ଓଡ଼ିଶାଲାଇଭ୍ ବ୍ୟୁରୋ

କମଳ ଦେଶ ରାଜକୁମାର ଭାବେ ପରିଚିତ ବିଶିଷ୍ଟ ସଙ୍ଗୀତଜ୍ଞ, ଗାୟକ, ଗୀତିକାର, ଗାଳ୍ପିକ ଏବଂ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ଵର ସତ୍ୟନଗର ସ୍ଥିତ ବାସଭବନରେ ତାଙ୍କର ବିୟୋଗ ଘଟିଛି। ସୋମବାର ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋବ। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

୧୯୩୯ ମସିହା ଫେବ୍ରୁଆରି ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସଙ୍ଗୀତଜ୍ଞ ପ୍ରଫୁଲ କର। ସଂଗୀତ କ୍ଷେତ୍ରରେ ବିଶିଷ୍ଟ ଯୋଗଦାନ ପାଇଁ ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୦୪ରେ ସେ ଜୟଦେବ ପୁରସ୍କାର ପ୍ରାପ୍ତ କରିବା ସହ ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ଏକାଧିକ ପୁରସ୍କାର ଏବଂ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପ୍ରଫୁଲ୍ଲ କର ୪୦ରୁ ଅଧିକ ଓଡ଼ିଶା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୫ଟି ବଙ୍ଗଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ଦେହାନ୍ତ ଖବର ପରେ ବିଭିନ୍ନ ମହଲରେ ଶୋଷ ପ୍ରକାଶ ପାଇଛି। ଶେଷ ଦର୍ଶନ ପାଇଁ ତାଙ୍କ ଘରେ ବହୁ କଳାକାର, ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ପହଞ୍ଚି ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: #PadmashreePrafullaKar #LegendryMusician #Singer #PassedAway

Comment