ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଣ୍ଡାମାନ ସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଶୁକ୍ରବାର ରାତି ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେଉଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଞ୍ଜାମ, ଅନୁଗୁଳ, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବର୍ଷା ଜାରି ରହିଛି। ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବର୍ଷାର ପରିମାଣ ବଢ଼ିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟ ପକ୍ଷରେ ବାତ୍ୟା ନେଇ ରାଜ୍ୟର ୧୮ଟି ସମ୍ବେଦନଶୀଳ ଜିଲ୍ଲାକୁ ପ୍ରସ୍ତୁତ ରହିବା ନିମନ୍ତେ ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସତର୍କ କରିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଏନଡିଆରଏଫ, ଓଡ୍ରାଫ ଟିମ୍ ଏବଂ ରାଜ୍ୟ ଅଗ୍ନିଶମ ବାହିନୀକୁ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ଏସଆରସି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Tags: #LowPressure #Cyclone #LowPressureCreated #SouthAndamanSea

Comment