ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାଣୀ ଭିକ୍ଟୋରିଆଙ୍କ ଶାସନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ମିତ ହୋଇଥିବା ୧୩୫ ବର୍ଷର ସୂର୍ଯ୍ୟ ଘଡ଼ି ଏବେ ଅବହେଳିତ ହୋଇପଡ଼ିଛି। ୧୮୮୭ ମସିହାରେ ସର୍ବସାଧାରଣଙ୍କ ସମୟ ଜାଣିବା ପାଇଁ ତତ୍କାଳୀନ ବ୍ରିଟିଶ ସରକାର କେନ୍ଦ୍ରାପଡ଼ା ସହରର ପୁରୁଣା ମଟରଷ୍ଟାଣ୍ଡ ତଥା କେନ୍ଦ୍ରାପଡ଼ା କଚେରୀ ପଡ଼ିଆ ନିକଟରେ ଏକ ସୂର୍ଯ୍ୟ ଘଡ଼ି ନିର୍ମାଣ କରିଥିଲେ।

ଭାରତରେ ରାଣୀ ଭିକ୍ଟୋରିଆଙ୍କ ୫୦ ବର୍ଷ ଶାସନର ସ୍ମୃତି ଉଦ୍ଦେଶ୍ୟରେ ଏକ ଗୋଲାକାର ସୂର୍ଯ୍ୟ ଘଡ଼ି ନିର୍ମାଣ କରାଯାଇଥିଲା। ଏହା ଉପରେ ଖୋଦେଇ କରାଯାଇ ଲେଖାଯାଇଛି ‘ଯୁବଲି ସନ୍ ଡାଏଲ ୧୮୮୭’।  ଯାହା ଏବେ ଜିଲ୍ଲାର ଏକ ପୁରାତନ କୀର୍ତ୍ତି ଭାବେ ରହିଛି। କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ସୂର୍ଯ୍ୟ ଘଡ଼ିଟି ଏବେ ଅଦରକାରୀ ହୋଇପଡ଼ିଛି। ରଙ୍ଗ ଦିଆଯାଉନଥିବାରୁ ଏଥିରେ ଖୋଦେଇ ହୋଇ ରହିଥିବା ଘଡ଼ିର ଇଂରାଜୀ ସଂଖ୍ୟା ସବୁ ଲିଭିବାକୁ ବସିଲାଣି।

ଏହି ଗୋଲାକାର ସିମେଣ୍ଟ କଂକ୍ରିଟ ସୂର୍ଯ୍ୟ ଘଡ଼ି ଉପରେ ଏକ କଂକ୍ରିଟର ସ୍ତମ୍ବ ରହିଛି। ସୂର୍ଯ୍ୟଙ୍କ ଗତି ବଦଳିଲେ ସୂର୍ଯ୍ୟଙ୍କର କିରଣ ଏହି ସ୍ତମ୍ବରେ ପଡ଼ିବା ଅନୁସାରେ ଖୋଦିତ ସଂଖ୍ୟାରେ ସ୍ତମ୍ବର ଛାଇ ପଡ଼େ। ସେତେବେଳେ ଲୋକମାନେ ଏହି ଘଡ଼ିରୁ ଦିନରେ ସମୟ ଜାଣି ପାରୁଥିଲେ। ଏହା ଏକ ଖୋଲା ସ୍ଥାନରେ ନିର୍ମାଣ କରାଯାଇଥିବାରୁ ସବୁବେଳେ ଖୋଲା ଖରା ଏହା ଉପରେ ପଡୁଥିଲା। ଏବେ ଏହି ପ୍ରାଚୀନ କୀର୍ତ୍ତିଟିର ନିକଟରେ ଜିଲ୍ଲା ପ୍ରଶାସନ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ନିର୍ମାଣ କରିଦେଇଥିବାରୁ ଏହି ଘଡ଼ି ଉପରେ ସମ୍ପୂର୍ଣ୍ଣ ସୂର୍ଯ୍ୟ କିରଣ ପଡ଼ିପାରୁନାହିଁ ବୋଲି ପରିବେଶବିତ୍ ଆଶିଷ ସେନାପତି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଶହ ଶହ ବର୍ଷର ଏହି ପ୍ରାଚୀନ କୀର୍ତ୍ତିରାଜିଟି ଆଜି ତାର ଅସ୍ତିତ୍ଵ ହରାଇ ବସିଛି। ସୂର୍ଯ୍ୟ ଘଡ଼ି ନିକଟରେ ଏହି ସରକାରୀ କାର୍ଯ୍ୟାଳୟଟି ନିର୍ମାଣ କରାଯିବା ସମୟରେ ଘଡ଼ିଟିର ପ୍ରାକୃତିକତା ଉପରେ ପ୍ରଶାସନ ଗୁରୁତ୍ଵ ଦେଇନଥିବାରୁ ଏହା ନିଜର ଅସ୍ତିତ୍ଵ ହରାଇ ବସିଛି। ବାହ୍ୟ ଅବରୋଧକୁ ରୋକିବାକୁ ଏହାର ଚାରି ପଟରେ କେବଳ ଏକ ପାଚେରୀ ନିର୍ମାଣ କରିଛି ଜିଲ୍ଲା ପ୍ରଶାସନ। ପାଚେରୀ ମଧ୍ୟରେ ଅନାବନା ଗଛସବୁ ସୂର୍ଯ୍ୟ ଘଡ଼ିC କାବୁ କରିବାକୁ ବସିଲାଣି। ପ୍ରତ୍ନତତ୍ତ୍ଵ ବିଭାଗ ଏହି ପ୍ରାଚୀନ କୀର୍ତ୍ତିଟିର ସୁରକ୍ଷା ପାଇଁ ଆଗେଇ ଆସିବାର ବିଭିନ୍ନ ମହଲରେ ଦାବି ହେଉଛି।

Tags: #Kendrapara #QueenVictoria #SunClock #Neglected

Comment