ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ କଟକଣା ହଟିବା ପରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ ପରିବାର ଉପଭୋଗ କରିଥିଲେ।

ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ଓ ନୂତନ ପିଢ଼ି ମଧ୍ୟରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ହସ୍ତଶିଳ୍ପକୁ ପରିଚିତ କରିବା ସହିତ ବିଦେଶରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ପ୍ରକାଶ କରିଛନ୍ତି।

ବାହାରିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବସ୍ତାଵ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାହାରିନ ଓଡ଼ିଆ ସମାଜର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦେଶ ମାଟିରେ ଓଡ଼ିଆ କଳା, ସଂସ୍କୃତି ଏବଂ ପରମ୍ପରାର କାର୍ଯ୍ୟକ୍ରମ ଦେଖି ଆନନ୍ଦିତ ହୋଇଥିଲେ।

ଜାପାନ୍, କୋରିଆ, ଇଣ୍ଡୋନେସିଆ, ମାଲେସିଆ, ନେପାଳ ଏବଂ ଶ୍ରୀଲଙ୍କା ଆଦି ସାତଟି ଦେଶର ରାଷ୍ଟ୍ରଦୂତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ସଂସ୍କୃତିର ଆକର୍ଷଣୀୟ ବିଭବ ଦେଖି ବିଭୋର ହୋଇଥିଲେ। ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ଦଳ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନମୋହି ଥିଲେ।

ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଆକର୍ଷଣୀୟ ବାଲୁକା କଳା ଆନିମେସନ ପ୍ରଦର୍ଶନୀ ହୋଇଥିଲା। ଏଥିରେ ଉଭୟ ଭାରତ ଓ ବାହାରିନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯୁଗଳବନ୍ଦୀ ପ୍ରଦର୍ଶିତ ହୋଇ ଅତିଥି ଓ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। 

ଏଥିସହିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ହସ୍ତଶିଳ୍ପ, ପିପିଲି ଚାନ୍ଦୁଆ ତଥା ଅନ୍ୟାନ୍ୟ ହସ୍ତକଳା ପ୍ରଦର୍ଶନ ହୋଇଥିଲା। ଓଡ଼ିଶା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ପ୍ରଚାର, ପ୍ରସାର ନିମନ୍ତେ ଏକ ଫ୍ୟାଶନ ସୋ’ର ମଧ୍ୟ ଆୟୋଜନ କରାଯାଇଥିଲା।

Tags: #Odisha #BahrainOdiaSamaj #UtkalDivas #OdishaCulture

Comment