ଡକ୍ଟର ଫକୀର ମୋହନ ନାହାକ

Television Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଜାନୁଆରୀ ୨ ତାରିଖ, ୨୦୦୬ ମସିହା। କେବଳ ଓଡ଼ିଶା ନୁହେଁ, ବିଶ୍ୱର କୋଣ ଅନୁକୋଣରେ ଥାଏ ନୂଆବର୍ଷ ପାଳନର ଆନନ୍ଦ। ସେହି ଆନନ୍ଦରେ ସାମିଲ ଥିଲା ଈଟିଭି ଓଡ଼ିଆ ଟିମ୍। କାରଣ ଈଟିଭି ମୁଖ୍ୟାଳୟ- ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟିରେ ବିଭିନ୍ନ ଚାନେଲରେ କାର୍ଯ୍ୟରତ ସାମ୍ବାଦିକ ଓ ଟେକ୍ନିସିଆନଙ୍କ ମଧ୍ୟରେ ଚାଲିଥାଏ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଈଟିଭି ଓଡ଼ିଆ ଟିମ୍ ଗୋଟିଏ ପରେ ଗୋଟିଏ ଟିମକୁ ହରାଇ ସେଦିନ ସେମିଫାଇନାଲରେ ପ୍ରବେଶ କରିଥିଲା। ନ୍ୟୁଜ୍ ଡେସ୍କରେ କମ୍ ଲୋକଙ୍କ ଉପରେ ଅଧିକ କାମ ଚାପ ଦେଇ, ଦଳେ ଯାଇଥାନ୍ତି ପଡ଼ିଆକୁ ଖେଳିବା ପାଇଁ ଏବଂ ଆଉ ଦଳେ ସେମାନଙ୍କ ପାଇଁ ତାଳି ମାରିବାକୁ। ଏକ ରୋମାଞ୍ଚକର ସ୍ଥିତିରେ ମ୍ୟାଚ୍ ଚାଲିଥିଲା ବେଳେ ହଠାତ୍ ଯାଜପୁରରୁ ଫୋନ୍ ଆସିଲା ତତ୍କାଳୀନ ଚିଫ୍ କପି ଏଡିଟର ଦୟାନିଧି ଦାଶଙ୍କ ପାଖକୁ। କଳିଙ୍ଗନଗରରେ ଗୁଳିକାଣ୍ଡ। ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସର ଆଖିବୁଜା ଗୁଳିଚାଳନା ଚାଲିଛି। ୪ ଜଣଙ୍କ ମୃତ୍ୟୁ ଆଶଙ୍କା। ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ବାସ୍ .. ଯାଜପୁର ପ୍ରତିନିଧି ପ୍ରିୟରଞ୍ଜନ କରଙ୍କ ନିକଟରୁ ଏହି ଖବର ଶୁଣିବା କ୍ଷଣି ଖେଳପଡ଼ିଆ ଛାଡ଼ି ପବନ ବେଗରେ ଯାଇ ନ୍ୟୁଜ୍ ଡେସ୍କରେ ପହଞ୍ଚିଲେ ଦୟାନିଧି ଦାଶ। ସେତେବେଳେ ପ୍ରସାରଣ ସେବାରେ ନିୟୋଜିତ ଥିବା ଅନ୍ୟ କୌଣସି ଜାତୀୟ ଗଣମାଧ୍ୟମରେ ସେ ଖବର ପ୍ରସାରିତ ହୋଇନଥିଲା। ସଂଗେ ସଂଗେ ଈଟିଭି ଓଡ଼ିଆ ବ୍ରେକ୍ କଲା ଖବର। ଏଇ ଖବର କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ଥିବା ସମଗ୍ର ପୃଥିବୀର ବିଭିନ୍ନ ଭାଗରେ ବାସ କରୁଥିବା ଓଡ଼ିଆଙ୍କୁ ଆନ୍ଦୋଳିତ କରିଥିଲା। ଖବରକୁ ଈଟିଭି ଓଡ଼ିଆ ଡେସ୍କ, ଈଟିଭି ନେଟୱର୍କର ଅନ୍ୟମାନଙ୍କ ନିକଟରେ ବି ପହଞ୍ଚାଇ ସାରିଥିଲା।

କଳିଙ୍ଗନଗରରେ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିଗୃହୀତ ଜମିରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଆବଶ୍ୟକ ପାଚେରି ନିର୍ମାଣକୁ ବିରୋଧ କରି ସ୍ଥାନୀୟ ଆଦିବାସୀମାନେ ଘେରାଉ କରିଥିଲେ। ଏ ଘେରାଉ ସେମାନଙ୍କ ପାଇଁ ପ୍ରଥମ ବା ନୂଆ ନଥିଲା। ଶିଳ୍ପାୟନ ସହିତ ସବୁବେଳେ ଯୋଡ଼ି ହୋଇ ରହିଛି ବିସ୍ଥାପନ ଓ ଥଇଥାନ। ତେବେ ଶିଳ୍ପାୟନ ପାଇଁ ଏହି ଅଞ୍ଚଳର ଆଦିବାସୀମାନଙ୍କ ଜମି, ସରକାର ଅଧିଗ୍ରହଣ କରିଥିଲେ ବି ଏଥିପାଇଁ ଯାହା କ୍ଷତିପୂରଣ ଦେଉଥିଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ତେଣୁ ବିସ୍ଥାପନ ବିରୋଧୀ ଜନମଞ୍ଚର ପୃଷ୍ଠପୋଷକତାରେ ସ୍ଥାନୀୟ ଆଦିବାସୀମାନେ ନିରନ୍ତର ଭାବେ ସରକାରଙ୍କୁ ବିରୋଧ କରୁଥିଲେ।

କଳିଙ୍ଗନଗରରେ ସ୍ଥାନୀୟ ଆଦିବାସୀଙ୍କ ଘେରାଉ

ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହେଲା ଦିନଠାରୁ ଏହି ବିରୋଧ ଜାରି ରହିଥିଲା। ତେବେ ସେଦିନ ଥିଲା ସୋମବାର। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଇ ଘଟଣାସ୍ଥଳରେ କାରଖାନା ପାଇଁ ପାଚେରି ନିର୍ମାଣ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାକୁ ଚେଷ୍ଟା ଚଳାଇ ଥିଲା। ତେବେ ଏଥିରେ ପ୍ରତିବନ୍ଧକ ସାଜିଥିଲେ ସେହି ବିସ୍ଥାପନ ବିରୋଧୀ ଜନମଞ୍ଚ ।

ସରକାରୀ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ସ୍ଥାନୀୟ ପ୍ରଶାସନ ଆଗରେ ନିର୍ଦ୍ଦେଶଟା ବଡ଼ଥିଲା ସିନା, ହେଲେ ବଡ଼ ନଥିଲା ଆନ୍ଦୋଳନରତ ଆଦିବାସୀମାନଙ୍କ ଜୀବନ। ସେଥିପାଇଁ ଆଦିବାସୀଙ୍କ ସହିତ କୌଣସି ପ୍ରକାର ଆଲୋଚନା କରାଯାଇନଥିଲା। ଏଥିରେ ଉତକ୍ଷିପ୍ତ ଆଦିବାସୀମାନେ ସେଠାରେ ନିଯୁକ୍ତ ଜଣେ ପୋଲିସ କର୍ମଚାରୀଙ୍କୁ ଘେରି ଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ୍ କର୍ମଚାରୀ ପ୍ରାଣ ହରାଇବା ପରେ ପୋଲିସ ପକ୍ଷରୁ ଚାଲିଥିଲା ଆଖିବୁଜା ଗୁଳିଚାଳନା। ଯାହାର ଶିକାର ହୋଇଥିଲେ ପୁରୁଷ, ମହିଳା ଏବଂ ଶିଶୁ। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଗୁଳି ବର୍ଷଣ। ଏଥିରେ ପ୍ରାଣ ହରାଇଲେ ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୧୨ ଜଣ ବିକ୍ଷୋଭକାରୀ ଆଦିବାସୀ। ସ୍ୱାଧୀନତୋତ୍ତର ଭାରତ ବର୍ଷରେ ଏଭଳି ଘଟଣା କୌଣସି ସ୍ଥାନରେ ବି ଘଟିନାହିଁ ବୋଲି ଅଭିଯୋଗ କରିଥିଲେ ରାଜ୍ୟରେ ବିଭିନ୍ନ ବିରୋଧୀ ଦଳ। ଏପରିକି ଏହାକୁ ଦ୍ୱିତୀୟ ଜାଲିଆନାୱାଲାବାଗ ଗଣହତ୍ୟା ଭାବରେ ଅଭିହିତ କରିଥିଲେ ସମସ୍ତେ। ଗୁଳିମାଡ଼ରେ ଛତ୍ରଭଙ୍ଗ ଦେଇ ଯିଏ ଯେଉଁଆଡ଼େ ଜୀବନ ବିକଳରେ ଦୌଡ଼ିଥିଲେ ବିକ୍ଷୋଭ ପ୍ରଦର୍ଶନକାରୀ।

ପରବର୍ତ୍ତୀ ସମୟରେ ଯେତେବେଳେ ପରିବାର ଲୋକମାନେ ଆସି ମୃତଦେହ ଖୋଜିବାରେ ଲାଗିଲେ, ସେମାନଙ୍କ ହାତରେ ପଡ଼ିଲା ମାତ୍ର ୪ଟି ମର ଶରୀର। ଅନ୍ୟସବୁ ମୃତଦେହ ଫେରାଇ ଦେବାକୁ ଦାବି କରି ପୁଣି ଆନ୍ଦୋଳନରେ ବସିଲେ ବିସ୍ଥାପନ ବିରୋଧୀ ମଞ୍ଚ। 

ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବେଳର ଦୃଶ୍ୟ

ଏହାର ଦୁଇ ଦିନ ପରେ ଜାନୁଆରୀ ୪ ତାରିଖରେ ଯେତେବେଳେ ମୃତଦେହଗୁଡ଼ିକୁ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା, ସେତେବେଳର ଦୃଶ୍ୟ ଥିଲା ଅତ୍ୟନ୍ତ କରୁଣ। କାରଣ ୫ଟି ମୃତଦେହର ହାତ ପାପୁଲି ସବୁ କାଟି ଦିଆଯାଇଥିଲା। ଏହାକୁ ନେଇ ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଲା। ପୋଲିସର ବର୍ବରୋଚିତ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଗଲା। ପ୍ରକାରାନ୍ତରେ ରାଜ୍ୟ ସରକାର ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଲେ। ସେପଟେ ମୃତଦେହକୁ ନେଇ ସତ୍କାର କରିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ ନଛୋଡ଼ବନ୍ଦା ଆନ୍ଦୋଳନକାରୀ। କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କ ଅନୁରୋଧ ପରେ ଶେଷରେ ସମସ୍ତଙ୍କ ଏକା ସଙ୍ଗରେ ସାମୂହିକ ସତ୍କାର କରିଥିଲେ ଆନ୍ଦୋଳନକାରୀ।

ଗୁଳିକାଣ୍ଡ ବେଳେ ସେଠାରେ ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ପରିସ୍ଥିତିରେ ଈଟିଭି ପ୍ରତିନିଧି ପ୍ରିୟରଞ୍ଜନ କର ଅତ୍ୟନ୍ତ ନିଷ୍ଠାର ସହିତ ଖବର ସଂଗ୍ରହ କରିଥିଲେ ଏବଂ ଠିକ୍ ସମୟରେ ଏହି ଖବରକୁ ନ୍ୟୁଜ୍ ସେଣ୍ଟରରେ ପହଞ୍ଚାଇ ପାରିଥିଲେ। ଯାହାଫଳରେ ଅନ୍ୟ କୌଣସି ଜାତୀୟ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିବା ପୂର୍ବରୁ ଏହି ଖବରକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇଥିଲା ଈଟିଭି। କଥା ଏଇଠି ସରିନଥିଲା କିମ୍ବା ଏହି ଗୋଟିଏ ଘଟଣାର ରିପୋର୍ଟିଂରେ ସୀମିତ ନଥିଲା। ବରଂ ଏହି ଘଟଣା ପରେ କଳିଙ୍ଗନଗରରେ ଦୀର୍ଘ ଦିନ ଧରି ଚାଲିଥିଲା ରାସ୍ତା ଅବରୋଧ ଏବଂ ଅର୍ଥନୈତିକ ଅବରୋଧ। ସେହି ପ୍ରତିଟି ଖବର ନିରନ୍ତର ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲା ଈଟିଭି।

କଳିଙ୍ଗନଗରରୁ ଈଟିଭି ପ୍ରତିନିଧି ପ୍ରିୟରଞ୍ଜନ କରଙ୍କ ଖବର ସଂଗ୍ରହ 

ମୃତକମାନଙ୍କ ସାମୂହିକ ଅନ୍ତ୍ୟେଷ୍ଟି ବେଳେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଯେଉଁ ହୃଦୟଥରା ଦୃଶ୍ୟ ସୃଷ୍ଟି ହୋଇଥିଲା ତାହା ସମ୍ଭାଳି ପାରିବା ଜଣେ ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ। ତଥାପି ଏଭଳି ଏକ ଘଟଣାକୁ ଘଟଣା ସ୍ଥଳରୁ ରିପୋର୍ଟିଂ କରିବା କିଛି କମ୍ କଥା ନଥିଲା। କେବଳେ ଓଡ଼ିଶା ଇତିହାସ ନୁହେଁ, ଓଡ଼ିଆ ଟେଲିଭିଜନ୍ ଇତିହାସରେ ଏହି ଘଟଣା ରହିବ କାଳ କାଳ ପାଇଁ। ସେଦିନ ଖେଳ ପଡ଼ିଆରେ ଖେଳୁଥିବା ଈଟିଭି ଓଡ଼ିଆ ଟିମ୍ ଯଦିଓ ବିଜୟୀ ହୋଇଥିଲା, କିନ୍ତୁ ସେଦିନର ଏହି ଖବର ଆଗରେ ସବୁ ଈଟିଭିଆନ୍ ଭୁଲି ଯାଇଥିଲେ ବିଜୟର ଆନନ୍ଦକୁ। ଖବରର ଗୁରୁତ୍ୱ ସମସ୍ତଙ୍କୁ ତତ୍ପର କରାଇ ଦେଇଥିଲା।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #ETVOdia #ETVOriya #DrFakirMohanNahak #JourneyofTelevisioninOdisha #KalingaNagarFiringAndETv #Firing #Death #ଡକ୍ଟରଫକୀରମୋହନନାହାକ #ଈଟିଭିଓଡ଼ିଆ

Comment