ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବାର ଚଳାଇବା ପାଇଁ କେବଳ ପୁରୁଷ ନୁହଁନ୍ତି ଏବେ ମହିଳା ମଧ୍ୟ ସହଯୋଗ କଲେଣି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ବେଶ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ହୁଣ୍ଡିଭଟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଛତୁ ଚାଷ କରି ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି।

ହୁଣ୍ଡିଭଟା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି ) ମହିଳାମାନେ ଆଧୁନିକ ପ୍ରାଣାଳୀରେ ଛତୁ ଚାଷ କରୁଛନ୍ତି। ଏହି ଛତୁକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି। ଏହି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ସହାୟତା କରୁଛନ୍ତି। ହୁଣ୍ଡିଭଟା ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳା ଓଡ଼ିଶା ଜୀବିକା ମିଶନ ସାହାଯ୍ୟରେ ଛତୁ ଚାଷ ପାଇଁ ତାଲିମ ନେଇଥିଲେ। ପ୍ରାଥମିକ ପର୍ଯ୍ୟାୟ ଛତୁ ଚାଷ କରି ଲାଭବାନ ହେବା ପରେ ଏହା ଆଗକୁ ବଢ଼ାଇଛନ୍ତି।

ପ୍ରାଥମେ ୧୧ ଜଣ ମହିଳାଙ୍କୁ ନେଇ ହୁଣ୍ଡିଭଟାରେ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ ହୋଇଥିଲା। ପରେ ୨୦୧୭ ମସିହାରେ ଓଡ଼ିଶା ଜୀବିକା ମିଶନ ସାହାଯ୍ୟରେ ଛତୁ ଚାଷ କରିବା ପାଇଁ ତାଲିମ ନେଇଥିଲେ ମହିଳାମାନେ। ଏବେ ଚାଷ ଆଗକୁ ବଢ଼ାଇକୁ ଉଦ୍ୟମ ଚାଲିଛି।

ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୨ ଲକ୍ଷ ଟଙ୍କା ଋଣ ଆଣି ଛତୁ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏହା ସହିତ ଆବଶ୍ୟକ ଉପକରଣ କ୍ରୟ କରାଯାଇଥିଲା। ପ୍ରତିଦିନ ମହିଳାମାନେ ଘରର କାମ ସାରି ଛତୁ ଚାଷ ପାଇଁ ୪ରୁ ୫ ଘଣ୍ଟା ସମୟ ଦେଇଥାନ୍ତି। ନଡ଼ା କାଟି ବେଡ୍ ପ୍ରସ୍ତୁତ କରିଥାନ୍ତି। ଏହି ବେଡ ଉପରେ ଛତୁ ମଞ୍ଜିକୁ ପକାଇ ଛତୁ ଫୁଟିବା ପାଇଁ ପ୍ରସ୍ତୁତ କରିଥାନ୍ତି। ପ୍ରତିଦିନ ଛତୁ ତୋଳି ନିକଟସ୍ଥ ହାଟରେ ୩୦ରୁ ୪୦ କେଜି ଛତୁ ବିକ୍ରି କରାଯାଏ। ପ୍ରାୟ ଏକ ଲକ୍ଷ ଟଙ୍କା ଏଥିରୁ ରୋଜଗାର ହୋଇଥାଏ।

ସ୍ଥାନୀୟ ବିଡିଓ ଅଭିମନ୍ୟୁ କବି ଶତପଥୀ ଆଗାମୀ ଦିନରେ ବ୍ଲକର ସମସ୍ତ ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Tags: #Mushroom #SHGWomen #MushroomCultivation

Comment