ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣି କଶ୍ମୀର ପଣ୍ଡିତ। ରାହୁଲ ଭଟ୍ଟ ନାମକ ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ରାହୁଲ ଭଟ୍ଟ ଜମ୍ମୁକଶ୍ମୀର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ଏକ ତହସିଲରେ ରାଜସ୍ଵ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। କେତେ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ତହସିଲ କାର୍ଯ୍ୟାଳୟରେ ପଶି ରାହୁଲ କିଏ ବୋଲି ପଚାରି ଥିଲେ ଏବଂ ପରେ ରାହୁଲଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। କେହି କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ରାହୁଲ।

ରାହୁଲ ଭଟ୍ଟଙ୍କ ହତ୍ୟା ପରେ କଶ୍ମୀର ପଣ୍ଡିତମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ପ୍ରାୟ ୩୫୦ ଜଣ କଶ୍ମୀର ପଣ୍ଡିତ ଶୁକ୍ରବାର ନିଜ ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସମସ୍ତ ୩୫୦ କର୍ମଚାରୀ ନିଜର ଇସ୍ତଫାପତ୍ର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନିକଟକୁ ପଠାଇଛନ୍ତି। ଆତଙ୍କବାଦୀମାନେ କାର୍ଯ୍ୟାଳୟ ଭିତରେ ପଶି ଜଣେ ସରକାରୀ ଅଧିକାରୀଙ୍କୁ ହତ୍ୟା କରୁଛନ୍ତି। ଆତଙ୍କବାଦୀ ଏବେ କଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରିଛନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କାଶ୍ମୀର ପଣ୍ଡିତମାନେ ଚାକିରିରୁ ଇସ୍ତଫା ଦେଇଥିବା କହିଛନ୍ତି।

ରାହୁଲଙ୍କ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ସୁରକ୍ଷା କର୍ମୀମାନେ ଶୁକ୍ରବାର ଦିନ ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ କରିଛନ୍ତି। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ବେଳେ ଏନକାଉଣ୍ଟର କରିଥିଲେ ସୁରକ୍ଷା କର୍ମୀ। ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ରାହୁଲଙ୍କ ହତ୍ୟାକାରୀ ହୋଇଥିବା ସୁରକ୍ଷା କର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସନ୍ଦେହ ଘେରରେ ରାହୁଲଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ

ସ୍ଵାମୀଙ୍କ ହତ୍ୟା ଖବର ପରେ ରାହୁଲ ଭଟ୍ଟଙ୍କ ପତ୍ନୀ ମୀନାକ୍ଷୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି କିଛି ଦିନ ହେଲା ରାହୁଲ ନିଜକୁ ଅସୁରକ୍ଷିତ ମନେ କରୁଥିଲେ। ଦୁଇ ବର୍ଷ ହେଲା ସ୍ଥାନୀୟ ପ୍ରଶାସନକୁ ଟ୍ରାନ୍ସଫର ପାଇଁ ବାରମ୍ବାର ଗୁହାରି ମଧ୍ୟ କରିଆସୁଥିଲେ ରାହୁଲ। ବାରମ୍ବାର ନିବେଦନ କରିଥିଲେ ମଧ୍ୟ ରାହୁଲଙ୍କର ଟ୍ରାନ୍ସଫର କରାଯାଇନଥିଲା। ଏହି ହତ୍ୟା ଘଟଣାରେ ରାହୁଲଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ମୀନାକ୍ଷୀ।

ହତ୍ୟାର ୧୦ ମିନିଟ ପୂର୍ବରୁ ମୀନାକ୍ଷୀଙ୍କ ସହ କଥା ହୋଇଥିଲେ ରାହୁଲ। କୌଣସି ଏକ ପାର୍ଟିରେ ଯୋଗ ଦେବାକୁ ଶୀଘ୍ର ଘରକୁ ଆସିବେ ବୋଲି ମୀନାକ୍ଷୀଙ୍କୁ କହିଥିଲେ। କିନ୍ତୁ କିଛି ସମୟ ପରେ ଖବର ଆସିଥିଲା ଆତଙ୍କବାଦୀଙ୍କ ଗୁଳିରେ ରାହୁଲଙ୍କର ମୃତ୍ୟୁ ହୋଇଛି ବୋଲି।

ଆତଙ୍କବାଦୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ: ଉପରାଜ୍ୟପାଳ       

ରାହୁଲ ଭଟ୍ଟ ହତ୍ୟାକାଣ୍ଡକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦୀଙ୍କୁ ଏହାର ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ତୁରନ୍ତ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ବିରୋଧ କରି ୮ କଶ୍ମୀର ପଣ୍ଡିତ ଗିରଫ

ଶୁକ୍ରବାର ସକାଳେ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ କଶ୍ମୀର ପଣ୍ଡିତମାନେ ଜମ୍ମୁ-ଅଖନୁର ପୁରୁଣା ହାଇଓ୍ଵେ ଅବରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପରେ ନିଜର ଅସନ୍ତୋଷ ଜାହିର କରିଥିଲେ ଆନ୍ଦୋଳନକାରୀ କଶ୍ମୀର ପଣ୍ଡିତ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା। ୪ ଜଣ ଆନ୍ଦୋଳନକାରୀ ପୋଲିସର ଲାଠି ଚାର୍ଜରେ ଆହତ ହୋଇଥିବା ଖବର ମଧ୍ୟ ମିଳିଛି।

Tags: #Terrorist #KashmirPandit #TerroristAttack #RahulBhatt

Comment