ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରତି ଏକ ହଜାରରେ ୩୬କୁ କମିଲା ଶିଶୁ ମୃତ୍ୟୁହାର
  • ୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ୩୯ ପଏଣ୍ଟ ହ୍ରାସ
  • ସାରା ଦେଶରେ ସର୍ବାଧିକ ହ୍ରାସ
  • ସ୍ଵାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗ ଓ ଟିମ୍‌ ଓଡ଼ିଶାକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ବେଳେ ଏବେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛି। ପୂର୍ବ ଅପେକ୍ଷା ରାଜ୍ୟରେ ଶିଶୁ ମୃତ୍ୟୁହାର କମିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାରେ ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ ହୋଇଥିବା ଗୁରୁବାର ‘ମୋ ସରକାର’ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଥିଲେ ଏହା ଓଡ଼ିଶାର ସ୍ଵାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା। ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟକୁ ଏହି ସଫଳତା ମିଳିଛି। ଏହି ସଂଖ୍ୟା ସାରା ଦେଶରେ ସର୍ବାଧିକ ହ୍ରାସ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବର୍ତ୍ତମାନ ରାଜ୍ୟର ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟ କ୍ଷେତ୍ରରେ ସ୍ଵାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଟିମ୍‌ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଓଡ଼ିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ରାଜ୍ୟ ପାଇଁ ନୂଆ ନୂଆ ସଫଳତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Tags: #Health #Child #Infant #InfantDeathRate #DeathRateReduce #Odisha #HealthDepartment #CMOdisha

Comment