଥିଲେ। ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ବିଜେଡି ସରକାରଙ୍କ ସମର୍ଥନ ପାଇଁ କେନ୍ଦ୍ର ବିଜେପି ସରକାର ଆଶା ବାନ୍ଧି ଥିବା ଆଲୋଚନା ହେଉଛି। କୁହାଯାଉଛି କେନ୍ଦ୍ର ବିଜେପି ସରକାରଙ୍କ ପାଖରେ ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ୩ ପ୍ରତିଶତ ଭୋଟ ରହିଛି। ଏଥିପାଇଁ ପ୍ରାୟ ୧.୨ ପ୍ରତିଶତ ଭୋଟ କମ୍ ପଡ଼ୁଛି।

ବିଜେପିର ସ୍ଥିତି କ’ଣ ରହିଛି?

ବର୍ତ୍ତମାନ ବିଜେପି ପାଖରେ ୪ ଲକ୍ଷ ୬୫ ହଜାର ୭୯୭ ଭୋଟ ରହିଛି। ବିଜେପିକୁ ସମର୍ଥନ କରୁଥିବା ଦଳଗୁଡ଼ିକ ପାଖରେ ୭୧ ହଜାର ୩୨୯ ଭୋଟ ରହିଛି। ବିଜେପି ଏବଂ ସମର୍ଥିତ ଦଳଗୁଡ଼ିକର ଭୋଟକୁ ମିଶାଇଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନର ମ୍ୟାଜିକ ନମ୍ବର ହୋଇପାରୁ ନାହିଁ। ଆହୁରି ୧୩ ହଜାର ଭୋଟର ଆବଶ୍ୟକତା ପଡ଼ୁଛି।

ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ଶେଷ ହେଲା। ବିଜେପିକୁ ବିପୁଳ ବିଜୟ ମଧ୍ୟ ହାସଲ ହେଲା। କିନ୍ତୁ ୨୦୧୭ ନିର୍ବାଚନ ଅପେକ୍ଷା ୨୦୨୨ ନିର୍ବାଚନରେ ବିଜେପିର ବିଧାୟକମାନଙ୍କ ସଂଖ୍ୟାରେ ହ୍ରାସ ହୋଇଛି। ଉତ୍ତରପ୍ରଦେଶରେ ୨୦୧୭ରେ ୩୧୨ ଜଣ ବିଧାୟକ ନିର୍ବାଚିତ ହୋଇଥିବାବେଳେ ୨୦୨୨ରେ ୨୫୫ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡରେ ୨୦୧୭ରେ ୫୬ ବିଧାୟକ ରହିଥିବାବେଳେ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ୪୭ ଜଣ ବିଧାୟକ।

ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ ବିଜେଡି କିମ୍ବା ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନର ଆବଶ୍ୟକତା ରହିଛି। ବିଜେଡି ହାତରେ ୧୧୩ ବିଧାୟକ ଏବଂ ୧୨ ଜଣ ସାଂସଦ ରହିଛନ୍ତି। ଏମାନଙ୍କ ଭୋଟର ମୂଲ୍ୟ ହେଉଛି କଲେଜିଅମର ୩ ପ୍ରତିଶତ। ଏହି ଭୋଟ ମିଳିଲେ ବିଜେପି ପ୍ରାର୍ଥୀ ରାଷ୍ଟ୍ରପତି ହେବାର ବାଟ ଫିଟିଯିବ। କାରଣ ସଂଖ୍ୟା ଗରିଷ୍ଠତା ପାଇଁ ବିଜେପିକୁ ଆଉ ମାତ୍ର ୧.୨ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି।

ରାଷ୍ଟ୍ରପତି ନିର୍ବାଚନରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ

୨୦୧୨ରେ ବିଜେଡି ପିଏ ସାଙ୍ଗମାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରଥମେ ପ୍ରସ୍ତାବ ଦେଇଥିଲା। ସେତେବେଳେ କ୍ଷମତାରେ ନଥିବା ବିଜେପି ସାଙ୍ଗମାଙ୍କୁ ସମର୍ଥନ କରିଥିଲା। କିନ୍ତୁ ହାରି ଯାଇଥିଲେ ସାଙ୍ଗମା। ୨୦୧୭ରେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲା ବିଜେଡି। ଏହା ପରେ ୨୦୧୯ରେ ରାଜ୍ୟସଭା ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା।

ବଡ଼ କଥା ହେଲା ପୂର୍ବରୁ କଂଗ୍ରେସ ବିଜେଡିର ବିରୋଧୀ ଥିବାବେଳେ ଏବେ କଂଗ୍ରେସର ସ୍ଥାନ ନେଇଛି ବିଜେପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ଦିଲ୍ଲୀ ଗସ୍ତ ବେଳେ ସଂସଦ କେନ୍ଦ୍ରୀୟ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୭୫ ଜଣ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବାର ଯୋଜନା ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ସସପେନ୍ସ ବିଢ଼ିବାରେ ଲାଗିଛି।

୨୦୧୨ ମସିହା ଭଳି ବିଜେଡି ସରପ୍ରାଇଜ କରିବ ନା ୨୦୧୭ ଭଳି ପୁଣି ବିଜେପିକୁ ସମର୍ଥନ କରିବ ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Tags: #PresidentofIndia #PresidentElection #BJP #BJD #Canditates

Comment