ଓଡ଼ିଶାଲାଇଭ୍ ବ୍ୟୁରୋ

ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ମହଲ ସରଗରମ ହୋଇଛି। ଏହି ଘଟଣାକୁ ନେଇ ଏବେ ବିଜେପି-ବିଜେଡି ମଧ୍ୟରେ ଚାଲିଛି ଟୁଇଟର ଓ୍ଵାର।

ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ପୋଲିସ୍ ଗିରଫ କରିଛି। ବିଧାୟକଙ୍କ ଗିରଫ ପରେ ବିଜେପି ଘଟଣାକୁ ନିନ୍ଦା କରିବା ସହ ବିଡିଓଙ୍କୁ ଗିରଫ କରିବାକୁ ଦାବି କରିଛି।

ତୁରନ୍ତ ବିଡିଓଙ୍କୁ ଗିରଫ କରାନଗଲେ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଥିବାବେଳେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ଘଟଣା ଓଡ଼ିଶା ଗଣତନ୍ତ୍ରର ହତ୍ୟା ସହ ସମାନ ବୋଲି ନିଜ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହର।

ସେ ଲେଖିଛନ୍ତି, “ନିଜ ପ୍ରତିନିଧିଙ୍କୁ ଅପମାନିତ କରିବା ବିଜେଡି ସରକାରଙ୍କ ଷଡ଼ଯନ୍ତ୍ର। ଜଣେ ବିଡିଓ ବିଧାୟକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦେଲେ ଅଥଚ ବିଧାୟକଙ୍କ ଏଫଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ନକରି ଓଲଟା ତାଙ୍କୁ ବିଡିଓଙ୍କ କଥାରେ ଗିରଫ କରି ବିଜେଡି ମନମୁଖୀ ଶାସନ ଚଲେଇଛି”।

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଦେବଗଡ଼ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହି ବନ୍ଦ ଡାକରାକୁ ବିରୋଧ କରିଥିଲେ ଡେଲି ମାର୍କେଟ ପରିବା ବ୍ୟବସାୟୀ। ବ୍ୟବସାୟୀଙ୍କ ବିରୋଧ ଦେଖି ବନ୍ଦ ପାଳନ ନକରି ବିଜେପି କର୍ମୀ ଫେରି ଯାଇଥିବା ଜଣାପଡ଼ିଛି।

ଏଣେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟୁଇଟ କରି କହିଛନ୍ତି, “ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ଯାଇ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। କିଛି ଅଧିକାରୀମାନେ ନିଜର କାର୍ଯ୍ୟଶୈଳିକୁ ନସୁଧାରି ବିରୋଧୀ ଦେଳର ନେତାମାନଙ୍କ ସ୍ଵରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ବିପଦଜ୍ଜନକ”।

ସେ ଆହୁରି ମଧ୍ୟ କହିଛନ୍ତି, କିଛି ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ଵକୁ ସୁଚାରୁ ରୂପେ ପାଳନ ନକରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଯାହା ଫଳରେ ଜନ ଅସନ୍ତୋଷ ଦେଖାଯାଉଛି। ଏହାର ଏକ ଉଦାହରଣ ହେଉଛି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ।

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ। ଜଣେ ଜନପ୍ରତିନିଧିଙ୍କର ଦାୟିତ୍ଵ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଏବଂ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା। ଏଥିରେ ବାଧା ସୃଷ୍ଟି କରିବା ଅନୁଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍‌ ପରେ ଏହାର ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧନ କରି ସେ କହିଛନ୍ତି, “ଭାଇ, ଆପଣ ବୋଧ ହୁଏ ଅବଗତ ନାହାନ୍ତି ଯେ, ବରଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ”।

କେହି ଭୁଲିଯିବା ଉଚିତ ନୁହେଁ ଯେ, ଓଡ଼ିଶାରେ ଆଇନର ଶାସନ ଚାଲିଛି। ବିଗତ ୩ ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ୩ ଜଣ ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ।

ସେ ଆହୁରି ମଧ୍ୟ କହିଛନ୍ତି, “ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଉର୍ଦ୍ଧ୍ଵରେ? ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି ଯେ, ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସାଧାରଣ ଜନତା ସମସ୍ତେ ସମାନ। ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି”।

ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଦ୍ଵାରସ୍ଥ ହୋଇଛନ୍ତି ଓଏଏସ୍ ସଂଘ। ଏହି ସଂଘ ସୋମବାର ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି। ଦେବଗଡ଼ ବିଧାୟକ ଯେଉଁ କାଣ୍ଡ ଭିଆଇଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ଜଣେ କର୍ତ୍ତବ୍ୟ ପରାୟଣ ସରକାରୀ ଅଧିକାରୀଙ୍କୁ ବିଧାୟକ ମାଡ଼ ମାରିବା ଗ୍ରହଣୀୟ ନୁହେଁ। ଏହି ଘଟଣାରେ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଏଏସ୍ ସଂଘ ସମ୍ପାଦକ ଜ୍ୟୋତି ରଞ୍ଜନ ମିଶ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

Tags: #TwitteWar #BJPBJDTwitWar #DeogarhMLAArrested #SubashPanigrahi

LEAVE A REPLY

Please enter your comment!
Please enter your name here