ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। କିନ୍ତୁ ତାଙ୍କ ପ୍ରେରଣା ଓଡ଼ିଶାବାସୀ ଏବଂ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସବୁଦିନ ଲାଗି ଉଜ୍ଜୀବିତ ହୋଇ ରହିବ।

ସଙ୍ଗୀତଜ୍ଞ ପ୍ରଫୁଲ କର ୧୯୩୯ ମସିହା ଫେବ୍ରୁଆରି ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ। ସେ ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ସେ ବିଶ୍ଵବିଦ୍ୟାଳୟରୁ କଳା ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର ଏବଂ ପଣ୍ଡିତ କେ. ଆଦିନାରାୟଣଙ୍କ ତତ୍ତ୍ଵାବଧାନରେ ସଙ୍ଗୀତ ବିଶାରଦ ଉପାଧି ପାଇଥିଲେ।

୧୯୬୦ରେ ସଙ୍ଗୀତ ଯାତ୍ରା ଆରମ୍ଭ

ପଦ୍ମଶ୍ରୀ ପ୍ରଫୁଲ୍ଲ କର ୧୯୬୦ ମସିହାରେ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ। ସେ ଆକାଶବାଣୀରେ ଗ୍ରେଡ ‘ଏ’ ଆର୍ଟିଷ୍ଟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। କେବଳ ଏତିକି ନୁହେଁ ସେ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ମଧ୍ୟ ଥିଲେ। ଗାୟକ ଏବଂ ଗୀତିକାର ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ତାଙ୍କୁ ୮ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଭାଗବତରେ ୭ଟି ଅଡ଼ିଓ କ୍ୟାସେଟ, ଓଡ଼ିଶୀ ଛାନ୍ଦ, ଦେଶାତ୍ମବୋଧ ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି।

ପ୍ରଫୁଲ୍ଲ କର ବିଭିନ୍ନ ନୃତ୍ୟ ଗୁରୁମାନଙ୍କ ସହ ମିଶି ଅନେକ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କେବଳ ସଙ୍ଗୀତ ନୁହେଁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ଦୈନିକ ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ତାଙ୍କର ଏହି ସବୁ ଲେଖାଗୁଡ଼ିକ ‘ସାଉଁଟା କାହାଣୀ’ ନାମକ ପୁସ୍ତକରେ ପ୍ରକାଶ ପାଇଛି।

ଜୀବନର ଶେଷ ଯାଏଁ ସଙ୍ଗୀତ ସାଥୀରେ ଥିଲେ

ସଙ୍ଗୀତ ପ୍ରତି ନିଜକୁ ସମର୍ପି ଦେଇଥିଲେ ପଦ୍ମଶ୍ରୀ ପ୍ରଫୁଲ୍ଲ କର। ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତରେ ମଗ୍ନ ଥିଲେ। ଘରେ ବସି ଲେଖା ଲେଖି କରୁଥିଲେ। ସେ ଯେକୌଣସି ପ୍ରକାରର ସଙ୍ଗୀତ କରିପାରୁଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ନିଜକୁ ଯୋଡ଼ି ରଖିଥିଲେ। ସେ ନିଜେ ଗୀତ ଲେଖୁଥିଲେ, ଗାଉଥିଲେ ଏବଂ ସ୍ଵର ମଧ୍ୟ ସଂଯୋଜନା କରୁଥିଲେ।

ନୂଆ କଳାକାରଙ୍କୁ ଦେଉଥିଲେ ସୁଯୋଗ

ପ୍ରଫୁଲ୍ଲ କର ସଙ୍ଗୀତ ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଗୀତ ଲେଖୁଥିଲେ, ଗାଉଥିଲେ ଏବଂ ସଂଯୋଗନା ମଧ୍ୟ କରୁଥିଲେ। ଓଡ଼ିଆ ସିନେମା ସହ ସେ ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଆଉ ଏକ ମହାନ ଗୁଣ ହେଉଛି ସେ ନୂଆ କଳାକାରମାନଙ୍କୁ ସୁଯୋଗ ଦେଉଥିଲେ। ଓଡ଼ିଆ ଫିଲ୍ମ ହେଉ କିମ୍ବା ସୁଗମ ସଂଗୀତ, ନୂଆ କଳାକାରଙ୍କୁ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବାକୁ ସୁଯୋଗ ଦେବାରେ ସେ ଥିଲେ ଅଗ୍ରଗଣ୍ୟ। ଏହା କେବଳ କଥାରେ ସୀମିତ ନୁହେଁ ଓଡ଼ିଶାର ଅନେକ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏହାକୁ ଖୋଲାଖୋଲି ସ୍ଵୀକାର କରିଛନ୍ତି।

‘ଶ୍ରୀ ଶ୍ରୀ ପତିତପାବନ’ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଭାବେ ପ୍ରଫୁଲ୍ଲ କର ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲେ। ଏହା ସହିତ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ପ୍ରଫୁଲ୍ଲ କର ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ରଖିଥିଲେ। ‘ମମତା’ର ମୋଟ ୮ଟି ଯାକ ଗୀତ ସୁପରହିଟ ହୋଇ ଚଳହ ସୃଷ୍ଟି କରିଥିଲା।

ତାଙ୍କୁ ମିଳିଥିବା ସମ୍ମାନ

ପ୍ରଦ୍ମଶ୍ରୀ ପ୍ରଫୁଲ୍ଲ କର ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ। ତାଙ୍କୁ ୨୦୧୫ ତାରିଖରେ ପଦ୍ମଶ୍ରୀ ସମ୍ମାନ, ୨୦୦୪ ମସିହାରେ ଜୟଦେବ ସମ୍ମାନ, ସ୍ଵର୍ଣ୍ଣ ସଞ୍ଜିବନୀ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ବାଳକୃଷ୍ଣ ଦାସ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ଫିଟଫାଟ ବାଇସ୍କୋପ ସମ୍ମାନ, କାଦମ୍ବିନୀ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି। ବିଶିଷ୍ଟ ସଙ୍ଗୀଜ୍ଞ ପ୍ରଫୁଲ୍ଲ କରଙ୍କୁ ପରାମ୍ପରା ସମ୍ମାନ, ସହଦେବ ପାଢ଼ୀ ସମ୍ମାନ, ସମ୍ମାନ ସୂଚକ ଡିଲିଟ୍ ମଧ୍ୟ ପ୍ରାପ୍ତ ହୋଇଛି। ଏହା ସହ ତାଙ୍କୁ ଚକୋଲେଟ ଲିଜେଣ୍ଡ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ କଣ୍ଠରେ ଚିର ସବୁଜ ଗୀତ

ଗାଁଠାରୁ ସହର ସବୁଠି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫୁଲ କରଙ୍କର ସୁଲଳିତ କଣ୍ଠ ସ୍ଵର ଶ୍ରୋତାଙ୍କ ହୃଦୟରେ ଛାପଛାଡ଼ିଛି। ଆକାଶବାଣୀରୁ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ସବୁଠି ସେ ଥିଲେ ଅପ୍ରତିଦ୍ଵନ୍ଦ୍ଵି। ‘କମଳ ଦେଶ ରାଜକୁମାର ମୁଁ..ହାତରେ ପୁଷ୍ପ ଧନୁ’, ‘ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ’, ‘ମୁଁ ତ ନିରୀହ କେରାଣ୍ଡି ମାଛ’, ‘ହଇରେ ଫୁଲଗଛ’ ଏବଂ ‘ନା ନା ମତେ ପ୍ରେମ କରନା’ ଆଦି ଭଳି ଶତାଧିକ ଗୀତ ଆଜି ଯାଏଁ ଶ୍ରୋତାଙ୍କ ମନରେ ରାଜ କରୁଛି।

Tags: #PrafullaKar #PadmaShreePrafullaKar #Legend #Musician #PassedAway

Comment