ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ମେ’ ୭ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶା ଉପକୂଳକୁ ଲାଗିଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନଙ୍କୁ ମଧ୍ୟ ଫେରିଆସିବାକୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୦ ତାରିଖ ସୁଦ୍ଧା ପବନର ବେଗ ବଢ଼ିବ। ଘଣ୍ଟା ପ୍ରତି ପବନର ବେଗ ୮୦ରୁ ୯୦ କିଲୋମିଟର ବହିବ ବୋଲି ଅନୁମାନ କରାଯାଇଛି। ଏହା ସହ ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର।

ଅନ୍ୟପଟେ ବାତ୍ୟାର ସ୍ପଷ୍ଟ ଚିତ୍ର ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ। ବାତ୍ୟା କେଉଁ ଉପକୂଳ ଛୁଇଁବ ଏବଂ କେବେ ଛୁଇଁବ ତାହା ମଧ୍ୟ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ କହିଛି।

Tags: #Cyclone #DeepDepression #LowPrssure

Comment